ଚାଲିଲା ମହାନଦୀ ଟ୍ରିବ୍ୟୁନାଲ : ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ୍‌

ଅଗଷ୍ଟ ୬ ସୁଦ୍ଧା ପ୍ରତିନିଧି ମନୋନୀତ କରିବାକୁ ନିର୍ଦେଶ, ପ୍ରତିନିଧି ନ ପଠାଇଲେ ସଂପୃକ୍ତ ରାଜ୍ୟ ଅନୁପସ୍ଥିତ ବୋଲି ଧରାଯିବ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ପାଇଁ ନିଜ ନିଜର ପ୍ରତିନିଧିମାନଙ୍କୁ ମନୋନୀତ କର। ଆଜି ଟ୍ରିବ୍ୟୁନାଲ୍‌ ପକ୍ଷରୁ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଏଭଳି ୫ଟି ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏଥିସହିତ ମହାନଦୀ ଟ୍ରିବ୍ୟୁନାଲ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି। ଆସନ୍ତା ଅଗଷ୍ଟ ୬ ସୁଦ୍ଧା ପ୍ରତିନିଧି ମନୋନୟନ କାର୍ଯ୍ୟ ଚୂଡ଼ାନ୍ତ କରିବା ପାଇଁ ନୋଟିସ୍‌ରେ କୁହାଯାଇଛି। ନୋଟିସ୍‌ରେ ଟ୍ରିବ୍ୟୁନାଲ ଆରମ୍ଭରୁ ସ୍ପଷ୍ଟ କରିଛନ୍ତି ଯେ ଶେଷ ତାରିଖ ସୁଦ୍ଧା କୌଣସି ରାଜ୍ୟ ନିଜର ପ୍ରତିନିଧି ପଠାଇବାରେ ବିଫଳ ହେଲେ ଉକ୍ତ ରାଜ୍ୟ ଅନୁପସ୍ଥିତ ରହିଲା ବୋଲି ବିଚାର କରାଯିବ। ସଂପୃକ୍ତ ରାଜ୍ୟର ପ୍ରତିନିଧିଙ୍କ ଅନୁପସ୍ଥିତି ସତ୍ତ୍ୱେ ମାମଲାର ଫଇସଲା କରାଯିବ।

ଉଲ୍ଲେଖଯୋଗ୍ୟ, ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ ଏମ୍‌ ଖାନଓ୍ଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଡକ୍ଟର ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦରମିତ୍‌ କୌର କୋଚର ସଦସ୍ୟ ଅଛନ୍ତି।

କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗତ ଏପ୍ରିଲ ୧୭ରେ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟଙ୍କୁ ସର୍ତ୍ତାବଳୀ ଓ ଦସ୍ତାବିଜ ହସ୍ତାନ୍ତର କରାଯାଇଥିଲା। ମେ’ ୧୭ ତାରିଖରେ କେନ୍ଦ୍ର ଜଳସମ୍ପଦ ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ଦ୍ୱାରା ଟ୍ରିବ୍ୟୁନାଲ୍‌କୁ ପରାମର୍ଶ ଦେବାପାଇଁ ଦୁଇଜଣ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାନେଇ ଆବେଦନ ଆମନ୍ତ୍ରଣ କରାଯାଇଛି। ଆବେଦନର ଶେଷ ତାରିଖ ଜୁଲାଇ ୧୮ ତାରିଖ ରହିଛି। ଟ୍ରିବ୍ୟୁନାଲ୍‌ର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିଛି।

କାବେରୀ ଜଳବିବାଦ ମାମଲାର ଶୁଣାଣି ହେଉଥିବା ସ୍ଥାନରେ ତଥା ଜନପଥର ଓଲ୍ଡ ଇଣ୍ଡିଆନ ଅଏଲ ବିଲ୍ଡିଙ୍ଗରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ମୁଖ୍ୟାଳୟ ପାଇଁ ମନ୍ତ୍ରାଳୟ ଯୋଜନା କରୁଥିବା ଜଣାପଡ଼ିଛି। ସ୍ମରଣଯୋଗ୍ୟ, ଟ୍ରିବ୍ୟୁନାଲ ଗଠନ ଦାବି କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲେ। ଗତ ଜାନୁଆରି ୨୩ରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର