ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଛତିଶଗଡ଼ର ଅଭିଯୋଗ, ହୀରାକୁଦ ଡ୍ୟାମ ବିସ୍ତୃତ ପ୍ରକଳ୍ପ ରିପୋର୍ଟର ସଂଶୋଧନ କରାଯାଇଛି

ନୂଆଦିଲ୍ଲୀ : ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ ଯୋଜନାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ-୧୯୪୭ର ସଂଶୋଧନ କରାଯାଇଥିବା ନେଇ ଓଡ଼ିଶା ଉପରେ ଗମ୍ଭୀର ଅଭିଯୋଗ କରିଛି ଛତିଶଗଡ଼। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଏ ନେଇ ଛତିଶଗଡ଼ ପକ୍ଷରୁ ଷ୍ଟେଟମେଣ୍ଟ ଅଫ୍ କେସ୍ ଦାଖଲ କରାଯାଇଛି। ଏଥିରେ କୁହାଯାଇଛି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ୧୯୪୭ ଏକମାତ୍ର ରିପୋର୍ଟ ଯାହା ଛତିଶଗଡ଼କୁ ଉପଲବ୍ଧ ହୋଇଛି। ଏହି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଉପରେ ଓଡ଼ିଶା ଟ୍ରିବ୍ୟୁନାଲରେ ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ତଥା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ନିର୍ଭର କରୁଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମର ପୂର୍ଣ୍ଣ ଜଳାଶ୍ରୟ ସ୍ତର (ଏଫ୍ଆର୍‌ଏଲ୍‌) ୬୨୫ ଫୁଟ୍ ନିର୍ଦ୍ଧାରଣ କରାଯାଇଥିଲା। ଛତିଶଗଡ଼ର ପରୋକ୍ଷ ସୂଚନା ଅନୁସାରେ ଏହି ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅତି କମ୍‌ରେ ଥରେ ସଂଶୋଧନ କରାଯାଇଛି। ଓଡ଼ିଶା ହାଇଡ୍ରୋପାଵାର କର୍ପୋରେସନ ୱେବ୍‌ସାଇଟରେ ପୂର୍ଣ୍ଣ ଜଳାଶ୍ରୟ ସ୍ତର (ଏଫଆରଏଲ) ୬୩୦ ଫୁଟ୍ ବୋଲି ଦର୍ଶାଯାଇଛି। ଏଥିରୁ ଜଣାପଡୁଛି ହୀରାକୁଦ ଡ୍ୟାମ ବିସ୍ତୃତ ପ୍ରକଳ୍ପ ରିପୋର୍ଟ-୧୯୪୭ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଇଛି। ଏହାକୁ ୬୨୫ ଫୁଟ୍‌ରୁ ୬୩୦ ଫୁଟ୍‌କୁ ବୃଦ୍ଧି କରାଯାଇଛି ବୋଲି ଛତିଶଗଡ଼ ଦ୍ବାରା ଦଖଲ କରାଯାଇଥିବା ଷ୍ଟେଟମେଣ୍ଟ ଅଫ୍ କେସ୍‌ରେ କୁହାଯାଇଛି। ଆହୁରି କୁହାଯାଇଛି ଯେ ବଡ଼ ଡ୍ୟାମ୍‌ର ପୂର୍ଣ୍ଣ ଜଳାଶ୍ରୟ ସ୍ତରକୁ ଏମିତି କିଛି ନୁହେଁ, ଯାହାକୁ ରାତାରାତି ନିର୍ମାଣାଧୀନ ଇଞ୍ଜିନିୟରଙ୍କ ପସନ୍ଦ ଅନୁସାରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଡ୍ୟାମ୍‌ ଡିଜାଇନରେ ୫ ଫୁଟ୍ ପୂର୍ଣ୍ଣ ଜଳାଶ୍ରୟ ସ୍ତର ବୃଦ୍ଧି ଏକ ବଡ଼ ସଂଶୋଧନ। ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓଡ଼ିଶାର ନଥିପତ୍ର ଏବଂ ଏହା ଓଡ଼ିଶାର କ୍ଷମତା ଓ ପଜେସନରେ ରହିଛି ବୋଲି ଛତିଶଗଡ଼ ଅଭିଯୋଗ କରିଛି। ଓଡ଼ିଶାକୁ ହୀରାକୁଦ ଡ୍ୟାମ ସମ୍ପର୍କିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ୧୯୪୭ ବ୍ୟତୀତ ଅନ୍ୟକିଛି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ରହିଛି କି ନାହିଁ, ସେନେଇ ସତ୍ୟପାଠ ଜରିଆରେ ଟ୍ରିବ୍ୟୁନାଲକୁ ଅବଗତ କରାଇବା ପାଇଁ ଓଡ଼ିଶାକୁ ନିର୍ଦ୍ଦେଶ ଦେବା ପାଇଁ ଛତିଶଗଡ଼ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଏହାଛଡ଼ା ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ଷ୍ଟେଟମେଣ୍ଟ ଅଫ୍ କେସ୍ ରେ ମହାନଦୀ ବେସିନରେ ଉପଲବ୍ଧ ଜଳର ନ୍ୟାୟସଙ୍ଗତ ଆବଣ୍ଟନ କରାଯିବାକୁ ନେଇ ଟ୍ରିବ୍ୟୁନାଲର ଦୃଷ୍ଟି ଆକର୍ଷଣ କରାଯାଇଛି। ନ୍ୟାୟସଙ୍ଗତ ଆବଣ୍ଟନ ଅନୁସାରେ ୭୫ ପ୍ରତିଶତ ନର୍ଭରଯୋଗ୍ୟ ବର୍ଷ ଅନ୍ତର୍ଗତ ଅନ୍ତଃରାଜ୍ୟ ମହାନଦୀ ଜଳ ଛତିଶଗଡ଼କୁ ୨୪.୭୦ ଏମଏଏଫ୍ ନିର୍ଦ୍ଧାରଣ କରାଯାଉ। ଓଡ଼ିଶାକୁ ଏପ୍ରିଲ ୨୮, ୧୯୮୩ର ବୁଝାମଣା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ ଗୁଡ଼ିକର ସର୍ତ୍ତକୁ ପାଳନ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଛତିଶଗଡ଼ କହିଛି। ଛତିଶଗଡ଼ ଦ୍ବାରା ପୁଣି କୁହାଯାଇଛି ହୀରାକୁଦ ଡ୍ୟାମକୁ ଏଭଳି ପରିଚାଳନା କାରଯାଉ ଯାହାଦ୍ବାରା ଜଳମଗ୍ନ ତଥା ଫେରନ୍ତା ଜଳ ସମସ୍ୟାର ସ୍ଥିତି ନ ଉପୁଜିବ। ଛତିଶଗଡ଼କୁ ତାର ଅଞ୍ଚଳରେ ଜଳ ସମ୍ପଦର ଉପଯୋଗ ତଥା ଡ୍ୟାମ, ବ୍ୟାରେଜ୍ ନିର୍ମାଣ କରିବାର ଅଧିକାର ଅଛି ବୋଲି ଟ୍ରିବ୍ୟୁନାଲ ଘୋଷଣା କରନ୍ତୁଏବଂ ହୀରାକୁଦ ଡ୍ୟାମ ପ୍ରକଳ୍ପକୁ ଓଡ଼ିଶା ଓ ଛତିଶଗଡ଼ର କମନ ପ୍ରକଳ୍ପ ଭାବେ ଘୋଷଣା କରାଯାଉ ବୋଲି ଛତିଶଗଡ଼ ଷ୍ଟେଟମେଣ୍ଟ ଅଫ୍ କେସ୍‌ରେ ଉଲ୍ଲେଖ କରିଛି। ଉଲ୍ଲେଖଯୋଗ୍ୟ ଛତିଶଗଡ଼ ଦ୍ବାରା ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିବା ଅଭିଯୋଗ ପିଟିସନ ଉପରେ ଟ୍ରିବ୍ୟୁନାଲ ଗତ ଜୁଲାଇ ୧୩ ରେ ଛତିଶଗଡ଼କୁ ଷ୍ଟେଟମେଣ୍ଟ ଅଫ୍ କେସ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ସେପ୍ଟମ୍ବର ୨୮ରେ ଟ୍ରିବ୍ୟୁନାଲ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର