ଜଟିଳ ହେଉଛି ମହାନଦୀ ବିବାଦ : ଏବେ ଜବାବ ଦାଖଲ କରିବ ଓଡ଼ିଶା

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଛତିଶଗଡ଼ ଦ୍ବାରା କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ଅଭିଯୋଗ ଦାଖଲ ହୋଇଛି। ଆନ୍ତଃରାଜ୍ୟ ନଦୀ ଜଳବିବାଦ ଆଇନ ୧୯୫୪ ଧାରା ୩ ଅନୁସାରେ ଛତିଶଗଡ଼ ସରକାର ମହାନଦୀ ପ୍ରବାହିତ ରାଜ୍ୟଗୁଡ଼ିକୁ ସମାନୁପାତରେ ଜଳ ଆବଣ୍ଟନ କରିବା ନେଇ ଅଭିଯୋଗ ପିଟିସନ ଦାଖଲ କରିଛନ୍ତି। ମନ୍ତ୍ରାଳୟ ଦ୍ବାରା ଏହି ପିଟିସନକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇ ଦିଆଯିବା ପରେ ଟ୍ରିବ୍ୟୁନାଲ ଦ୍ବାରା ଓଡ଼ିଶା ସମେତ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ନୋଟିସ୍ ଜାରି କରାଯାଇ ୪ ସପ୍ତାହ ଭିତରେ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଓଡ଼ିଶା ଦ୍ବାରା ଏନେଇ ଖୁବ୍‌ଶୀଘ୍ର ଜବାବ ଦାଖଲ କରାଯିବ ବୋଲି ଜଣାପଡ଼ିଛି।

ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ୫୦ ପୃଷ୍ଠାର ପିଟିସନରେ ମହାନଦୀ ଜଳ ଆବଣ୍ଟନକୁ ନେଇ କୌଣସି ପ୍ରକାର ଅନ୍ତଃରାଜ୍ୟ ବୁଝାମଣା ନଥିବା କୁହାଯାଇଛି। ମହାନଦୀ ଯୋଗୁ ଉପର ମୁଣ୍ଡର ରାଜ୍ୟ ଜଳମଗ୍ନ ହେଉଥିବା ଯୋଗୁ ଏହାର ସାହାଯ୍ୟ କେବଳ ଓଡ଼ିଶାକୁ ମିଳୁଛି। ଫେରନ୍ତା ଜଳର ପ୍ରଭାବ ଯୋଗୁ ଛତିଶଗଡ଼ରେ ଉର୍ବର ଜମି ସବୁଦିନ ପାଇଁ ନଷ୍ଟ ହୋଇଯିବ ବୋଲି କୁହାଯାଇଛି। ହୀରାକୁଦ ଜଳାଶ୍ରୟରେ ଛତିଗଡ଼ର ଯୋଗଦାନ ରହିଥିବା ବେଳେ ଛତିଗଡ଼କୁ କୌଣସି ପ୍ରକାର ସୁବିଧା ମିଳୁନଥିବା ର ପିଟିସନରେ ଦର୍ଶାଯାଇଛି। ମହାନଦୀର ଉପରମୁଣ୍ଡରେ ଥିବା ରାଜ୍ୟମାନଙ୍କୁ ସମାନୁପାତରେ ଜଳ ଆବଣ୍ଟନ କରିବା ପାଇଁ ଛତିଗଡ଼ ପକ୍ଷରୁ କୁହାଯାଇଛି। ଛତିଶଗଡ଼କୁ ୨୪.୭୦ ଏମଏଏଫ ଜଳ ସୁନିଶ୍ଚିତ କରିବା ପାଇଁ ପିଟିସନରେ ଉଲ୍ଲେଖ କରାଯାଇଛି।

ପିଟିସନରେ ମହାନଦୀ ଅବବାହିକାରେ ଯେଉଁସବୁ ରାଜ୍ୟଗୁଡ଼ିକ ଅଛି ସେମାନଙ୍କ ମଧ୍ୟରେ ନ୍ୟାୟସଂଗତ ଜଳ ଆବଣ୍ଟନର ଆବଶ୍ୟକତା ରହିଥିବାରୁ ଅବବାହିକାର ଅଧ୍ୟୟନ କରାଯିବାକୁ ଛତିଶଗଡ଼ ପକ୍ଷରୁ କୁହାଯାଇଛି। ପିଟିସନରେ ଓଡ଼ିଶା ଉପରେ ଅନେକ ଦାଷାରୋପ କରିଛି ଛତିଶଗଡ଼। ୧୯୪୭ ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନ୍ତର୍ଗତ ହୀରାକୁଦ, ଟିକରପଡ଼ା ଓ ନରାଜ ଡ୍ୟାମ ନିର୍ମାଣ କରାଯିବାର ପ୍ରସ୍ତାବ ଥିଲା। ଏଥିରେ ବନ୍ୟା ନିୟନ୍ତ୍ରଣ ଏବଂ ଜଳର ବ୍ୟବହାଣ ଯୋଜନା ଥିଲା। କେବଳ ହୀରାକୁଦ ଡ୍ୟାମ ନିର୍ମାଣ ହେଲା ଏବଂ ଟିକରପଡ଼ ଡ୍ୟାମ ନିର୍ମାଣ ହୋଇ ପାରିଲା ନାହିଁ। ଓଡ଼ିଶା ନିଜର ଭୁଲ ପାଇଁ ଛତିଶଗଡ଼ ଉପରେ ଦୋଷାରୋପ କରିପାରିବ ନାହିଁ ବୋଲି ପିଟିସନରେ ଉଲ୍ଲେଖ କରିଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନା ଅନ୍ତର୍ଗତ ଯେଉଁ ସବୁ ପ୍ରୟାସ କରାଯାଇଥିଲା ସେଥିରେ ଓଡ଼ିଶା ସହଯୋଗ କରିନଥିଲା ବୋଲି ମଧ୍ୟ ଦର୍ଶାଯାଇଛି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଏହି ମାମଲା ‌ନେଇ ଆସନ୍ତା ମାସ ୧୧ ତାରିଖରେ ଶୁଣାଣି ହେବ।

ସମ୍ବନ୍ଧିତ ଖବର