ପ୍ରୟାଗରାଜ: ଗତଗୁରୁବାର ରାତିରେ ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଓ ତାଙ୍କର କିଛି ଶିଷ୍ୟଙ୍କ ଉପରେ କିଛି ଅଜଣା ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାାର ହୋଇଥିବା କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱରଙ୍କ ନାମ କଲ୍ୟାଣୀ ନନ୍ଦଗିରି ଓରଫ ଛୋଟି ମା’ ଥିବା ଜଣାପଡ଼ିଛି।  
ଆକ୍ରମଣ ପରେ ସଙ୍ଗେସଙ୍ଗେ ମହାମଣ୍ଡଳେଶ୍ୱର କଲ୍ୟାଣୀ ନନ୍ଦଗିରି, ଏବଂ କିନ୍ନର ଆଖଡ଼ାର ଅନ୍ୟ ସଦସ୍ୟମାନଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ସେକ୍ଟର ୨ ସ୍ଥିତ ସ୍ୱରୂପ ରାଣୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। 

Advertisment

କିନ୍ନର ଆଖଡ଼ାର ଜଣେ ଶିଷ୍ୟ ଏହି ଆକ୍ରମଣ ଘଟଣାକୁ ନେଇ କହିଛନ୍ତି, ‘ମହାମଣ୍ଡଳେଶ୍ୱର କଲ୍ୟାଣୀ ନନ୍ଦଗିରି ଏକ କାରରେ ଶିବିରକୁ ଫେରୁଥିବା ସମୟରେ କିଛି ଲୋକ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱରଙ୍କ ସମେତ ମୋଟ ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।’

ସୂଚନା ଅନୁଯାୟୀ, ପ୍ରଥମେ ଦୁଇଜଣ ଲୋକ ଆସି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କଲ୍ୟାଣୀ ନନ୍ଦଗିରିଙ୍କୁ ପ୍ରଣାମ ଜଣାଇଥିଲେ। ତା’ପରେ ୬-୭ ଜଣ ଲୋକ ଆସି କେହି କିଛି ବୁଝିବା ପୂର୍ବରୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେମାନେ ଜୋରଜବରଦସ୍ତ ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି।

ଏହି ଆକ୍ରମଣ କାରଣ ପୂର୍ବରୁ ଲାଗିଥିବା ବିବାଦକୁ ନେଇ ହୋଇଥିବା କୁହାଯାଉଛି।  ଫେବୃଆରି ୯ ତାରିଖରେ ପରୀ ଆଖଡ଼ାର ଜଗତଗୁରୁ ହିମାଙ୍ଗୀ ସଖି କଲ୍ୟାଣୀ ନନ୍ଦ ଗିରି, ଆଚାର୍ଯ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଓ କୌଶଲ୍ୟା ନନ୍ଦଗିରିଙ୍କ ବିରୋଧ‌ରେ ମାଡ଼ମରା ଅଭିଯୋଗ କରିଥିଲେ। ପୁଲିସ ଆକ୍ରମଣକୁ ଏହି ବିବାଦ ସହିତ ଯୋଡ଼ି ଯାଞ୍ଚ କରୁଛି।