ନୂଆଦିଲ୍ଲୀ: ଆରବ ସାଗରରେ ଏକାଥରକେ ସୃଷ୍ଟି ହୋଇଥିବା ଦୁଇଟି ବାତ୍ୟା ‘କ୍ୟାର୍’ ଏବଂ ‘ମହା’ ସମସ୍ତଙ୍କୁ ବିସ୍ମିତ କରିଛି। ଉପଗ୍ରହ ଛବିରେ ମଧ୍ୟ ଦୁଇଟି ବାତ୍ୟାକୁ ଦେଖିବାକୁ ମିଳିଛି। ଉପଗ୍ରହ ଛବିରେ ଦୁଇଟି ବାତ୍ୟା ଏକାସାଂଗରେ ଦୃଶ୍ୟମାନ ହେବା ଏକ ବିରଳ ବିସ୍ମୟ ବୋଲି କୁହାଯାଉଛି। କ୍ୟାର୍ କ୍ରମଶଃ ଘନୀଭୂତ ହେବାରେ ଲାଗିଥିବାବେଳେ ‘ମହା’ ଏବେ ଭୀଷଣ ବାତ୍ୟାରେ ପରିଣତ ହେବାରେ ଲାଗିଛି। ‘ମହା’ ଘଣ୍ଟା ପ୍ରତି ୧୭ କିମି ବେଗରେ ଉତ୍ତର- ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି ଏବଂ ୬ ତାରିଖ ଦିନ ଏହା ଗୁଜରାଟ ତଟରେ ମାଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି। ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ବାତ୍ୟାର ସଠିକ୍ ସ୍ଥିତି ଏବଂ ଗତିପଥ ନେଇ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାତ୍ୟା ‘ମହା’ ଭୟଙ୍କର ରୂପ ନେଇସାରିଛି ଏବଂ ଏହାର ପ୍ରଭାବରେ ଲକ୍ଷାଦ୍ବୀପରେ ପ୍ରବଳ ବର୍ଷା ଲାଗି ରହିଛି । ମହା ଏବେ ଲକ୍ଷାଦ୍ବୀପ ଉପରେ ରହିଛି ଏବଂ ଏଠାରୁ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ମଧ୍ୟ ଏହାର ପ୍ରଭାବ ରହିବ। ଗୁଜରାଟର ଅଧିକାଂଶ ଅଂଚଳରେ ନଭେମ୍ବର ୬ରୁ ୮ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବ। ତେଣୁ ତଟବର୍ତ୍ତୀ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥର ମୌସୁମୀରେ ଗୁଜରାଟ ଏବଂ ପୂର୍ବ ଉପକୂଳରେ ୩ଟି ବାତ୍ୟା ମାଡ଼ ହେବା ଅଭାବନୀୟ ଘଟଣା ହୋଇଥିବାବେଳେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ବ୍ୟାପକ ଫସଲହାନି ହୋଇଛି।।