ମହାନଦୀ ଜଳ ବିବାଦ ମାମଲା: କେନ୍ଦ୍ରୀୟ ସଂସ୍ଥା ଦେଉ ନାହାନ୍ତି ତଥ୍ୟ

ନୂଆଦିଲ୍ଲୀ : ଶନିବାର ଦିନ ‘ଭର୍ଚୁଆଲ ମୋଡ୍‌’ରେ ହୋଇଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଶୁଣାଣିରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ପୁଣି ଥରେ ମାମଲାର ଶୁଣାଣି ଡିସେମ୍ବର ୧୮କୁ ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମହାନଦୀ ଜଳ ବିବାଦର ଶୁଣାଣି କରିଥିଲେ। ବିବାଦର ସମାଧାନ ପାଇଁ ଆବଶ୍ୟକ ହେଉଥିବା ମହାନଦୀ ଅବବାହିକା ସଂକ୍ରାନ୍ତ ନଥି ତଥା ଦସ୍ତାବିଜ୍‌ ଏବେବି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଦ୍ବାରା ସଂପୂର୍ଣ୍ଣ ରୂପେ ଓଡ଼ିଶା ଓ ଛତିଶଗଡ଼କୁ ପ୍ରଦାନ କରାଯାଇନାହିଁ। ଏ ନେଇ ଆଜି ପୁଣି ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଦ୍ବାରା ବର୍ତ୍ତମାନ ସୁଦ୍ଧା ଯେଉଁ ସବୁ ତଥ୍ୟ ଉପଲବ୍ଧ କରାଯାଇଛି ସେ ସଂପର୍କରେ ଦୁଇ ରାଜ୍ୟ ପୃଥକ ଭାବେ ଟ୍ରିବ୍ୟୁନାଲକୁ ଜଣାଇଥିଲେ। ଏହା ସହିତ ସଂପୂର୍ଣ୍ଣ ନଥିପତ୍ର ହାସଲରେ ହେଉଥିବା ବିଳମ୍ବ ତଥା କିଛି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ସତ୍ତ୍ବେ କାଗଜପତ୍ର ଯୋଗାଇ ନଦେବା ଶୁଣାଣି ପ୍ରକ୍ରିୟାରେ ମନ୍ଥରତା ସୃଷ୍ଟି କରୁଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆବଶ୍ୟକ ହେଉଥିବା ନଥି ଓ ଦସ୍ତାବିଜ୍‌ ପାଇଁ ଦୁଇ ରାଜ୍ୟ ଗତ ବର୍ଷ ଅଗଷ୍ଟରେ ଅନ୍ତଃ ରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଧାରା ୯(୧) ଅନୁଯାୟୀ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ, ଭାରତୀୟ ପାଣିପାଗ ବିଭାଗ ସମେତ ୧୭ଟି କେନ୍ଦ୍ରୀୟ ସଂସ୍ଥାମାନଙ୍କ ପାଖରୁ ଉପଲବ୍ଧ କରିବା ପାଇଁ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ। ମହାନଦୀ ଅବବାହିକା ସମ୍ପର୍କରେ ଅଧିକ ଦସ୍ତାବିଜ୍‌ ଅଧ୍ୟୟନର ଆବଶ୍ୟକତା ରହିଥିବା ଉଭୟ ରାଜ୍ୟ ସେମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନରେ ଉଲ୍ଲେଖ କରିଥିଲେ। ବିବାଦର ଶୀଘ୍ର ସମାଧାନ ପାଇଁ ଓଡ଼ିଶା ଉଦ୍ୟମ ଚଳାଇଥିବା ବେଳେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସଂପୂର୍ଣ୍ଣ ଦସ୍ତାବିଜ୍‌ ଦେଉନଥିବାରୁ ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି ହୋଇଛି।

ଆଜି ପୁଣିଥରେ ଟ୍ରିବ୍ୟୁନାଲ୍‌ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ବଳକା ଦସ୍ତାବିଜ୍‌ଗୁଡ଼ିକୁ ଶୀଘ୍ର ଯୋଗାଇଦେବା ଉପରେ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ରୀୟ ସଂସ୍ଥାମାନଙ୍କ ସହିତ ପୁଣିଥରେ ବୈଠକ କରିବା ପାଇଁ ରେଜିଷ୍ଟ୍ରାର୍‌ଙ୍କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ଯେଉଁ ଅତିରିକ୍ତ ନଥିପତ୍ର ଦାଖଲ କରାଯାଇଥିଲା ସେଗୁଡ଼ିକର ଉତ୍ତର ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ୪ ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଏଥିସହିତ ଓଡ଼ିଶା ଓ ଛତିଶଗଡ଼ ପରସ୍ପରକୁ ନିଜ ନିଜର ଦସ୍ତାବିଜ୍‌ ଓ ତଥ୍ୟ ପ୍ରମାଣ ପ୍ରଦାନ ପ୍ରକ୍ରିୟା ଶେଷ କରିବା ପାଇଁ ମଧ୍ୟ ଟ୍ରିବ୍ୟୁନାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର