ମହାନଦୀ ଜଳ ବିବାଦ ମାମଲା: ବାହାରିଲାନି ସମାଧାନର ବାଟ, ସମସ୍ତ ନଥିପତ୍ର ଯୋଗାଇଦେବାକୁ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଟ୍ରିବ୍ୟୁନାଲଙ୍କ ନୋଟିସ

ନୁଆଦିଲ୍ଲୀ: ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜି ହୋଇଥିବା ୨୧ତମ ଶୁଣାଣିରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣିକୁ ଅଗଷ୍ଟ ୧୪ ତାରିଖକୁ ଘୁଂଚାଇ ଦେଇଛନ୍ତି। ଆଜିର ଶୁଣାଣିରେ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଭିତରେ ମହାନଦୀ ଜଳ ସଂପର୍କିତ ସମସ୍ତ ନଥିପତ୍ର ଓ ଦସ୍ତାବିଜ ଉଭୟ ଓଡିଶା ଏବଂ ଛତିଶଗଡକୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ସୁପ୍ରିମ୍‌କୋର୍ଟର ବିଚାରପତି ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଆଜି ୨୧ତମ ଶୁଣାଣି କରିଥିଲେ। ଏଥିପୂର୍ବରୁ କ‌ରୋନାର ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ୍‌ ୧୦ ଓ ‌ମେ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଏବେ ବି କ‌ରୋନା କଟକଣା ଜାରି ରହିଥିବାରୁ ଟ୍ରିବ୍ୟୁନାଲ୍‌ ଆଜି ଭର୍ଚୁଆଲ୍‌ ଶୁଣାଣି କରିଥିଲେ | ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍‌ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଆପୋଷ ବୁଝାମଣା ଉପରେ ଆଲୋଚନା ଏବେ ବି ଜାରି ରହିଛି। ଅପରପକ୍ଷେ, ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲ୍‌ର ପ୍ରଥମ ୩ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇ ଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର