ମହାନଦୀ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ : ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବୈଷୟିକ ଟିମ୍‌ ମଧ୍ୟରେ ସହମତି ହୋଇପାରିନାହିଁ। ଦୁଇ ରାଜ୍ୟ ଅବବାହିକାର ମୋଟ ଅଞ୍ଚଳକୁ ନେଇ ଏକ ପ୍ରକାର ସହମତି ପ୍ରକାଶ ପାଇଥିଲେ ମଧ୍ୟ ଇବ ଉପ-ଅବବାହିକା ଏବଂ ଅପର ମହାନଦୀ ଉପ-ଅବବାହିକାର ସୀମା ନିର୍ଦ୍ଧାରଣ କରିବାରେ ଦୁଇ ରାଜ୍ୟ ମଧ୍ୟରେ ସହମତି ହୋଇପାରିନାହିଁ। ଏଥିସହିତ ଦୁଇ ରାଜ୍ୟର ବୈଷୟିକ ଟିମ୍‌ ମଧ୍ୟରେ ଲୋୟର ମହାନଦୀ ଏବଂ ଦୟା ଉପ-ଅବବାହିକାର ସୀମା ନିର୍ଦ୍ଧାରଣ ଆଲୋଚନା ବିଫଳ ହୋଇଛି। ଶନିବାର ଟ୍ରିବ୍ୟୁନାଲ‌ରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ହେବ। ଏହାପୂର୍ବରୁ ଆଜି ଟ୍ରିବ୍ୟୁନାଲର ଦୁଇ ଆସେସରଙ୍କ ମଧ୍ୟରେ ହୋଇଥିବା ବୈଠକ ସଂପର୍କରେ ଅବଗତ କରି ଦିଆଯାଇଛି।

ଟ୍ରିବ୍ୟୁନାଲର ଦୁଇ ଆସେସରଙ୍କ ଦ୍ବାରା ଚଳିତମାସ ୧୭ ତାରିଖରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ସହିତ ବିବାଦ ଓ ଦ୍ବନ୍ଦ୍ବ ରହିଥିବା ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ବୈଠକ କରାଯାଇଥିଲା। ଏଥିରେ ଛତିଶଗଡ଼ର ବୈଷୟିକ ଟିମ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସେପ୍‌ ଫାଇଲ (ଭୌଗୋଳିକ ଆକାର)ରେ ଅସଙ୍ଗତି ଥିବା ଜଣାପଡ଼ିଥିଲା। ଏହାକୁ ଜିଆଇଏସ୍‌ ଜରିଆରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଅଧିକ ବୈଷୟିକ ସୂଚନା ବା ଇନ୍‌ପୁଟ୍‌ର ଆବଶ୍ୟକତା ରହିଥିବାରୁ ଆଗାମୀ ଦିନରେ ଆସେସରଙ୍କ ଆଉ ଏକ ବୈଠକ ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର