ଏନ୍‌ଜିଟିରେ ମହାନଦୀ ଜଳବିବାଦ ମାମଲା : ଚୂଡ଼ାନ୍ତ ଶୁଣାଣି ଅଗଷ୍ଟ ୨୦ରେ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ପ୍ରିନ୍ସପାଲ୍‌ ବେଞ୍ଚ୍‌ରେ ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ୪ ଜଣିଆ ଖଣ୍ଡପୀଠରେ ଆଜି ମହାନଦୀ ଜଳବିବାଦ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ଛତିଶଗଡ଼ ସରକାରଙ୍କ ଓକିଲ ଅତୁଲ୍‌ ଝା ମୂଳ ଆବେଦନକାରୀଙ୍କ ପିଟିସନ୍‌କୁ ଉଦ୍ଦେଶ୍ୟମୂଳକ ଓ ପ୍ରକ୍ସି ଲିଟିଗେସନ୍‌ ବୋଲି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯେତେବେଳେ ଓଡ଼ିଶା ସରକାରଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ଆଦେଶ ଦେଇଛନ୍ତି ସେ କ୍ଷେତ୍ରରେ ଏଭଳି ପିଟିସନ୍‌ର କୌଣସି ଔଚିତ୍ୟ ରହୁନାହିଁ ବୋଲି ସେ କହିଥିଲେ। ସେ ପୁଣି ପ୍ରଶ୍ନ କରିଥିଲେ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଗଠନ ହୋଇଯିବାପରେ ଏହି ମାମଲାକୁ ନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିବା କେତେଦୁର ଯୁକ୍ତିଯୁକ୍ତ। ଉଲ୍ଲେଖଯୋଗ୍ୟ ମହାନଦୀ ଜଳବିବାଦ ମାମଲାରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ରେ ମୂଳ ଆବେଦନକାରୀ ହେଉଛନ୍ତି ସୂଦର୍ଶନ ଦାସ। ଓଡ଼ିଶା ସରକାରଙ୍କ ଦ୍ୱାରା ଆବେଦନକାରୀଙ୍କ ଜରିଆରେ ପ୍ରକ୍ସି ଲିଟିଗେସନ୍‌ର ସାହାରା ନିଆଯାଉଛି ବୋଲି ଅତୁଲ୍‌ ଝା କହିଥିଲେ। ଆବେଦନକାରୀଙ୍କ ଓକିଲ ରିତ୍ତିକ ଦତ୍ତ କହିଥିଲେ ଯେ ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମାମଲାରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦ୍ୱାରା ସମସ୍ତ ନଥିପତ୍ର ଦାଖଲ କରାଯାଇଥିବାରୁ ମାମଲାର ଚୁଡ଼ାନ୍ତ ଶୁଣାଣି କରି ଟ୍ରିବ୍ୟୁନାଲ୍‌ ମାମଲାକୁ ଡିସପୋଜ୍‌ ଅଫ କରିଦିଅନ୍ତୁ ବୋଲି ସେ କହିଥିଲେ। ଆସନ୍ତା ଅଗଷ୍ଟ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବାରୁ ଆବେଦନକାରୀ ଓ ଅନ୍ୟ ପକ୍ଷଙ୍କୁ ମାମଲା ସମ୍ପର୍କିତ ରେକର୍ଡ ଅଗଷ୍ଟ ୨୦ ପୂର୍ବରୁ ଦାଖଲ କରିବାପାଇଁ ବେଞ୍ଚ୍‌ ନିର୍ଦ୍ଦେଶ ଦେଇଥିଲେ।

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଶୁଣାଣି : ଓଡ଼ିଶା ମନୋନୀତ କଲା ୨ ପ୍ରତିନିଧି

ନୂଆଦିଲ୍ଲୀ : ଗତ ଜୁନ୍‌ ମାସ ୩୦ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରି ଟ୍ରିବ୍ୟୁନାଲ୍‌ରେ ନିଜ ପ୍ରତିନିଧିଙ୍କୁ ମନୋନୟନ କରିବାକୁ ନିର୍ଦ୍ଦେଶ ଦେବାପରେ ଓଡ଼ିଶା ପକ୍ଷରୁ ଦୁଇଜଣ ପ୍ରତିନିଧିଙ୍କୁ ଟ୍ରିବ୍ୟୁନାଲ୍‌ ପାଇଁ ମନୋନୀତ କରାଯାଇଛି। ସେମାନେ ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ଓ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା। ଚଳିତମାସ ଶେଷ ସୁଦ୍ଧା ଟ୍ରିବ୍ୟୁନାଲ୍‌ରେ ମଧ୍ୟବର୍ତ୍ତିକାଳୀନ ଆବେଦନ ଦାଖଲ କରାଯିବ। ମିଳିଥିବା ସୂଚନା ଅନୁସାରେ ଏହି ଆବେଦନରେ ମହାନଦୀର କ୍ୟାଚମେଣ୍ଟ୍‌ ଏରିଆରେ ଛତିଶଗଡ଼ ଯେଭଳି କୌଣସି ନୂତନ ପ୍ରକଳ୍ପ କରିପାରିବ ନାହିଁ ସେନେଇ ଟ୍ରିବ୍ୟୁନାଲ୍‌ରେ ଅନୁମତି ନଦେବାପାଇଁ ପ୍ରାର୍ଥନା କରାଯିବ। ଅପରପକ୍ଷେ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମାମଲାର ନିୟମିତ ବ୍ୟବଧାନରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର