ନୂଆଦିଲ୍ଲୀ :ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ଅନ୍ତର୍ଗତ ଅନ୍ତରୀଣ ବ୍ୟବସ୍ଥା ପାଇଁ ବିଚାର ଆଲୋଚନା ନିମନ୍ତେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ ଆଦେଶ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏପରିସ୍ଥଳେ ଆଜି ଛତିଶଗଡ଼ ପକ୍ଷରୁ ଓଡ଼ିଶାକୁ ପତ୍ର ଲେଖାଯାଇ ଓଡ଼ିଶା ଦ୍ୱାରା ଅନ୍ତରୀଣ ବ୍ୟବସ୍ଥା ପାଇଁ ଯେଉଁ ସବୁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା ତାହାକୁ ଅଧ୍ୟୟନ କରିବା ପାଇଁ ଛତିଶଗଡ଼ ସମୟ ଲୋଡ଼ିଛି।
ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବରରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଭିତ୍ତି କରି ଛତିଶଗଡ଼ ଅନ୍ତରୀଣ ବ୍ୟବସ୍ଥା ପାଇଁ ଏକ ପ୍ରସ୍ତାବ ଓଡ଼ିଶାକୁ ପଠାଇଥିଲା। ଛତିଶଗଡ଼ ପକ୍ଷରୁ ଅଣମୌସୁମୀ ଋତୁରେ (ନଭେମ୍ବରରୁ ମେ’ ପର୍ଯ୍ୟନ୍ତ) ହୀରାକୁଦ ଜଳଭଣ୍ଡାରକୁ ୦.୪ ନିୟୁତ ଏକର ଫୁଟ ମହାନଦୀ ଜଳ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାକୁ ପ୍ରସ୍ତାବ ଦିଆଯାଇଥିଲା। ଛତିଶଗଡ଼ର ଏହି ପ୍ରସ୍ତାବକୁ ଓଡ଼ିଶା ପକ୍ଷରୁ ଗ୍ରହଣ କରାଯାଇନଥିଲା। ଅଣମୌସୁମୀ ଋତୁରେ ଅତି କମ୍ରେ ଛତିଶଗଡ଼କୁ ହୀରାକୁଦ ଜଳ ଭଣ୍ଡାରକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପକ୍ଷରୁ ଚଳିତ ମାସ ୧ ତାରିଖରେ ପ୍ରସ୍ତାବ ପଠାଯାଇଥିଲା। ଓଡ଼ିଶାର ଏହି ପ୍ରସ୍ତାବକୁ ଛତିଶଗଡ଼ ଅଧ୍ୟୟନ କରି ମତାମତ ଜଣାଇବ ବୋଲି ଆଜି ପତ୍ରଲେଖିଛି। ଯାହା ଫଳରେ ଅନ୍ତରୀଣ ବ୍ୟବସ୍ଥା ପାଇଁ ଦୁଇରାଜ୍ୟ ମଧ୍ୟରେ ବୈଠକ ବିଳମ୍ବ ହେବାର ଆଶଙ୍କା ଉପୁଜିଛି। ଚଳିତ ମାସ ୬ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/mahanadi-water.jpg)