କୋଲକାତାରେ ମମତାଙ୍କ ମହାରୢାଲି: ଏକାଠି ହେଲେ ୨୦ ବିରୋଧୀ ଦଳ

ମୋଦୀ ସରକାରର ଆୟୁଷ ପୂରିଗଲାଣି, ଏକ ସ୍ବରରେ ଗର୍ଜିଲେ ବିରୋଧୀ ବିଜେପିକୁ ହରାଇବାକୁ ଦୃଢ଼ ସଂକଳ୍ପ

କୋଲକାତା: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ଆଜି କୋଲକାତାରେ ୨୦ଟି ବିରୋଧୀ ଦଳଙ୍କ ମହା ରୢାଲି ଅନୁଷ୍ଠିତ ହୋଇଛି। ଏହି ମିଳିତ ବିରୋଧୀ ଦଳ ରୢାଲିରେ ଉଦ୍‌ବୋଧନ ଦେଇ ଟିଏମ୍‌ସି ସୁପ୍ରିମୋ ମମତା କହିଛନ୍ତି ଯେ ମୋଦୀ ସରକାରଙ୍କ ଆୟୁଷ ପୂରିଗଲାଣି। ସମସ୍ତ ବିରୋଧୀ ଦଳ ଏବେ ଏକଜୁଟ୍‌ ହୋଇ କାମ କରିବେ ଏବଂ ପ୍ରଧାନମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ଆମେ ଲୋକସଭା ନିର୍ବାଚନ ପରେ ଗ୍ରହଣ କରିବୁ। ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ସିବିଆଇ ଏବଂ ଇଡିର କାର୍ଯ୍ୟାନୁଷ୍ଠାନକୁ ଉଲ୍ଲେଖ କରି ମମତା ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ- କାହା ବିରୋଧରେ ବ୍ୟକ୍ତିଗତ ଟିପ୍ପଣୀ କରିବା ଆମର ସଂସ୍କୃତି ନୁହେଁ। କିନ୍ତୁ ଯେତେବେଳେ ଆପଣ କାହାକୁ ବି ଛାଡ଼ୁନାହାନ୍ତି, ତା’ହେଲେ ଆମେ ଆପଣଙ୍କୁ କାହିଁକି ଛାଡ଼ିବୁ।। ଯିଏ ଆପଣଙ୍କ ସହିତ ରହୁଛି ସିଏ ହିଁ ଠିକ୍‌, ଯିଏ ଆପଣଙ୍କ ସହିତ ରହୁନାହିଁ ସେ ସମସ୍ତଙ୍କୁ ଆପଣ ଚୋର ବୋଲି କହୁଛନ୍ତି। ଆପଣ ସମ୍ବିଧାନ, ଇତିହାସ ଏବଂ ଭୂଗୋଳ ବଦଳାଇ ଦେଉଛନ୍ତି। ଯେତେବେଳେ ଆପଣ ସବୁ ବଦଳାଇ ଦେଉଛନ୍ତି ତା’ହେଲେ ଆମେ ସମସ୍ତେ ଏକଜୁଟ ହୋଇ ଆପଣଙ୍କୁ କାହିଁକି ବଦଳାଇ ଦେବୁନାହିଁ ବୋଲି ମମତା ମୋଦୀଙ୍କୁ ପ୍ରଶ୍ନ କରିଥିଲେ। ମୋଦୀ ସରକାରଙ୍କ କର୍ମନିଯୁକ୍ତି ଯୋଜନା ଭଣ୍ଡୁର ହୋଇଛି ବୋଲି ଦର୍ଶାଇ ମମତା କହିଥିଲେ ଯେ ଏନ୍‌ଡିଏ ସରକାର ୨ କୋଟି ଲୋକଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହି ସରକାରଙ୍କ କାର୍ଯ୍ୟକାଳରେ ୫ କୋଟି ଲୋକ ବେକାର ହୋଇସାରିଲେଣି। ତେଣୁ ଆଗାମୀ ନିର୍ବାଚନରେ ଯାହା ଭଗବାନଙ୍କୁ ମଂଜୁର ତାହା ହିଁ ହେବ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ ମମତା କହିଥିଲେ ଯେ ବିଜେପି ଏବେ ନେତାଶୂନ୍ୟ ହୋଇଯାଇଛି ଏବଂ ବିରୋଧୀ ମେଣ୍ଟରେ ଅନେକ ନେତା ଅଛନ୍ତି। ବିଜେପିରେ ଏବେ କେବଳ ଜଣେ ଅଧ୍ୟକ୍ଷ ଏବଂ ଜଣେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ପୂର୍ବରୁ ଲୋକେ ସିବିଆଇକୁ ସମ୍ମାନ ଦେଉଥିଲେ। ଏବେ ଏନ୍‌ଡିଏ ସରକାର ସିବିଆଇର ସମ୍ମାନ ନଷ୍ଟ କରିଦେଇଛନ୍ତି। ଏହି ମହାରୢାଲିରେ ଉପସ୍ଥିତ ଥିବା ନେତାମାନେ ମୋଦୀ ସରକାରକୁ କଡ଼ା ସମାଲୋଚନା କରିଥିଲେ। ରୢାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ, ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଉମର ଅବଦୁଲ୍ଲା, ଆରଜେଡି ନେତା ତେଜସ୍ବୀ ଯାଦବ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ଡିଏମ୍‌କେ ସୁପ୍ରିମୋ ଏମ୍‌କେ ଷ୍ଟାଲିନ୍‌, ଅସନ୍ତୁଷ୍ଟ ବିଜେପି ନେତା ଶତ୍ରୁଘ୍ନ ସିହ୍ନା, ଯଶବନ୍ତ ସିହ୍ନା ଏବଂ ଅରୁଣ ସୌରୀ ଉଦ୍‌ବୋଧନ ଦେଇଥିଲେ। ବିଏସ୍‌ପି ସୁପ୍ରିମୋ ମାୟାବତୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ରୢାଲିରେ ଯୋଗ ଦେଇନଥିଲେ। କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ସିଂଘଭୀ ଏବଂ ମଲ୍ଲିକାର୍ଜୁନ ଖଡ଼୍‌ଗେ ଯୋଗଦେଇଥିବା ବେଳେ ବିଏସ୍‌ପିରୁ ଶତୀଶ ମିଶ୍ର ଯୋଗଦେଇଥିଲେ। ଟିଆର୍‌ଏସ୍‌ ଏହି ରୢାଲିକୁ ବର୍ଜନ କରିଥିଲା।

କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କୁ ଚ୍ୟାଲେଂଜ କରି ବିରୋଧୀ ଦଳମାନେ ଏକ୍‌ଜୁଟ ହେବା ଆରମ୍ଭ କରିଦେଇଛନ୍ତି। କୋଲାକାତାରେ ଅନୁଷ୍ଠିତ ମିଳିତ ବିରୋଧୀ ଦଳ ରୢାଲିରେ ନେତାମାନେ ବିଜେପି ସରକାରକୁ ଆଗାମୀ ଲୋକସଭା ନିର୍ବାଚନରେ ହରାଇବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି।

କୁଆଡ଼େ ଗଲା ୧୫ ଲକ୍ଷ ଟଙ୍କା: କଂଗ୍ରେସ
କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁସିଂଗଭୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ରୢାଲିରେ ଉଦ୍‌ବୋଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ। ବିଦେଶରୁ କଳାଧନ ଆଣି ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ତାହା କୁଆଡ଼େ ଗଲା ବୋଲି ସିଂଘଭୀ କହିଥିଲେ। ମୋଦୀ ସରକାରର ପତନ ପାଇଁ ଏବେ ଦେଶବାସୀ ପ୍ରସ୍ତୁତ ହୋଇସାରିଲେଣି ବୋଲି ସେ କହିଥିଲେ।

ଦେଶକୁ ବରବାଦ କରିଦେବେ: କେଜ୍ରିୱାଲ
ରୢାଲିରେ ଉଦ୍‌ବୋଧନ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ମୋଦୀ-ଶାହଙ୍କ ଯୋଡ଼ି ଆଗକୁ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟ୍‌ଲର ଭଳି କାମ କରିବା ଆଶଙ୍କା ରହିଛି। ଏହି ଯୋଡ଼ି ୨୦୧୯ରେ ପୁଣି କ୍ଷମତାକୁ ଆସିଲେ ଦେଶକୁ ବରବାଦ କରିଦେବେ ବୋଲି ସେ କହିଛନ୍ତି।

ସମ୍ବିଧାନକୁ ବଞ୍ଚାଇବାକୁ ହେବ:ଅଖିଳେଶ
ମୋଦୀ ସରକାରରେ ଦେଶର ସମ୍ବିଧାନ ସଙ୍କଟରେ ପଡ଼ିଯାଇଛି। ସମ୍ବିଧାନ ବଞ୍ଚାଇବାକୁ ସମସ୍ତେ ଏକଜୁଟ ହେବା ଆବଶ୍ୟକ ରହିଛି। ଉତ୍ତର ପ୍ରଦେଶରେ ସମାଜାବାଦୀ ପାର୍ଟି ଏବଂ ବିଏସ୍‌ପି ମଧ୍ୟରେ ହୋଇଥିବା ନିର୍ବାଚନୀ ମେଣ୍ଟକୁ ଦେଶବାସୀ ପ୍ରଶଂସା କରିଛନ୍ତି ବୋଲି ସପା ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ ଉଦ୍‌ବୋଧନରେ କହିଥିଲେ। ପ୍ରଧାନମନ୍ତ୍ରୀ ହେବାପାଇଁ ଆମ ପାଖରେ ଅନେକ ନେତା ଅଛନ୍ତି, ତେଣୁ ପ୍ରଧାନମନ୍ତ୍ରୀ କିଏ ହେବ ସେ ପ୍ରଶ୍ନ ପଚାରିବା ବିଜେପି ଛାଡ଼ିଦେଉ ବୋଲି ଅଖିଳେଶ କହିଥିଲେ।

ଦେଶର ଅର୍ଥନୀତିକୁ ଦୁର୍ବଳ କରିଛି ଏନ୍‌ଡିଏ: ଶରଦ ଯାଦବ
ରୢାଲିରେ ଉଦ୍‌ବୋଧନ ଦେଇ ବରିଷ୍ଠ ନେତା ଶରଦ ଯାଦବ କହିଥିଲେ ଯେ ମୋଦୀ ସରକାର ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ଜିଏସ୍‌ଟି ଯୋଗୁଁ ବ୍ୟବସାୟୀଙ୍କ ସଙ୍କଟ ବଢ଼ିଯାଇଛି। ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ୧୨ ବର୍ଷ ପଛକୁ ପଳାଇ ଯାଇଛି । ଏଭଳି ସରକାର ଦେଶପାଇଁ ବିପଦ ବୋଲି ସେ କହିଥିଲେ।

ଇଭିଏମ୍‌ ଏବେ ଚୋର ମେସିନ୍‌ ପାଲଟିଛି: ଫାରୁକ୍‌ ଅବଦୁଲ୍ଲା
ନ୍ୟାସନାଲ କନ୍‌ଫରେନ୍‌ସ ନେତା ଫାରୁକ୍‌ ଅବଦୁଲ୍ଲା କହିଥିଲେ ଯେ ନିର୍ବାଚନ ପ୍ରକ୍ରିୟା ଏବେ ସନ୍ଦେହ ଘେରରେ ରହିଛି। ଇଭିଏମ୍‌ଗୁଡ଼ିକ ଚୋର ମେସିନ୍‌ ପାଳଟିଯାଇଛି। ଆମେ ରାଷ୍ଟ୍ରପତିଙ୍କୁ ଭେଟି ଇଭିଏମ୍‌ ବନ୍ଦ କରିବାକୁ ଦାବି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବିକାଶ ନୁହେଁ, ବିନାଶ କରିଛନ୍ତି ମୋଦୀ ସରକାର: ଯଶବନ୍ତ ସିହ୍ନା
ବିଜେପିର ଅସନ୍ତୁଷ୍ଟ ନେତା ଯଶବନ୍ତ ସିହ୍ନା କହିଥିଲେ ଯେ ଦେଶର ଗଣତନ୍ତ୍ର ଏବେ ବିପଦରେ ରହିଛି ଏବଂ ଦେଶରେ ବିକାଶ ବଦଳରେ ମୋଦୀ ସରକାର ବିନାଶ କରିଛନ୍ତି। ମୋଦୀ ସରକାରଙ୍କ ବିଫଳ ନୀତିଗୁଡ଼ିକ ଦେଶପାଇଁ ବୋଝ ହୋଇଯାଇଛି ବୋଲି ସେ କହିଥିଲେ।

ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି: ଅରୁଣ ସୌରୀ
ମୋଦୀ ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ନୀତି କରିଛନ୍ତି। ମୋଦୀ ଏ ସଂପର୍କରେ ଭଲଭାବେ ବୁଝି ସାରିଛନ୍ତି ଏବଂ ସରକାରଙ୍କ ସ୍ଥିତି ଦୋହଲି ଗଲାଣି ବୋଲି ଅସନ୍ତୁଷ୍ଟ ବିଜେପି ନେତା ଅରୁଣ ସୌରୀ କହିଥିଲେ। କେନ୍ଦ୍ର ସରକାର ଏବେ ଦେଶର ଗୁରୁତ୍ବପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ଶେଷ କରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ।

ଚୌକିଦାରଙ୍କୁ ଚୋର କହିବେ ଜନତା: ଶତୃଘ୍ନ ସିହ୍ନା
ଅସନ୍ତୁଷ୍ଟ ବିଜେପି ସାଂସଦ ଶତୃଘ୍ନ ସିହ୍ନା କହିଥିଲେ ଯେ ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗରେ ସରକାର ସ୍ଥିତି ସ୍ପଷ୍ଟ ନକଲେ ଜନତା ଚୌକିଦାରଙ୍କୁ ଚୋର ବୋଲି କହିବେ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ପ୍ରସଙ୍ଗରେ ଜବାବ ରଖିବା ଆବଶ୍ୟକ ବୋଲି ସେ କହିଥିଲେ। ମୋଦୀ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି: ଚନ୍ଦ୍ରବାବୁ ନାଇଡ଼ୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ସେ କେବଳ ପ୍ରଚାରରେ ସୀମିତ ରହିଛନ୍ତି।

ମିଳିମିଶି ଲଢ଼ିବାକୁ ହେବ: ଦେବ ଗୌଡ଼ା
ମୋଦୀ ସରକାର ବିରୋଧରେ ଏକ ମିଳିତ ଲଢ଼େଇ ହିଁ ଫଳପ୍ରଦ ହୋଇପାରିବ ବୋଲି ପୂର୍ବ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ସୁପ୍ରିମୋ ଦେବ ଗୌଡ଼ା କହିଥିଲେ। ସରକାର ବିରୋଧରେ ରହିଥିବା ଅସନ୍ତୋଷକୁ ବୁଝିବାକୁ ହେବ ଏବଂ ବିରୋଧୀ ଦଳମାନେ ସୁଚିନ୍ତିତ ରଣନୀତିରେ ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର