ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମିଳିତ ଭା‌ବେ ସମାଧାନ କରିବାରେ ବିଫଳ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏନେଇ ଉଭୟ ରାଜ୍ୟମାନଙ୍କj ବୈଠକ ହୋଇଥିଲେ ମଧ୍ୟ କୌଣସି ପ୍ରକାର ସହମତି ହୋଇପାରି ନାହିଁ। ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା। ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ।

Advertisment

ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରି ନଥିଲା। ବୈଠକର ଫଳାଫଳ ସମ୍ପର୍କରେ ଦୁଇ ରାଜ୍ୟ ଇ-ମେଲ ଯୋଗେ ଟ୍ରିବ୍ୟୁନାଲକୁ ସୂଚାଇଛନ୍ତି। ଆସନ୍ତାକାଲି ପ୍ରଥମ ଥର ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହେବାକୁ ଥିବା ଶୁଣାଣିରେ ଦୁଇ ରାଜ୍ୟମାନଙ୍କ ଦ୍ବାରା ମୌଖିକ ଭାବେ ଟ୍ରିବ୍ୟୁନାଲକୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ଜଣାପଡ଼ିଛି।

ଇତିମଧ୍ୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲ୍ୟୁବି) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ଠାରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବୁନାଲରେ ଆବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୧୨ଟି ଶୁଣାଣି କରିସାରିଛନ୍ତି। ହେଲେ ଟ୍ରିବ୍ୟୁନାଲଙ୍କ ଦ୍ବାରା କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। ଗତବର୍ଷ ମାର୍ଚ୍ଚରୁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି। ଆପୋସ ବୁଝାମଣା ଦ୍ବାରା ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେବା ପରେ ଦୁଇ ରାଜ୍ୟ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।