ମହାନଦୀ ଜଳବିବାଦ ପ୍ରସଙ୍ଗ: କୌଣସି ପ୍ରକଳ୍ପକୁ ମଂଜୁରି ଦିଆଯାଇନାହିଁ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୋମବାର ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ମହାନଦୀ ଶଯ୍ୟାରେ ଯେକୌଣସି ବିବାଦର ସମାଧାନ ଲାଗି ଏହି ଟ୍ରିବ୍ୟୁନାଲର କ୍ଷମତା ରହିଛି । ମହାନଦୀ ଶଯ୍ୟାର ତଳମୁଣ୍ଡରେ ଥିବା ଓଡ଼ିଶାର ଦାବି ପୂରଣ, ମହାନଦୀ ଶଯ୍ୟାରେ ରହିଥିବା ସବୁ ରାଜ୍ୟର ପ୍ରକଳ୍ପ ଯୋଜନା ପ୍ରସ୍ତୁତି ଆଦି ପ୍ରସଙ୍ଗ ଟ୍ରିବ୍ୟୁନାଲର ଅନୁମତିକ୍ରମେ କାର୍ଯ୍ୟକାରୀ ହୋଇପାରିବ ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହାନଦୀ ଶଯ୍ୟାରେ ଯେକୌଣସି ପ୍ରକଳ୍ପର ବୈଷୟିକ-ଆର୍ଥିକ ମଞ୍ଜୁରି ପାଇଁ ଟ୍ରିବ୍ୟୁନାଲଙ୍କ ଠାରୁ ଆଗୁଆ ସହମତି ଆଣିବା ଜରୁରି । ତେବେ ସେହି ସବୁ ପ୍ରକଳ୍ପ ପାଇଁ ବୈଷୟିକ-ଆର୍ଥିକ ମଞ୍ଜୁରି ପ୍ରଦାନ କରାଯାଇ ପାରିବ, ଯେଉଁଥିରେ ଟ୍ରିବ୍ୟୁନାଲଙ୍କ ଠାରୁ ଆଗୁଆ ସହମତି ଆଣି ନଦୀ ଶଯ୍ୟାରେ ଥିବା ରାଜ୍ୟମାନେ ଏକ ରାଜିନାମା ଅଧୀନରେ ଅନୁବନ୍ଧିତ ହୋଇଥିବେ ।  ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହେବା ପରେ ମହାନଦୀ ଶଯ୍ୟାରେ ଥିବା ରାଜ୍ୟମାନଙ୍କ ନିକଟରୁ ଏପରି କୌଣସି ଆବେଦନ କେନ୍ଦ୍ର ଜଳ ଆୟୋଗଙ୍କୁ ମିଳିନାହିଁ, ଯେଉଁଥିରେ କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଟ୍ରିବ୍ୟୁନାଲଙ୍କ ପ୍ରାରମ୍ଭିକ ସହମତି ରହିଥିବ । ତେଣୁ ମହାନଦୀ ପ୍ରସଙ୍ଗରେ ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକଳ୍ପ ମଞ୍ଜୁରି ପ୍ରଦାନ କରାଯାଇନାହିଁ । ମହାନଦୀ ଜଳ ବିବାଦ ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା କେବଳ ଟ୍ରିବ୍ୟୁନାଲଙ୍କ ନିକଟରେ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର