ମହାନଦୀ ଜଳବିବାଦ : ପ୍ରକଳ୍ପ ସମୀକ୍ଷା କରିବେ ୨ ରାଜ୍ୟର ବୈଷୟିକ ଟିମ୍‌

ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦ରେ

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ପାଦେ ଆଗେଇଛନ୍ତି। ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ହୋଇଥିବା ଶୁଣାଣିରେ ଉଭୟ ରାଜ୍ୟ ପରସ୍ପରର ପ୍ରକଳ୍ପ ସମୀକ୍ଷା କରିବାପାଇଁ କ୍ଷେତ୍ର ପରିଦର୍ଶନ କରିବେ ବୋଲି ଟ୍ରିବ୍ୟୁନାଲ୍‌ଙ୍କୁ ଅବଗତ କରାଇଥିଲେ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ବିଚାରପତି ଏ ଏମ୍‌ ଖାନ୍‌ୱିଲକରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ‌ରେ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା ଓ ଛତିଶଗଡ଼ର ଓକିଲ ଏକେ ଗାଙ୍ଗୁଲି ଦୁଇ ରାଜ୍ୟ ମିଳିତ ଭାବେ ମହାନଦୀ ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ଓ ଅନୁଧ୍ୟାନ କରିବାପାଇଁ କ୍ଷେତ୍ର ପରିଦର୍ଶନ କରିବା ନିମନ୍ତେ ସହମତି ପ୍ରକାଶ କରିଥିବା ଜଣାଇଥିଲେ। ଓଡ଼ିଶା ପ୍ରଥମେ ଛତିଶଗଡ଼ ଗସ୍ତ କରି ପ୍ରକଳ୍ପ ଅନୁଧ୍ୟାନ କରିବ ବୋଲି କୁହାଯାଇଥିଲା। ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଓଡ଼ିଶା ପ୍ରଥମେ ଛତିଶଗଡ଼ ଗସ୍ତ କରି ଛତିଶଗଡ଼ରେ ମହାନଦୀ ଅବବାହିକାର ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କରିବ ଏବଂ ଏହାପରେ ଛତିଶଗଡ଼ ଟିମ୍‌ ନଭେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଓଡ଼ିଶା ଆସି ପକଳ୍ପ ସମୀକ୍ଷା ଓ ଅନୁଧ୍ୟାନ କରିବେ। ଉଭୟ ରାଜ୍ୟ ଦ୍ବାରା କ୍ଷେତ୍ର ପରିଦର୍ଶନ ସମ୍ପର୍କିତ ରିପୋର୍ଟ ନଭେମ୍ବର ୩୦ରେ ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯିବ। ପରବର୍ତ୍ତୀ ଶୁଣାଣି ପାଇଁ ଟ୍ରିବ୍ୟୁନାଲ୍‌ ନଭେମ୍ବର ୩୦ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଆଜି ଶୁଣାଣି ସମୟରେ ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା ଖୁବ୍‌ଶୀଘ୍ର ଆସେସର୍‌ ନିଯୁକ୍ତି କରିବାପାଇଁ ଟ୍ରିବ୍ୟୁନାଲ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଛତିଶଗଡ଼ ପକ୍ଷରୁ ମଧ୍ୟ ଅନୁରୂପ ମତ ରହିଥିଲା। ଟ୍ରିବ୍ୟୁନାଲ୍‌ ସେପ୍ଟେମ୍ବର ୨‌ରେ ଆସେସର ନିଯୁକ୍ତି ହେବ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଆଜିର ଶୁଣାଣି ସମୟରେ ପ୍ରକଳ୍ପ ଅଞ୍ଚଳ ସମୀକ୍ଷା ପାଇଁ ତାରିଖ ନିଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଟିମ୍‌ର ରୂପରେଖ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ତେବେ ଖୁବ୍‌ଶୀଘ୍ର ଟିମ୍‌ର ରୂପରେଖ ସଂକ୍ରାନ୍ତରେ ଆଲୋଚନା ‌ହୋଇ ଟିମ୍‌ ଗଠନ କରାଯିବ ବୋଲି ଅଶୋକ ପରିଜା କହିଛନ୍ତି। ଟିମ୍‌ରେ ବୈଷୟିକ ସଦସ୍ୟ ଅଧିକ ରହିବେ ବୋଲି ସେ ସଙ୍କେତ ଦେଇଛନ୍ତି।

ସମ୍ବନ୍ଧିତ ଖବର