ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଏବେ ବି କେନ୍ଦ୍ରୀୟ ଏଜେନ୍ସିଗୁଡିକ ଓଡ଼ିଶା ଓ ଛତିଶଗଡ଼କୁ ମହାନଦୀ ବେସିନ ସଂପର୍କିତ ସମସ୍ତ ଦସ୍ତାବେଜ ଦେଇ ନାହାନ୍ତି। ଫଳରେ ଟ୍ରିବ୍ୟୁନାଲରେ ମାମଲା ଶୁଣାଣିରେ ଅଗ୍ରଗତି ହୋଇପାରୁ ନାହିଁ। ଆଜି ପୁଣିଥରେ ମହାନଦୀ ଜଳ ଟ୍ରିବ୍ୟୁନାଲ ସଂକ୍ଷିପ୍ତ ଶୁଣାଣି କରି ମାମଲାକୁ ମାର୍ଚ୍ଚ ୧୨କୁ ଘୁଂଚାଇ ଦେଇଛନ୍ତି। ଅପରପକ୍ଷେ, ଟ୍ରିବ୍ୟୁନାଲଙ୍କ ପୂର୍ବ ଆଦେଶ ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ସାକ୍ଷୀ ତାଲିକାକୁ ଟ୍ରିବ୍ୟୁନାଲ ରେକର୍ଡକୁ ନେଇଛନ୍ତି। ସୂଚନାଯୋଗ୍ୟ, ଓଡିଶା ଦ୍ବାରା ଗତ ମାସ ୧୫ ତାରିଖରେ ଏବଂ ଛତିଶଗଡ଼ ଦ୍ବାରା ଗତକାଲି ଟ୍ରିବ୍ୟୁନାଲରେ ସାକ୍ଷୀ ତାଲିକା ଦାଖଲ କରାଯାଇଥିଲା।
ସୁପ୍ରିମ୍କୋର୍ଟ ବିଚାରପତି ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ମହାନଦୀ ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣିରେ ଆବଶ୍ୟକ ନଥିପତ୍ର ଏବେବି ପୂର୍ଣ୍ଣତଃ ଯୋଗାଇ ଦିଆଯାଇ ନାହିଁ ବୋଲି ଅବଗତ କରାଯାଇଥିଲା। ଦସ୍ତାବେଜ ପାଇଁ ଦୁଇ ରାଜ୍ୟ ଦ୍ବାରା ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିଙ୍କ ସହିତ କରାଯାଇଥିବା ବିଚାରବିମର୍ଶ ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ସୂଚିତ କରାଯାଇଥିଲା। ସମୁଦାୟ ନଅଟି କେନ୍ଦ୍ରୀୟ ଏଜେନ୍ସି ମଧ୍ୟରୁ ନାବାର୍ଡ, ଏନ୍ଡିଏମ୍ଏ, ଆଇସିଏଆର୍, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଏବଂ ନ୍ୟାସନାଲ ୱାଟର୍ ଇନ୍ଫରମେଟିକ୍ସ ସେଣ୍ଟର ସହିତ ନଥିପତ୍ର ଯୋଗାଇଦେବା ପାଇଁ ବୈଠକ ହୋଇସାରିଛି ଏବଂ ଆଉ ଚାରିଟି ସଂସ୍ଥା –ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ସର୍ଭେ ଅଫ୍ ଇଣ୍ଡିଆ ଏବଂ ଜାତୀୟ ମୃତ୍ତିକା ସର୍ଭେ ଓ ଜମି ବ୍ୟବହାର ଯୋଜନା ବୋର୍ଡ ସହିତ ଗୋଟିଏ ସପ୍ତାହ ଭିତରେ ବୈଠକ କରାଯିବ ବୋଲି ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା। ପରବର୍ତ୍ତୀ ଶୁଣାଣି (ମାର୍ଚ୍ଚ ୧୨) ଭର୍ଚ୍ଚୁଆଲରେ ହେବ ନା ଫିଜିକାଲ ହେବ ସେ ନେଇ ସେହି ସମୟର ସ୍ଥିତି ଅନୁସାରେ ନିଷ୍ପତ୍ତି ନେବେ ବୋଲି ଟ୍ରିବ୍ୟୁନାଲ କହିଥିଲେ।