ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ସତ୍ତ୍ୱେ ବିଳମ୍ବରେ ହୋଇପାରେ ଶୁଣାଣି !

ନୂଆଦିଲ୍ଲୀ : ମହାନଦୀ ଜଳବିବାଦର ସମାଧାନ ପାଇଁ ଚଳିତ ମାସ ୧୨ ତାରିଖରେ କେନ୍ଦ୍ର ସରକାର ତିନିଜଣିଆ ଟ୍ରିବ୍ୟୁନାଲ ଗଠନ କରିବା ସତ୍ତ୍ୱେ ମଧ୍ୟ ଟ୍ରିବ୍ୟୁନାଲରେ କେବେଠାରୁ ମାମଲାର ନିୟମିତ ଶୁଣାଣି ହେବ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଟ୍ରିବ୍ୟୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିବ। ତେବେ ନୂଆଦିଲ୍ଲୀର କେଉଁ ସ୍ଥାନରେ ଟ୍ରିବ୍ୟୁନାଲ୍‌ର ମୁଖ୍ୟାଳୟ ସ୍ଥାପନ ହେବ ସେନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଦ୍ୱାରା ନିଷ୍ପତ୍ତି ନିଆଯିବ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଦ୍ୱାରା କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟକୁ ମଧ୍ୟ ଏନେଇ ପତ୍ର ଲେଖାଯିବ।

ବର୍ତ୍ତମାନ ଏହି ପ୍ରକ୍ରିୟା କେଉଁ ପର୍ଯ୍ୟାୟରେ ଅଛି ସେନେଇ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଦିଲ୍ଲୀର ବାବା ଖଡ଼କ୍‌ସିଂହ ମାର୍ଗ ସ୍ଥିତ ମୋହନ ସିଂହ ପ୍ଲେସ୍‌ ନଚେତ୍‌ ବିକାଜୀ କାମା ପ୍ଲେସ୍‌ର ତ୍ରିକୁଟ୍‌-୧ରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ମୁଖ୍ୟାଳୟ ପାଇଁ ମନ୍ତ୍ରାଳୟ ଯୋଜନା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଉପରୋକ୍ତ ଦୁଇଟି ସ୍ଥାନରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଏବଂ କାବେରୀ ଜଳବିବାଦ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଶେଷହେବା ତଥା ରିପୋର୍ଟ ପ୍ରଦାନ କରିବାପରେ ହିଁ ମହାନଦୀ ଟ୍ରିବ୍ୟୁନାଲ୍‌ ପାଇଁ ଗୋଟିଏ ସ୍ଥାନ ଚୁଡ଼ାନ୍ତ କରାଯିବ। ତେବେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ମୁଖ୍ୟାଳୟ, ଟ୍ରିବ୍ୟୁନାଲ୍‌ର ଭିତ୍ତିଭୂମି ପ୍ରତିଷ୍ଠା ଏବଂ କର୍ମଚାରୀ ନିଯୁକ୍ତି ଭଳି ପ୍ରସଙ୍ଗ ପାଇଁ ଅନ୍ୟୁନ ୪ରୁ ୫ ମାସ ସମୟ ଲାଗିପାରେ ବୋଲି ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ମାମଲା ପରିଚାଳନା କରିଥିବା ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି। ତେବେ ସବୁକିଛି କେନ୍ଦ୍ର ସରକାରଙ୍କ ତତ୍ପରତା ଉପରେ ନିର୍ଭର କରୁଛି।

ଅପରପକ୍ଷେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ରୂପେ ସୁପ୍ରିମକୋର୍ଟର ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲକର ଏବଂ ଦୁଇ ସଦସ୍ୟ ରୂପେ ପାଟ୍‌ନା ହାଇକୋର୍ଟର ବିଚାରପତି ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦରମିତ କୌର ନିଯୁକ୍ତ ହୋଇଛନ୍ତି। ଟ୍ରିବ୍ୟୁନାଲ୍‌ରେ ଶୁଣାଣି ଆରମ୍ଭ ହେଲେ ଓଡ଼ିଶା ନିଜ ପକ୍ଷ ରଖିବା ସହ ଛତିଶଗଡ଼ର ନିର୍ମାଣଦିନ ପ୍ରକଳ୍ପ ବନ୍ଦ କରିବାପାଇଁ ଆବେଦନ କରିବ ବୋଲିି ମାମଲା ପରିଚାଳନା କରୁଥିବା ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତବର୍ଷ ଜାନୁଆରି ୨୩ରେ ମାସକ ମଧ୍ୟରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତମାସ ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ ଦ୍ୱାରା ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାର ନିଷ୍ପତ୍ତି ନିଆଯାଇଥିଲା। ମହାନଦୀରେ କେତେ ଜଳ ପ୍ରବାହିତ ହେଉଛି ତା’ର ସମୀକ୍ଷା ସହ ମହାନଦୀ ଅବବାହିକାରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଜଳର ଆବଣ୍ଟନ ତଥା ଭବିଷ୍ୟତ ବିକାଶ କାର୍ଯ୍ୟପନ୍ଥା ସମ୍ପର୍କରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତିରେ କୁହାଯାଇଥିଲା। ଏହାପରେ ଚଳିତ ମାସ ୧୨ ତାରିଖରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ଦୁଇ ସଦସ୍ୟଙ୍କ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିଦ୍ଧିବଦ୍ଧ ଭାବେ ଜାରି କରିଥିଲେ।

ସମ୍ବନ୍ଧିତ ଖବର