ମହାମେଣ୍ଟ ଜନବିରୋଧୀ: ମୋଦୀ: କାର୍ଯ୍ୟାନୁଷ୍ଠାନ ଭୟରେ ଏକାଠି ହୋଇଛନ୍ତି

ନୂଆଦିଲ୍ଲୀ: ପଶ୍ଚିମବଂଗରେ ଆଜି ବିରୋଧୀ ଦଳର ମେଗା ରୢାଲିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ ଏହି ମହାମେଣ୍ଟ କେବଳ ବିଜେପି ବିରୋଧରେ ନୁହେଁ, ଏହା ଦେଶର ଜନସାଧାରଣଙ୍କର ମଧ୍ୟ ବିରୋଧୀ। ଦୁର୍ନୀତିଗ୍ରସ୍ତମାନେ କାର୍ଯ୍ୟାନୁଷ୍ଠାନକୁ ଡରି ଏବେ ଏକାଠି ହୋଇଛନ୍ତି ଏବଂ ସେମାନଙ୍କ ନୀତି ବିକାଶ ବିରୋଧୀ। ସିଲଭାସାରେ ଏକ ରୢାଲିକୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଯେଉଁମାନଙ୍କୁ ଏବେ ଦେଶକୁ ଲୁଟିବାକୁ ଆଉ ସୁଯୋଗ ମିଳୁନାହିଁ ସେମାନେ ମେଳି ବାନ୍ଧିଛନ୍ତି। ଦେଶବାସୀ ଏହି ସୁବିଧାବାଦୀ ନେତାଙ୍କ ମେଣ୍ଟ ଦେଖି ‘ବାଃ କି ଦୃଶ୍ୟ’ ବୋଲି କହୁଛନ୍ତି। ବିରୋଧୀ ମଂଚରୁ ଏବେ ‘ରକ୍ଷାକର ରକ୍ଷାକର’ ବୋଲି ଶୁଭୁଛି। ଯେଉଁମାନେ କଂଗ୍ରେସକୁ ସମାଲୋଚନା କରି ଆସୁଥିଲେ ସେମାନେ ମଧ୍ୟ ଏକାଠି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ‌କେତେକ ମଂଚରେ ନଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକ ଚୁକ୍ତି ଆରମ୍ଭ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏବେ ଦେଶବାସୀ ବିରୋଧୀ ନେତାମାନଙ୍କୁ ଅତି ନିକଟରୁ ଦେଖୁଛନ୍ତି ଏବଂ ଆଗକୁ ଅସଲ ଯୁଦ୍ଧ ଭୋଟର୍‌ ହିଁ ସେମାନଙ୍କୁ ଦେଖାଇବେ ବୋଲି ମୋଦୀ କହିଛନ୍ତି। ଏବେ ସକରାତ୍ମକ ଚିନ୍ତାଧାରା ଏବଂ ନକରାତ୍ମକ ଆଭିମୁଖ୍ୟ ମଧ୍ୟରେ ଲଢ଼େଇ ଚାଲିଛି । ଦୁର୍ନୀତି ଏବଂ ବିକାଶ ମଧ୍ୟରେ ଲଢ଼େଇ ଚାଲିଛି। ଜନସାଧାରଣ ବନାମ ସୁବିଧାବାଦୀ ମେଣ୍ଟ ମଧ୍ୟରେ ଲଢ଼େଇ ଚାଲିଛି ବୋଲି ସେ କହିଛନ୍ତି। ‘ଜନସାଧାରଣଙ୍କ ଅର୍ଥ ହଡ଼ପ କରବା ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସେମାନେ ଏବେ ମୋ ବିରୋଧରେ କ୍ରୋଧ ଦେଖାଉଛନ୍ତି। କାର୍ଯ୍ୟାନୁଷ୍ଠାନକୁ ‌ଡରି ସେମାନେ ଯେଉଁ ମେଣ୍ଟ କରିଛନ୍ତି ତାହାକୁ ମହାମେଣ୍ଟ କୁହାଯାଉଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର