ମହାନଦୀ ଜଳ ବିବାଦ ମାମଲା: ନଥିପତ୍ର ଦେଉ ନାହାନ୍ତି କେନ୍ଦ୍ରୀୟ ଏଜେନ୍ସି

ନଥିପତ୍ର ଦେବାକୁ ନୋଟିସ୍‌ ଜାରି କଲେ ଟ୍ରିବ୍ୟୁନାଲ, ଅଗଷ୍ଟ ୧୪ରେ ପରବର୍ତ୍ତୀ ଶୁଣାଣି

ନୁଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆବଶ୍ୟକ ହେଉଥିବା ମହାନଦୀ ଅବବାହିକା ସମ୍ପର୍କିତ ନଥିପତ୍ର ଓ ଦସ୍ତାବିଜର ତାଲିକା କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଯୋଗାଇ ଦିଆଯାଉ ନାହିଁ ବୋଲି ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ନୋଟିସ ଜାରି କରି ଛଅ ସପ୍ତାହ ଭିତରେ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ସୁପ୍ରିମକୋର୍ଟର ବିଚାରପତି ଏ. ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆା ଖଣ୍ଡପୀଠରେ ମହାନଦୀ ଜଳ ବିବାଦ ମାମଲାର ୨୧ତମ ଶୁଣାଣି ହୋଇଥିଲା। ଉଭୟ ଓଡ଼ିଶା ଓ ଛତିଶଗଡ଼କୁ କେନ୍ଦ୍ରୀୟ ସଂସ୍ଥା ତଥ୍ୟ ଦେଉ ନ ଥିବାରୁ ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ। ଯେଉଁ ସବୁ ତଥ୍ୟ ଯୋଗାଇଦିଆଯାଇଛି, ତାହା ମଧ୍ୟ ଅସମ୍ପୂର୍ଣ୍ଣ ବୋଲି ରାଜ୍ୟମାନଙ୍କ ପକ୍ଷରୁ କୁହାଯାଇଥିଲା। କେନ୍ଦ୍ରୀୟ ସଂସ୍ଥାମାନଙ୍କ ଦ୍ବାରା ନଥିପତ୍ର ଯୋଗାଇ ଦିଆଯିବାରେ ସହଯୋଗ କରାଯାଉନଥିବା ଯୋଗୁଁ ମାମଲାର ଶୁଣାଣିରେ ବିଳମ୍ବ ହେଉଥିବା ନେଇ ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟ୍ରିବ୍ୟୁନାଲ ନଥିପତ୍ର ଯୋଗାଇଦେବା ପାଇଁ ଶେଷ ସୁଯୋଗ ଦେଇ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ନୋଟିସ ଜାରି କରିଥିଲେ। ଯଦି ନିର୍ଧାରିତ ସମୟ ଅବଧି‌ରେ ନଥିପତ୍ର ଦାଖଲ ନ ହୁଏ, ତାହା ହେଲେ କେନ୍ଦ୍ରୀୟ ଏଜେନ୍ସିଙ୍କୁ ସମନ କରାଯିବ ବୋଲି ଟ୍ରିବ୍ୟୁନାଲ ଚେତାଇ ଦେଇଥିଲେ। ଆଜିର ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲରେ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ନିକଟରୁ କେଉଁ ସବୁ ତଥ୍ୟ ଲୋଡ଼ା ଯାଇଥିଲା, କେଉଁ ସବୁ ତଥ୍ୟ ହାସଲ ହୋଇଛି, କେଉଁ ସବୁ ତଥ୍ୟ ବର୍ତ୍ତମାନ ସୁଦ୍ଧା ଯୋଗାଇ ଦିଆଯାଇ ନାହିଁ, ସେ ନେଇ ଏକ ସମ୍ମିଳିତ ଚିଠା ଉପସ୍ଥାପନ କରାଯାଇ ବାସ୍ଥବ ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆବଶ୍ୟକ ହେଉଥିବା ତଥ୍ୟଗୁଡିକୁ କେନ୍ଦ୍ରୀୟ ସଂସ୍ଥାମାନଙ୍କ ନିକଟରୁ ଯୋଗାଇଦେବା ପାଇଁ ଛତିଶଗଡ଼ ଓ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲରେ ଗତ ବର୍ଷ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା। ଏହାକୁ ଭିତ୍ତି କରି ଟ୍ରିବ୍ୟୁନାଲ ଦୁଇ ରାଜ୍ୟଙ୍କୁ ଆବଶ୍ୟ କାଗଜପତ୍ର ଯୋଗାଇଦେବାକୁ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ର ଧାରା ୯(୧) ଅନୁଯାୟୀ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ, ଭାରତୀୟ ପାଣିପାଗ ବିଭାଗ ସମେତ ୧୭ଟି ବିଭିନ୍ନ ‌କେନ୍ଦ୍ରୀୟ ସଂସ୍ଥାମାନଙ୍କ ପାଖରୁ ମହାନଦୀ ଜଳ ସମ୍ପର୍କିତ ତଥ୍ୟ, କାଗଜପତ୍ର ଓ ରିପୋର୍ଟ ଉପଲବ୍ଧ କରାଇବା ପାଇଁ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା।

ଶନିବାରର ଶୁଣାଣିରେ ଉଭୟ ରାଜ୍ୟ ମାନଙ୍କ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଅନ୍ତରୀଣ ବ୍ୟବସ୍ଥାକୁ ନେଇ ଯେଉଁ ସବୁ ଆଲୋଚନା ଜାରି ରହିଛି ସେ ନେଇ ଅବଗତ କରାଯାଇଥିଲା। ଦୁଇ ରାଜ୍ୟ ଅନ୍ତରୀଣ ବ୍ୟବସ୍ଥା ପ୍ରସଙ୍ଗରେ ବିଚାର ବିମର୍ଷ ଜାରି ରଖିଥିବାରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣିକୁ ଘୁଞ୍ଚାଇବା ପାଇଁ ପ୍ରାର୍ଥନା କରିଥିଲେ। ମାମଲାର ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଉପରେ ଟ୍ରିବ୍ୟୁନାଲ ଗୁରୁତ୍ବାରୋପ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅ‌ଗଷ୍ଟ ୧୪ ତାରିଖ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର