ଦେଶର ପ୍ରଥମ ରାଜ୍ୟଭାବେ ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଟପିଲା, ଜୁନ ୧୬-୧୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦୀ

ନୂଆଦିଲ୍ଲୀ : ଦେଶର ପ୍ରଥମ ରାଜ୍ୟଭାବେ ମହାରାଷ୍ଟ୍ରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି । ଏହା ମଧ୍ୟରେ ୩୭୧୭ଟି ମୃତ୍ୟୁମାମଲା ଥିବାବେଳେ ୪୭,୭୯୩ ଜଣ ଆରୋଗ୍ୟଲାଭ କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ତଥ୍ୟ ଅନୁସାରେ ଶୁକ୍ରବାରଦିନ ୩୪୯୩ଟି ନୂଆ ମାମଲା ସାମନାକୁ ଆସିବା ପରେ ମୋଟ ସଂଖ୍ୟା ୧,୦୧,୧୪୧ରେ ପହଞ୍ଚିଛି । ତେବେ ଆଜି ରାଜ୍ୟରେ ପ୍ରାୟ ୧୭୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ର ତଳକୁ ତାମିଲନାଡୁ ଓ ଦିଲ୍ଲୀ ରହିଛନ୍ତି ।

ଅନ୍ୟପକ୍ଷରେ ସମଗ୍ର ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ ଥିଲା । ଏହା ମଧ୍ୟରେ ମହାରାଷ୍ଟ୍ରର ୯୭୬୪୮ ଥିଲା । ଏଣୁ ମହାରାଷ୍ଟ୍ରର ୧ ଲକ୍ଷ ଟପିବା ସହ ଦେଶର ମୋଟ ଆକ୍ରାନ୍ତ ସଂଖ୍ୟା ମଧ୍ୟ ୩ ଲକ୍ଷ ଟପିଯାଇଛି ।

ଦେଶରେ କରୋନା ମାମଲା ବଢିଚାଲିଥିବାରୁ ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର