ମହାନଦୀ ଜଳ ବିବାଦ : ଟ୍ରିବ୍ୟୁନାଲ୍ରେ ପ୍ରତିବାଦ ଦାଖଲ କଲା ଓଡ଼ିଶା
ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆସନ୍ତା ଫେବ୍ରୁଆରି ୧ରେ ଶୁଣାଣି ହେବ। ତାହା ପୂର୍ବରୁ ଆଜି ଓଡ଼ିଶା ପକ୍ଷରୁ ୧୩୮ ପୃଷ୍ଠାର ପ୍ରତିବାଦ ଦାଖଲ କରାଯାଇଛି। ଓଡ଼ିଶା ପକ୍ଷରୁ ମହାନଦୀ ଅବବାହିକା ଜଳ ସାମନୁପାତିକ ଆବଣ୍ଟନକୁ ନେଇ ଗତ ଡିସେମ୍ବରରେ ବିଭିନ୍ନ ଦଲିଲ ସହ ଯେଉଁ ଜବାବ ଦାଖଲ କରାଯାଇଥିଲା ଛତିଗଡ଼ ତାହାକୁ ଦୃଢ଼ ଭାବେ ଖଣ୍ଡନ କରିଥିଲା। ଓଡ଼ିଶା ଦ୍ବାରା ଆଜି ଦିଆଯାଇଥିବା ପ୍ରତିବାଦରେ କିଛି ନୂଆ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ପକ୍ଷରୁ କୁହାଯାଇଛି ଯେ ଛତିଶଗଡ଼ ଦ୍ବାରା ନିର୍ମାଣ କରାଯାଉଥିବା ୬ଟି ବ୍ୟାରେଜ ସହିତ ୫୧୬ଟି ଆନିକଟ ଓ କ୍ଷୁଦ୍ର ପ୍ରକଳ୍ପ ମହାନଦୀର ଜଳ ପ୍ରବାହକୁ ହ୍ରାସ କରିବ। ଅଣ ମୌସୁମୀ ସମୟରେ ସାମଗ୍ରିକ ଭାବେ ଏସବୁ ପ୍ରକଳ୍ପରେ ପାଖାପାଖି ୧.୨୫ ଏମ୍ଏଏଫ ଜଳର ଉପଯୋଗ କରାଯାଉଛି। ଏହା ବାଦ୍ ମହାନଦୀର ଉପରମୁଣ୍ଡ ବେସିନରେ ଛିତଶଗଡ଼ ଦ୍ବାରା ବିଶାଳ ପ୍ରକଳ୍ପ ନିର୍ମାଣ କରାଯାଇ ତଳ ମୁଣ୍ଡରୁ ଇଣ୍ଟରଲିଙ୍କ୍ କରି ସମୁଦାୟ ଜଳକୁ ଶୋଷି ନିଆଯାଇଛି। ଏସବୁ ପ୍ରକଳ୍ପର ସାମଗ୍ରିକ ପ୍ରଭାବ ଯୋଗୁ ନଭେମ୍ବରରୁ ମେ’ ଅଣ ମୌସୁମୀ ଋତୁ ତଥା ଜୁନ ଓ ଜୁଲାଇର ମୌସୁମୀ ଋତୁର ଜଳ ପ୍ରବାହ ହୀରାକୁଦ ଜଳାଶୟରେ ହ୍ରାସ ପାଇଛି। ଫଳରେ ଓଡ଼ିଶାକୁ ଜଳ ବ୍ୟବହାର କରିବାର ଅଧିକାରରେ ବାଧା ପହଞ୍ଚାଯାଉଛି ବୋଲି ପ୍ରତିବାଦରେ ସ୍ପଷ୍ଟ କରାଯାଇଛି।
ଓଡ଼ିଶା ଦ୍ବାରା ବର୍ଷା ଜଳ ପାର୍ଟନକୁ ସମ୍ମାନ ଦିଆ ନ ଯାଇ ୱେଷ୍ଟଫୁଲ ୟୁସେଜ୍ ବୋଲି ଛତିଶଗଡ଼ର ଅଭିଯୋଗକୁ ମଧ୍ୟ ଖଣ୍ଡନ କରାଯାଇଛି। ୬ଟି ବ୍ୟାରେଜରୁ ଶିଳ୍ପ ସଂସ୍ଥାମାନଙ୍କୁ ୦.୨୨ ଏମ୍ଏଏଫ ଜଳ ଯୋଗାଇବା ନେଇ ଯୋଜନା ଥିବାର ଯୁକ୍ତିକୁ ଓଡ଼ିଶା ଅସତ୍ୟ ବୋଲି କହିଛି। ଓଡ଼ିଶା ଦ୍ବାରା ଦାଖଲ ପ୍ରତିବାଦରେ କୁହାଯାଇଛି, ୬ଟି ବ୍ୟାରେଜରେ ଜଳର ବାର୍ଷିକ ଉପଯୋଗିତା ହେଉଛି ୦.୮୪ ଏମ୍ଏଏଫ। ଛତିଶଗଡ଼ ଦ୍ବାରା ମହାନଦୀର ଉପରମୁଣ୍ଡରେ ୫୧୬ ଆନିକଟ ଓ ବ୍ୟାରେଜ ନିର୍ମାଣ କରାଯାଇଛି। ସେଗୁଡିକର ଜଳ ଉପଯୋଗିତାର ବୈଧ ବୈଷୟିକ ତର୍କ ନାହିଁ। ଏସବୁ ଆନିକଟର ଅବସ୍ଥିତି ସମ୍ପର୍କରେ ଛତିଶଗଡ଼ ଦ୍ବାରା ସିଏଜିକୁ ଅବଗତ କରାଯାଇଛି ବୋଲି ଓଡ଼ିଶା କହିଥିବା ବେଳେ ସିଏଜିର ୨୦୧୭ ମସିହା ରିପୋର୍ଟକୁ ମଧ୍ୟ ଓଡିଶା ପ୍ରତିବାଦରେ ସଂଲଗ୍ନ କରିଛି। ଆନିକଟ ନିର୍ମାଣ ଯୋଗୁ ଅଣ ମୌସୁମୀ ଋତୁରେ ଗେଟ ବନ୍ଦ ରହିବାରୁ ଜଳ ପ୍ରବାହରେ ପ୍ରତିବନ୍ଧକ ସାଜିଥିବାର ଓଡ଼ିଶା ପକ୍ଷରୁ କୁହାଯାଇଛି। ମହାନଦୀ ବେସିନ୍ର ଗଳା ଦବାଇ ଅଣ ମୌସୁମୀ ଋତୁରେ ଜଳ ପ୍ରବାହକୁ ହ୍ରାସ କରାଯାଉଛି।
କେନ୍ଦ୍ର ସରକାରଙ୍କ ଦ୍ବାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛତିଶଗଡ଼ ୨୧.୧.୨୦୧୯ରେ ଅଭିଯୋଗ ପିଟିସନ୍ ଦାଖଲ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଓଡ଼ିଶା ଯୁକ୍ତି ବାଢ଼ିବା ସହ ଏହା ଛତିଶଗଡ଼ର ଆଇନଗତ ବାଚାଳତା ବୋଲି କୁହାଯାଇଛି। ଟ୍ରିବ୍ୟୁନାଲ ଗଠନ ପରେ ଏବଂ ଏହାର ପ୍ରାଥମିକ ଶୁଣାଣିରେ ଯେଉଁ ସବୁ ବୈଷମ୍ୟତା ରହିଥିଲା ତାହାକୁ ଦୂର କରିବା ପାଇଁ ଛତିଶଗଡ଼ ପକ୍ଷରୁ ଅଭିଯୋଗ ପିଟିସନ ଦାଖଲ କରାଯାଇଥିବା ଓଡ଼ିଶା ପକ୍ଷରୁ କୁହାଯାଇଛି। ଓଡ଼ିଶାର ୧୨.୨୮ ଏମ୍ଏଏଫ୍ ଜଳ ଉପରେ ଅଧିକାର ରହିଥିବାର କୌଣସି ଆଇନଗତ ଭିତ୍ତି ନ ଥିବାରୁ ଛତିଶଗଡ଼ ଅଭିଯୋଗକୁ ଓଡ଼ିଶା ଦ୍ବାରା ଅଗ୍ରାହ୍ୟ କରାଯାଇଛି।
ଓଡ଼ିଶା ଆହୁରି ଯୁକ୍ତି ଦର୍ଶାଇଛି ଯେ ହୀରାକୁଦର ବାର୍ଷିକ ୧୨.୨୮ ଏମ୍ଏଏଫ୍ ଜଳ ବ୍ୟବହାର କରିବା ଓଡ଼ିଶାର ଅଧିକାର। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଛତିଶଗଡ଼ ପକ୍ଷରୁ ବଂଶଧାରା ଜଳ ବିବାଦର ତର୍ଜମା କରିବାର କୌଣସି ପ୍ରାସଙ୍ଗିକତା ନାହିଁ। ଏହା ବାଦ୍ ଅନ୍ୟ ସବୁ ଟ୍ରିବ୍ୟୁନାଲରେ ଯେଉଁ ସବୁ ରେଫରେନ୍ସ ଛତିଶଗଡ଼ ଦ୍ବାରା ଦିଆଯାଇଛି, ତାହା ବିଭ୍ରାନ୍ତିକର। ଓଡ଼ିଶା ପକ୍ଷରୁ ଶିଳ୍ପ ସଂସ୍ଥାକୁ ହୀରାକୁଦ ଡ୍ୟାମରୁ ୨.୩୦ ଏମ୍ଏଏଫ୍ ଜଳ ଯୋଗାଣ ବୃଦ୍ଧି କରିବାକୁ ଅଭିଯୋଗକୁ ମଧ୍ୟ ଖଣ୍ଡନ କରାଯାଇଛି। ଶିଳ୍ପ ସଂସ୍ଥାଙ୍କ ପାଇଁ ଭବିଷ୍ୟତରେ ୨.୦୮ ଏମ୍ଏଏଫ ଜଳର ବ୍ୟବହାରକୁ ମଧ୍ୟ ଏକ ବିଭ୍ରାନ୍ତିକର। ହୀରାକୁଦ ଡ୍ୟାମର ବର୍ତମାନ ସମୟରେ ସମୀକ୍ଷା କରିବା କୌଣସି ଆବଶ୍ୟକତା ନାହିଁ। ଓଡ଼ିଶା ଗତ ୬୨ ବର୍ଷ ହେବ ଏହାର ଜଳ ବ୍ୟବହାର କରି ଆସୁଛି। ୧୯୪୫-୪୭ ରାଜିନାମା ଅନୁଯାୟୀ, ହୀରାକୁଦ ଡ୍ୟାମର ବିସ୍ତୃତ ପ୍ରକଳ୍ପରେ ଯାହା ଉଲ୍ଲେଖ କରାଯାଇଥିଲା ସେହି ଭିତ୍ତିରେ ଓଡ଼ିଶାକୁ ଜଳ ମିଳୁ ନାହିଁ ବୋଲି ଓଡ଼ିଶା ପକ୍ଷରୁ ପ୍ରତିବାଦରେ ଦର୍ଶାଯାଇଛି।