ନୂଆଦିଲ୍ଲୀ : ହିରାକୁଦ ଜଳ ଭଣ୍ଡାରକୁ ଅଣ ମୌସୁମୀ ମାସଗୁଡିକରେ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ୧.୭୪ ନିୟୁତ ଏକର ଫୁଟ (ଏମ୍‌ଏଏଫ) ମହାନଦୀ ଜଳ ପ୍ରବାହକୁ ସୁନିଶ୍ଚିତ କରିବା ସଂପର୍କୀତ ଅନ୍ତରୀଣ ବ୍ୟବସ୍ଥା ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିଚାରବିମର୍ଶ ଜାରି ରହିଛି। ଏ ନେଇ ଆଜି ଉଭୟ ରାଜ୍ୟ ପକ୍ଷରୁ ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଆଇନଜୀବୀମାନଙ୍କ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଆଗକୁ ମଧ୍ୟ ସମାଧାନର ବାଟ ବାହାର କରିବା ପାଇଁ ବୈଠକ ଜାରି ରହିବ ବୋଲି ଉଭୟ ରାଜ୍ୟମାନଙ୍କ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ସୂଚିତ କରାଯାଇଥିଲା। ଅପରପକ୍ଷେ ବୈଠକ ବିଫଳ ହେବା ସ୍ଥିତିରେ ଟ୍ରିବ୍ୟୁନାଲ ଓଡ଼ିଶା ଦ୍ବାରା ଅକ୍ଟୋବର ୨୦୧୮ରେ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ପୁନର୍ବାର ଶୁଣାଣି କରିବେ ବୋଲି କହିଥିଲେ। ସୂଚନା ଯୋଗ୍ୟ, ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏ.ଏମ୍. ଖାନୱିଲକର, ଜଷ୍ଟିସ ଇନ୍ଦରମିତ କୌର ଏବଂ ଜଷ୍ଟିସ ଡଃ ରବି ରଞ୍ଜନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶନିବାର ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଥିଲା।

Advertisment

ଅନ୍ୟପ‌େକ୍ଷ ଆଜିର ଶୁଣାଣି ସମୟରେ ଦୁଇ ଆସେସରମାନଙ୍କ ଦ୍ବାରା ମହାନଦୀ ଅବବାହିକା ସଂପର୍କୀତ ସୂଚନା ନେଇ ପ୍ରସ୍ତୁତ ହେଉଥିବା କମନ ଇନଫରମେସନ ଫର୍ମାଟ ଅଧ୍ୟାବଧି ଚୂଡ଼ାନ୍ତ ହୋଇସାରିଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା। କମନ୍ ଇନଫରମେସନ୍ ଫର୍ମାଟ ଉପରେ ପକ୍ଷରୋକ୍ତ ରାଜ୍ୟମାନଙ୍କ ଦ୍ବାରା କୌଣସି ଆପତ୍ତି ନ ଥିବାର ମଧ୍ୟ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଟ୍ରିବ୍ୟୁନାଲ ଫର୍ମାଟକୁ ବିଧିବଦ୍ଧ ଭାବେ ଅନୁମୋଦନ ଦେବା ପୂର୍ବରୁ ତାହାର ତଥ୍ୟଗୁଡିକୁ ଟ୍ରିବ୍ୟୁନାଲଙ୍କ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ପ୍ରସଙ୍ଗଗୁଡିକ ସହିତ ଲିଙ୍କ୍ କରିବା ପାଇଁ ଆସେସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ସପ୍ତାହ ଭିତରେ ଏହି କାର୍ଯ୍ୟକୁ ଶେଷ କରିବା ସହିତ ପରବର୍ତ୍ତୀ ଶୁଣାଣିରେ ଏହାକୁ ଅନୁମୋଦନ ପାଇଁ ଟ୍ରିବ୍ୟୁନାଲରେ ଉପସ୍ଥାପନ କରିବାକୁ କୁହାଯାଇଥିଲା।

ଭିଡିଓ କନଫରେନ୍ସିଂ ଜରିଆରେ ଶନିବାର ହେଇଥିବା ୧୫ମିନିଟର ଶୁଣାଣିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ି ପକ୍ଷରୁ ମହାନଦୀ ଜଳ ସଂପର୍କୀତ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇ ତିନିଟି କେନ୍ଦ୍ରିୟ ସଂସ୍ଥାମାନଙ୍କ ପାଖରୁ ଯେଉଁ ସବୁ ତଥ୍ୟ, କାଗଜପତ୍ର ଓ ରିପୋର୍ଟ ଲୋଡ଼ାଯାଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉପଲବ୍ଧ ହୋଇପାରି ନଥିବାରୁ ପୁଣିଥରେ ଟ୍ରିବ୍ୟୁନାଲଙ୍କୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଦୁଇ ରାଜ୍ୟମାନଙ୍କ ଦ୍ବାରା ଉପଲବ୍ଧ ହୋଇପାରିନଥିବା ତଥ୍ୟର ଏକତ୍ର ତାଲିକା ପ୍ରଦାନ କରାଗଲେ ଟ୍ରିବ୍ୟୁନାଲ ଏ ନେଇ ସମ୍ବନ୍ଧିତ ବିଭାଗଗୁଡିକୁ ତଥ୍ୟ ଯୋଗାଇ ଦେବା ପାଇଁ ଆଦେଶ ଜାରି କରିବେ ବୋଲି କହିଥିଲେ। ଫେବ୍ରୁଆରି ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଛନ୍ତି।