ମୁମ୍ବାଇ: ମହାରାଷ୍ଟ୍ର ସରକାର ଶୁକ୍ରବାର ବିଧାନସଭାକୁ କହିଛନ୍ତି ଯେ ସରକାର ଋଣ ଛାଡ ଯୋଜନା ଅଧୀନରେ ରାଜ୍ୟର ସମସ୍ତ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ। ତେବେ, କୋଭିଡ-୧୯ ମହାମାରୀ କାରଣରୁ ଏହାର କାର୍ଯ୍ୟକାରିତା ବିଳମ୍ବିତ ହେଉଛି।
ବିଧାନସଭାରେ ପ୍ରଶ୍ନକାଳରେ ଏହି ପ୍ରସଙ୍ଗରେ ଆଲୋଚନାର ଉତ୍ତର ଦେଇ ଉପ- ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ମହାତ୍ମା ଜ୍ୟୋତିବା ଫୁଲେ କୃଷି ଋଣ ଛାଡ ଯୋଜନାର ଲାଭ ପାଇବାକୁ ୩୧.୮୧ ଲକ୍ଷ କୃଷକ ଯୋଗ୍ୟ ଅଟନ୍ତି।
ଏପର୍ଯ୍ୟନ୍ତ ୨୦,୨୯୦ କୋଟି ଟଙ୍କା ବିତରଣ କରାଯାଇଛି। ଯୋଗ୍ୟ କୃଷକମାନେ, ଯେଉଁମାନେ ଏପର୍ଯ୍ୟନ୍ତ ଋଣ ଛାଡର ଲାଭ ପାଇ ନାହାନ୍ତି ସେମାନଙ୍କୁ ଏହି ଅଧିବେଶନରେ ଏବଂ ପରେ ବଜେଟ୍ ଅଧିବେଶନରେ ସପ୍ଲିମେଣ୍ଟାରୀ ଦାବି ମାଧ୍ୟମରେ ପାଣ୍ଠି ର ବ୍ୟବସ୍ଥା କରି ଏହି ଯୋଜନାର ଲାଭ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ମହା ବିକାଶ ଅଘାଦି (ଏମଭିଏ) ସରକାର କ୍ଷମତାକୁ ଆସିବା ପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଋଣ ଛାଡ କରିବାକୁ ପ୍ରତିଶୃତି ଦେଇଥିଲେ।
ଯଦି ୨ ଲକ୍ଷରୁ ଅଧିକ ଟଙ୍କା ଋଣ ଥିବା କୃଷକମାନେ ଅତିରିକ୍ତ ରାଶି ପରିଶୋଧ କରନ୍ତି, ତେବେ ସେମାନଙ୍କୁ ୨ ଲକ୍ଷ ଟଙ୍କା ଛାଡ ମିଳିବ। ଯେଉଁମାନେ ନିୟମିତ ଭାବେ ସେମାନଙ୍କର ଦେୟ ପରିଶୋଧ କରୁଛନ୍ତି, ସେମାନଙ୍କ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ସରକାର ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରତିବଦ୍ଧ ଅଛନ୍ତି। ତେବେ, କୋଭିଡ୍-୧୯ ଲକଡାଉନ୍ ହେତୁ ରାଜ୍ୟର ଅର୍ଥନୈତିକ ପରିସ୍ଥିତି ଭଲ ନାହିଁ। କାରଣ ୧ ଲକ୍ଷ କୋଟିରୁ ଅଧିକ ଟିକସ ରାଜ୍ୟ ସରକାରଙ୍କ ଟ୍ରେଜେରିକୁ ଆସିନାହିଁ ବୋଲି ପାୱାର କହିଛନ୍ତି।