ନୂଆଦିଲ୍ଲୀ: ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ ପାଇଁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏମ୍‌ ଖାନୱିଲକରଙ୍କ ‌ନେତୃତ୍ବ‌ରେ ଜଷ୍ଟିସ୍‌ ରବି ରଞ୍ଜନ, ଜଷ୍ଟିସ୍‌ ଇନ୍ଦରମିତ କୌର ‌କୋଚ୍ଚରଙ୍କ ସମେତ ୫୦ ଜଣିଆ ପ୍ରତିନିଧିମଣ୍ଡଳ ଚଳିତ ମାସ ୧୯ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ। ମେ ୨୦ରେ ଟ୍ରିବ୍ୟୁନାଲ ପ୍ରଥମେ ହୀରାକୁଦ ନଦୀବନ୍ଧ ଦେଖିବେ ଓ ମେ ୨୮ରେ ମହାନଦୀ ଡେଲ୍‌ଟା ରିଭର୍‌ ସିଷ୍ଟମ୍‌ ( ଦୟା, ଭାର୍ଗବୀ ଓ କୁଶଭଦ୍ରା) ପରିଦର୍ଶନରେ ଗସ୍ତ ଶେଷ ହେବ।

Advertisment

ଜଳ ବିବାଦର ବିଚାର ପ୍ରକ୍ରିୟା ଆରମ୍ଭ ‌ପୂର୍ବରୁ ଟ୍ରିବ୍ୟୁନାଲଙ୍କ ଏହି ଗସ୍ତ ବିଶେଷ ଗୁରୁତ୍ବ ବହନ କରୁଛି। ପ୍ରସ୍ତାବିତ ୯ ଦିନିଆ ଗସ୍ତ କାଳରେ ଟ୍ରିବ୍ୟୁନାଲ ପାଖାପାଖି ୩୦ଟି ସ୍ଥାନ ପରିଦର୍ଶନ କରିବେ। ମେ ୨୬ରେ ଗୋଟିଏ ଦିନ ଟ୍ରିବ୍ୟୁନାଲ ବିରତି ନେବେ। ଉକ୍ତ ଦିନ ଟ୍ରିବ୍ୟୁନାଲଙ୍କ ପ୍ରତିନିଧିମଣ୍ଡଳ ପୁରୀ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କାଳରେ ୧୫ଟି ସ୍ଥାନ ପରିଦର୍ଶନ ପାଇଁ ଛତିଶଗଡ଼ ପକ୍ଷରୁ ଇଚ୍ଛା ପ୍ରକାଶ କରାଯାଇଥିଲା। ତଦନୁସାରେ ଗସ୍ତସୂଚୀରେ ଚିଲିକା ହ୍ରଦ, ନଦୀ ମୁହାଣ, ବିରୁପା ବ୍ୟାରେଜ୍‌, ମହାନଦୀ ବ୍ୟାରେଜ୍‌, ଟିକରପଡା ଡ୍ୟାମ ସାଇଟ୍‌, ଅପର ଜଙ୍କ ଡ୍ୟାମ, ପ୍ରସ୍ତାବିତ ଇବ୍ ଡ୍ୟାମ ପ୍ରକଳ୍ପ ସ୍ଥଳ, ଚିପିଲିମା ପାୱାର‌ ଷ୍ଟେସନ ଆଦିକୁ ସାମିଲ କରାଯାଇଛି। ଟ୍ରିବ୍ୟୁନାଲଙ୍କ ଗସ୍ତ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ମହାନଦୀରେ ବର୍ଷାଜଳ ପ୍ରବାହ, ଗଚ୍ଛିତ ଜଳର ପରିମାଣ, ଗ୍ରୀଷ୍ମଋତୁରେ ମହାନଦୀରେ କେତେ ଜଳ ଉପଲବ୍ଧ ହେଉଛି ସେ ନେଇ ଏକ ବିସ୍ତୃତ ରିପୋର୍ଟ ଟ୍ରିବ୍ୟୁନାଲଙ୍କୁ ପ୍ରଦାନ କରିବା ଯୋଜନା ରହିଛି। ଟ୍ରିବ୍ୟୁନାଲ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ରେ ମହାନଦୀର ଉପରମୁଣ୍ଡର କ୍ଷେତ୍ର ପରିଦର୍ଶନ କରିସାରିଛନ୍ତି।