ମହାନଦୀ ଜଳ ବିବାଦ: ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ, ମାର୍ଚ୍ଚ ୯ରେ ଚୂଡାନ୍ତ ରାୟ

ନୂଆଦିଲ୍ଲୀ: ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳବିବାଦ ମାମଲାର ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଆଜି ମହାନଦୀ ଟ୍ରିବ୍ୟୁନାଲ୍‌ରେ ହୋଇଛି। ଗତ ଅକ୍ଟୋବର ମାସରେ ଓଡ଼ିଶା ପକ୍ଷରୁ କରାଯାଇଥିବା ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି। ଏହି ମାମଲାର ଚୂଡାନ୍ତ ରାୟ ଆସନ୍ତା ମାର୍ଚ୍ଚ ୯ ତାରିଖରେ ପ୍ରକାଶ ପାଇବ।

୨୦୧୮ ଅକ୍ଟୋବରରେ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲରେ ମଧ୍ୟବର୍ତ୍ତୀକାଳୀନ ଆବେଦନ କରାଯାଇ ମହାନଦୀରେ ଛତିଶଗଡ଼ ପକ୍ଷରୁ କରାଯାଇଥିବା ୬ଟି ବ୍ୟାରେଜ୍‌ର ନିର୍ମାଣ ଉପରେ ରୋକ ଲଗାଯିବା ସହ ଓଡ଼ିଶାକୁ ମହାନଦୀରୁ ୧.୭୪ ଏମ୍‌ଏଫ୍‌ ଜଳ ଛାଡିବାକୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରାଯାଇଥିଲା।

ଜଷ୍ଟିସ୍‌ ଏ.ଏମ୍‌.ଖାନ୍‌ଓ୍ଵିଲ୍‌କରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏ ପ୍ରସଙ୍ଗରେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଆଗାମୀ ୨ ସପ୍ତାହ ମଧ୍ୟରେ ଲିଖିତ ଭାବେ ଏ ସଂପର୍କିତ ସବିଶେଷ ତଥ୍ୟ ଦାଖଲ କରିବା ଲାଗି ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟ୍ରିବ୍ୟୁନାଲ୍‌ ଦୁଇ ରାଜ୍ୟର ବୈଷୟିକ ଦଳ ବିଚାର ବିମର୍ଷ ମାଧ୍ୟମରେ ଏହି ବିବାଦର ସମାଧାନ ଲାଗି ଅନ୍ତରୀଣ ବ୍ୟବସ୍ଥା କରିବାକୁ କହିଛନ୍ତି। ଏହା ପରେ ମାର୍ଚ୍ଚ ୯ରେ ଟ୍ରିବ୍ୟୁନାଲ୍‌ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ।

ସମ୍ବନ୍ଧିତ ଖବର