ମହାନଦୀ ଜଳବିବାଦ : ଆଇନଜୀବୀ ଓ ବୈଷୟିକ ଟିମ୍‌ର ବୈଠକ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାକୁ ଟ୍ରିବ୍ୟୁନାଲରେ ବଳିଷ୍ଠ ଭାବେ ନିଜର ପକ୍ଷ ଉପସ୍ଥାପନ କରିବା ତଥା ମିଳିତ ଡ୍ରାଫ୍ଟ ଇସ୍ୟୁ ସମ୍ପର୍କରେ ବିଚାରବିମର୍ଷ କରିବା ପାଇଁ ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆଇନଜୀବୀ ଓ ବୈଷୟିକ ଟିମ୍ ସଦସ୍ୟମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା।

ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିକଟରେ ମହାନଦୀ ଜଳବିବାଦ ମାମଲାରେ ନିଯୁକ୍ତ ହୋଇଥିବା ପରାମର୍ଶଦାତାମାନେ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ମାମଲାର ସ୍ଥିତି ତଥା ଆଗକୁ ମାମଲାକୁ ପ୍ରସଙ୍ଗ ଭିତ୍ତିରେ କିଭଳି ଯୁକ୍ତି ଉପସ୍ଥାପନ କରାଯିବ, ସେନେଇ ଓଡ଼ିଶା ପକ୍ଷରୁ ଆଇନଜୀବୀମାନେ ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ। ବୈଷୟିକ ଟିମ୍‌ ଦ୍ବାରା ପୂର୍ବରୁ ମହାନଦୀ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ହାସଲ କରିଥିବା ତଥ୍ୟଗୁଡ଼ିକ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଆସନ୍ତା ମାସ ୧୮ରେ ଏହି ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ସମୟ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗକୁ ବିଚାର କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ନିବେଦନ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ ୧୩ଟି ଚିଠା ପ୍ରସଙ୍ଗର ତାଲିକା ଟ୍ରିବ୍ୟୁନାଲଙ୍କୁ ପ୍ରଦାନ କରାଯାଇଥିଲା। ଛତିଶଗଡ଼ର ଆଇନଜୀବୀଙ୍କ ସହିତ ବୈଠକ ହେବା ପରେ ଡ୍ରାଫ୍ଟ ଇସ୍ୟୁକୁ ଚୂଡ଼ାନ୍ତ ରୂପ ଦିଆଯାଇ ଟ୍ରିବ୍ୟୁନାଲରେ ଦାଖଲ କରାଯିବ। ଆଜିର ବୈଠକରେ ପ୍ରସଙ୍ଗ ତାଲିକା ନିର୍ଦ୍ଧାରଣ ପାଇଁ ସମସ୍ତଙ୍କ ମତାମତ ନିଆଯାଇଥିଲା।

ସମ୍ବନ୍ଧିତ ଖବର