ମହାନଦୀ ଜଳବିବାଦରେ ନୂଆ ମୋଡ଼ : ଚଳିତବର୍ଷ ହୀରାକୁଦକୁ ପ୍ରବେଶ କରିଛି ସର୍ବାଧିକ ଜଳ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ନ୍ୟାୟିକ ଲଢେଇ ଜାରି ରହିଥିବାବେଳେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଏକ ସଦ୍ୟତମ ତଥ୍ୟ ଏହି ବିବାଦକୁ ଆଗାମୀ ଦିନରେ ନୂଆ ମୋଡ଼ ଦେବାର ସମ୍ଭାବନା ଉପୁଜିଛି। ତଥ୍ୟ ଅନୁସାରେ, ଗତ ଦୁଇ ବର୍ଷ ତୁଳନାରେ ଚଳିତବର୍ଷ ମାର୍ଚ୍ଚ ଓ ଅଗଷ୍ଟ ମାସ ମଧ୍ୟରେ ହୀରାକୁଦକୁ ଅଧିକ ପାଣି ପ୍ରବେଶ କରିଛି।

ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ନିକଟରୁ ୨୦୧୮ ରୁ ୨୦୨୦ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌କୁ କେତେ ପରିମାଣର ଜଳ ପ୍ରବେଶ (ଇନ୍‌ଫ୍ଲୋ) ହୋଇଛି, ସେ ନେଇ ସୂଚନା ଲୋଡ଼ିଥିଲେ। କେନ୍ଦ୍ର ଜଳ ଆୟୋଗର ତଥ୍ୟ ଆଧାରରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲା କଟାରିଆ ଏ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ସୂଚନା ଅନୁସାରେ, ଗତ ଦୁଇବର୍ଷ ତୁଳନାରେ ଚଳିତବର୍ଷ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମକୁ ଅଧିକ ଜଳ ପ୍ରବେଶ କରିଛି। ଚଳିତ ମାସ ମାର୍ଚ୍ଚରେ ହୀରାକୁଦ୍ ଡ୍ୟାମ୍‌କୁ ୦.୪୦୪ ଏମ୍‌ଏଏଫ୍, ଜୁନ୍‌ରେ ୨.୨୬୩ ଏମ୍‌ଏଏଫ୍, ଜୁଲାଇରେ ୪.୧୬୩ ଏମ୍‌ଏଏଫ୍ ଓ ଅଗଷ୍ଟରେ ୧୪.୯୨୧ ଏମ୍‌ଏଏଫ୍ ଜଳ ପ୍ରବେଶ କରିଛି। ଅଣମୌସୁମୀ ସମୟ (ନଭେମ୍ବରରୁ ମେ’) ଓଡ଼ିଶାର ୧.୭୪ ଏମ୍‌ଏଏଫ୍ ଜଳର ଆବଶ୍ୟକତା ରହୁଛି। ଛତିଶଗଡ଼କୁ ଅଣମୌସୁମୀ ଋତୁରେ ପ୍ରତିବର୍ଷ ଓଡ଼ିଶାକୁ ଏହି ପରିମାଣର ଜଳ ଛାଡ଼ିବାର କଥା।

ଅପରପକ୍ଷେ ମହାନଦୀ ପାଣି କମିଯାଉଥିବା ଦର୍ଶାଇ ଓଡ଼ିଶାର ଦାବିକୁ ଛତିଶଗଡ଼ ଏଡ଼ାଇ ଦେଉଥିଲା। କେନ୍ଦ୍ର ଜଳ ଆୟୋଗର ସଦ୍ୟତମ ତଥ୍ୟ ଅନୁସାରେ ଓଡ଼ିଶାକୁ ଅଣମୌସୁମୀ ଋତୁର ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହୋଇଛି। କେନ୍ଦ୍ର ଜଳ ଆୟୋଗଙ୍କ ସଦ୍ୟତମ ତଥ୍ୟକୁ ରାଜ୍ୟ ସରକାରଙ୍କ ଦ୍ୱାରା ଆସନ୍ତା ମାସର ଟ୍ରିବ୍ୟୁନାଲର ଶୁଣାଣି ସମୟରେ ଅବଗତ କରାଯିବାର ସମ୍ଭାବନା ରହିଛି। ତେବେ, ହୀରାକୁଦ ଡ୍ୟାମ୍‌କୁ ମାର୍ଚ୍ଚ ପରଠାରୁ ସର୍ବାଧିକ ଜଳ ପ୍ରବେଶ କରିବାର କାରଣ କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ଦର୍ଶାଯାଇନଥିବାବେଳେ ଲକ୍‌ଡାଉନ୍ ସମୟରେ ଶିଳ୍ପ ସଂସ୍ଥାଗୁଡ଼ିକ ବନ୍ଦ ହୋଇଯିବା ଯୋଗୁଁ ଛତିଶଗଡ଼ ସରକାର ମହାନଦୀରେ ଜଳ ଛାଡ଼ିବାକୁ ବାଧ୍ୟ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର