ମହାନଦୀ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ନେଇ ଜାରି ହୋଇନି ବିଜ୍ଞପ୍ତି “: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଖୁବ୍‌ଶୀଘ୍ର!

ନୂଆଦିଲ୍ଲୀ : ମହାନଦୀ ହେଉ କି ବଂଶଧାରା, ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟର ଜଳବିବାଦର ସମାଧାନ ଟ୍ରିବ୍ୟୁନାଲ ନିକଟରେ ଅଟକି ରହିଛି। ଗୋଟିଏପଟେ ବଂଶଧାରାର ଶୁଣାଣି ଶେଷ ହେବା ସହିତ ରାୟକୁ ସଂରକ୍ଷିତ ରଖାଯାଇଥିବାବେଳେ ଅନ୍ୟପଟେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ପ୍ରଥମ ତିନିବର୍ଷର ଅବଧି ଶେଷ ହୋଇଛି। କିନ୍ତୁ, ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ୍‌ର ଅବଧି ବୃଦ୍ଧି ସଂପର୍କିତ ବିଜ୍ଞପ୍ତି ଜାରି ହୋଇନାହିଁ। ତେବେ, ଆସନ୍ତାମାସ ୧୦ ତାରିଖରେ ଏହି ମାମଲାର ୨୧ତମ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି। ୨୦୧୮ ଜାନୁୟାରୀ ୨୩ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିବର୍ଷ ଫେବ୍ରୁଆରି ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ ଟ୍ରିବ୍ୟୁନାଲ ଗଠନକୁ ଅନୁମୋଦନ କରିଥିଲେ। ଆନ୍ତଃରାଜ୍ୟ ଜଳ ବିବାଦ ଆଇନ, ୧୯୫୬ର ନିୟମ ଅନୁସାରେ ଟ୍ରିବ୍ୟୁନାଲ ୩ ବର୍ଷ ମଧ୍ୟରେ ଏହାର ରିପୋର୍ଟ ଓ ନିଷ୍ପତ୍ତି ଦାଖଲ କରିବେ। କୌଣସି ଅନିବାର୍ଯ୍ୟ କାରଣ ଯୋଗୁଁ ଆବଶ୍ୟକ ହେଲେ ଏହି ଅବଧିକୁ ଅତି ବେଶୀରେ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ମଧ୍ୟ ଉଲ୍ଲେଖ ଥିଲା।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଟ୍ରିବ୍ୟୁନାଲର ଅବଧି ଶେଷ ହେବା ତଥା ଏହାର କାର୍ଯ୍ୟକାଳକୁ ବୃଦ୍ଧି କରିବା ପାଇଁ ଟ୍ରିବ୍ୟୁନାଲଙ୍କ ପକ୍ଷରୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟକୁ ପତ୍ର ଲେଖାଯାଇଥାଏ। ହେଲେ ଟ୍ରିବ୍ୟୁନାଲ ଦ୍ବାରା ଅବଧି ବୃଦ୍ଧି ପାଇଁ ପତ୍ର ଲେଖାଯାଇଛି କି ନାହିଁ ସେ ସଂପର୍କରେ କୌଣସି ସୂଚନା ମିଳିପାରି ନଥିବା ଜଣାପଡ଼ିଛି। ତେବେ, ଏ ନେଇ ମନ୍ତ୍ରାଳୟ ସ୍ବତଃ ପଦକ୍ଷେପ ନେଇପାରନ୍ତି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଅପରପକ୍ଷେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଂଶଧାରା ଜଳବିବାଦ ମାମଲାର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲର ସମୟ ଅବଧିକୁ ପ୍ରଥମ ତିନିବର୍ଷ ପରେ ବର୍ଷେ ଲେଖାଏଁ ବୃଦ୍ଧି କରାଯାଇଛି। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର ଗଠନର ତାରିଖ ସେପ୍ଟେମ୍ବର ୧୭,୨୦୧୨କୁ ସୁପ୍ରିମକୋର୍ଟ ମୋହର ଲଗାଇବା ପରେ ସେପ୍ଟେମ୍ବର ୧୭,୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଛଅ ଥର ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ, ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ସେପ୍ଟେମ୍ବର ୧୩, ୨୦୧୭ରେ ଚୂଡ଼ାନ୍ତ ରାୟ ପ୍ରଦାନ କରିଥିଲେ। ହେଲେ, ରାୟକୁ କାର୍ଯ୍ୟକାରୀ ହେବା ପୂର୍ବରୁ କେନ୍ଦ୍ର ସରକାର ଓ ଓଡ଼ିଶା ପକ୍ଷରୁ ସ୍ପଷ୍ଟୀକରଣ ଲୋଡ଼ାଯିବାରୁ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ଆରମ୍ଭ ହୋଇଥିଲା। ଚଳିତ ମାସ ପ୍ରଥମ ସପ୍ତାହରେ ଏହି ଶୁଣାଣି ଶେଷ ହେବା ସହିତ ରାୟକୁ ସଂରକ୍ଷିତ ରଖାଯାଇଛି। ଏହି ପରିପେକ୍ଷୀରେ ଯଦିଓ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ହେବା ଏକପ୍ରକାର ନିଶ୍ଚିତ, କେବେ ବିଜ୍ଞପ୍ତି ପ୍ରକାଶ ପାଇବ ସେ ନେଇ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର