ମହାନଦୀ ପ୍ରସଙ୍ଗରେ ସଂସଦରେ ହଙ୍ଗାମା

ଉଭୟ ଗୃହରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାଣିଶୁଣି ମହାନଦୀ ଟ୍ରିବ୍ୟୁନାଲ ଗଠନ କରୁନଥିବାରୁ ଏହାର ପ୍ରତିବାଦ କରି ବିଜୁ ଜନତା ଦଳ (ବିଜେଡି)ର ସାଂସଦମାନେ ଆଜି ସଂସଦ ବାହାରେ ଓ ଭିତରେ ଜୋରଦାର୍‌ ହଙ୍ଗାମା କରିଛନ୍ତି। କେନ୍ଦ୍ରର ଆଭିମୁଖ୍ୟର ତୀବ୍ର ସମାଲୋଚନା କରିବା ସହିତ ଆଗକୁ ଆହୁରି ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେମାନଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ସଂସଦର ଉଭୟ ଗୃହରେ ଅଗ୍ରାହ୍ୟ ହୋଇଯିବାରୁ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଓଡ଼ିଶା ପ୍ରତି ଏପରି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକଠୋକ ଜଣାଇଦେଇଥିଲେ। ବିଜେଡି ସାଂସଦଙ୍କୁ ତୃଣମୂଳ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ମଧ୍ୟ ସମର୍ଥନ ଜଣାଇଥିଲେ। ତେବେ ଅନ୍ୟ ଫୋରମରେ ନୋଟିସ ଆଣିଲେ ଏହା ଉପରେ ବିଚାର କରାଯିବ ବୋଲି ରାଜ୍ୟସଭାରେ ଅଧ୍ୟକ୍ଷ ଏବଂ ଲୋକସଭାରେ ବାଚସ୍ପତି ଆଶ୍ୱାସନା ଦେବା ପରେ ମହାନଦୀ ଆଲୋଚନା ନେଇ ସମ୍ଭାବନା ଦେଖାଦେଇଛି।

ଲୋକସଭାରେ ଆଜି ପ୍ରଶ୍ନକାଳ ସମୟରେ ବିଜେଡି ସଭ୍ୟମାନେ ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନିଜ ଆସନରେ ଠିଆ ହୋଇଥିଲେ। ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତୀନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ। ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ମହାନଦୀ ପ୍ରସଙ୍ଗ ଉଠାଇ ଆଲୋଚନା କରିବାକୁ ଦାବି କରିଥିଲେ। ହେଲେ ବାଚସ୍ପତି ସୁମିତ୍ରା ମହାଜନ ମହତାବଙ୍କୁ ପ୍ରଶ୍ନକାଳ ଶେଷ ହେବାପରେ ଅନୁମତି ଦେବେ ବୋଲି କହିଥିଲେ। ଏହାର ବିରୋଧ କରି ବିଜେଡିର ସମସ୍ତ ସାଂସଦ ନିଜନିଜ ଆସନରେ ଠିଆହୋଇ ହୋହଲ୍ଲା କରିଥିଲେ।

ଶୂନ୍ୟକାଳ ଆରମ୍ଭ ହେବାପରେ ପୁଣିଥରେ ବିଜେଡି ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ମୁଲତବୀ ନୋଟିସ ଜରିଆରେ ଆଲୋଚନା ଆରମ୍ଭ କରାଯାଉ ବୋଲି ସେମାନେ ଅଡ଼ି ବସିଥିଲେ। ବାଚସ୍ପତି ତୃତୀୟ ଥର ପାଇଁ ଆଜି ବିଜେଡିର ମୁଲତବୀ ନୋଟିସକୁ ଅଗ୍ରାହ୍ୟ କରିଦେଇଥିଲେ। କିନ୍ତୁ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବଙ୍କୁ କହିବାପାଇଁ ସୁଯୋଗ ଦେଇଥିଲେ। କେନ୍ଦ୍ରକୁ ଟାର୍ଗେଟ କରି ମହତାବ କହିଥିଲେ ଯେ ଓଡ଼ିଶା ପ୍ରତି ମୋଦି ସରକାର ବିଶ୍ୱାସଘାତକତା କରୁଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦରେ କେନ୍ଦ୍ର ଆଦୌ ନିରପକ୍ଷେ ଭୂମିକା ଗ୍ରହଣ କରୁନାହିଁ। ମହାନଦୀ ଟ୍ରିବୁନାଲ ଗଠନ କରିବା ଲାଗି କେନ୍ଦ୍ର ପ୍ରତିଶ୍ରୁତି ଦେଇ ସେଥିରୁ ଓହରିଯିବା ଘଟଣା ହେଉଛି ଏହାର ବଡ଼ ପ୍ରମାଣ। ଆନ୍ତଃରାଜ୍ୟ ନଦୀ ବିବାଦ ଆଇନ ଅନୁସାରେ ଅଭିଯୋଗକାରୀ ରାଜ୍ୟ ଆବେଦନ କରିବାର ଏକ ମାସ ମଧ୍ୟରେ କେନ୍ଦ୍ର ଟ୍ରିବୁନାଲ ଗଠନ କରିବାକୁ ବାଧ୍ୟ। କିନ୍ତୁ କେନ୍ଦ୍ର ଏହି ଆଇନ ମଧ୍ୟ ମାନୁନାହିଁ। ଏଥିପାଇଁ କେନ୍ଦ୍ର ଯେଉଁ ଯୁକ୍ତି ଦର୍ଶାଉଛି ତାହା ଗ୍ରହଣୀୟ ନୁହେଁ। କେନ୍ଦ୍ରକୁ ଟ୍ରିବୁନାଲ ଗଠନ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ସେହିପରି ରାଜ୍ୟସଭାରେ ମଧ୍ୟ ବିଜେଡିର ସଭ୍ୟମାନେ ନିଜ ଆସନରେ ଠିଆ ହୋଇ ମୁଲତବୀ ପ୍ରସ୍ତାବ ଜରିଆରେ ଆଲୋଚନା କରିବାକୁ ଦାବି କରିଥିଲେ। ରାଜ୍ୟସଭାରେ ବିଜେଡି ନେତା ଦୀଲିପ ତିର୍କୀ ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କୁ ତାଙ୍କ ଦଳ ଦ୍ୱାରା ଯେଉଁସବୁ ନୋଟିସ ଦିଆଯାଇଛି ସେଗୁଡ଼ିକୁ ବିଚାରକୁ ନେଇ ଆଲୋଚନାର ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ। ମହାନଦୀ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଥିବାରୁ ବିଳମ୍ବ କରାନଯାଇ ଶୀଘ୍ର ଆଲୋଚନା କରାଯାଉ ବୋଲି ଦୀଲିପ ତିର୍କୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ମୁଲତବୀ ନୋଟିସକୁ ଅଧ୍ୟକ୍ଷ ଅଗ୍ରାହ୍ୟ କରିଦେଇ କହିଥିଲେ ଯେ ଅନ୍ୟ ଫୋରମ ମାଧ୍ୟମରେ ନୋଟିସ ଆସିଲେ ଏହା ଉପରେ ଆଲୋଚନା ଲାଗି ଅନୁମତି ଦେବାକୁ ସେ ବିଚାର କରିବେ। ତାଙ୍କର ଆଶ୍ୱାସନା ବିଜେଡି ସଭ୍ୟମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଥିବା ଦେଖାଯାଇଥିଲା।

ଗାନ୍ଧୀ ମୂର୍ତ୍ତି ସାମ୍ନାରେ ସାଂସଦଙ୍କ ଧାରଣା

ଆଜି ବିଜେଡିର ଲୋକସଭା ଓ ରାଜ୍ୟସଭାର ୧୯ ଜଣ ସାଂସଦ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ। ହାତରେ ପ୍ଲାକାର୍ଡ ଧରି ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ କେନ୍ଦ୍ର ସରକାର କରୁଥିବା ଟାଳଟୁଳ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ ଓ ଏନଡିଏ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି ଏବଂ ଜାଣିଶୁଣି କେନ୍ଦ୍ର ସରକାର ଓଡ଼ିଶାର ନ୍ୟାଯ୍ୟ ଦାବିକୁ ଅଣଦେଖା କରୁଛନ୍ତି ବୋଲି ପ୍ରତିବାଦ କରୁଥିବା ବିଜେଡି ସାଂସଦମାନେ ଅଭିଯୋଗ କରିଥିଲେ। ଓଡ଼ିଶା ପ୍ରତି ଜାଣିଶୁଣି କେନ୍ଦ୍ର ସରକାର ଅବିଚାର କରୁଛନ୍ତି ଏବଂ ଛତିଶଗଡ଼ର ବିଜେପି ସରକାରଙ୍କୁ ସିଧାସଳଖ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଶେଷ କରିବାପାଇଁ ସୁଯୋଗ ଦେଉଥିବା ବିଜେଡି ସାଂସଦମାନେ ଧାରଣା ସ୍ଥଳରେ କହିଥିଲେ। କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ଓଡ଼ିଶାବାସୀ କେବେହେଲେ ବରଦାସ୍ତ କରିବେନାହିଁ ବୋଲି ସେମାନେ ଚେତାଇ ଦେଇଥିଲେ। କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ପର୍ଯ୍ୟନ୍ତ ଧାରଣା,ପ୍ରତିବାଦ, ପ୍ରଦର୍ଶନ ଓ ଆନ୍ଦୋଳନ ଜାରି ରହିବ ବୋଲି ସାଂସଦମାନେ କହିଥିଲେ।
ତେବେ ନବଦିଗନ୍ତ ଚିଟ୍‌ଫଣ୍ଡ୍‌ ମାମଲାର ଅଭିଯୁକ୍ତ ମୟୂରଭଞ୍ଜର ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ବିଜେଡିର ସାଂସଦମାନଙ୍କ ଧାରଣାରେ ଯୋଗ ଦେଇନଥିଲେ। କିନ୍ତୁ ହାଁସଦା ଲୋକସଭାରେ ବିଜେଡି ସାଂସଦମାନଙ୍କ ଦ୍ୱାରା ଗୃହରେ ପ୍ରତିବାଦ କରିବା ସମୟରେ ସାମିଲ୍‌ ଥିଲେ। ଧାରଣାରେ ସାଂସଦ ହାଁସଦାଙ୍କ ଅନୁପସ୍ଥିତିର କାରଣ ସମ୍ପର୍କରେ ବିଜେଡିର ଜଣେ ସାଂସଦଙ୍କୁ ପଚରାଯିବାରୁ ସେ କହିଥିଲେ ସିବିଆଇ କୋର୍ଟ ସାଂସଦ ହାଁସଦାଙ୍କୁ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗଦେବାପାଇଁ ୫ ଦିନର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସେ କୌଣସି ପ୍ରକାର ସଭା ସମିତି, ବିକ୍ଷୋଭ, ଆନ୍ଦୋଳନ ଓ ପ୍ରତିବାଦରେ ଯୋଗ ଦେଇପାରିବେନି ବୋଲି ସିବିଆଇ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର