ନୂଆଦିଲ୍ଲୀ, (ନଇମ ଅଖତାର): ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନକୁ ଆସନ୍ତାକାଲି ଚାରି ବର୍ଷ ଛୁଇଁବ। ହେଲେ ବିଡ଼ମ୍ବନାର କଥା ହେଲା ଟ୍ରିବ୍ୟୁନାଲ ଗଠନର ୪ ବର୍ଷ ପରେ ମଧ୍ୟ ମହାନଦୀ ଜଳ ବିବାଦ ମାମଲା କୌଣସି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ପାରିନାହିଁ। ଛତିଶଗଡ ସରକାରଙ୍କ ବେଆଇନ ନିର୍ମାଣ ଉପରେ ରୋକ୍ ଲାଗିନାହିଁ କିମ୍ବା ଅଣମୌସୁମୀ ସମୟରେ ଜଳାଭାବ ଦୂର ଲାଗି କୌଣସି ଅନ୍ତରୀଣ ନିର୍ଦେଶନାମା ମିଳିନାହିଁ। ଅର୍ଥାତ୍ ଅଦାଲତି ପ୍ରକ୍ରିୟା ଭିତରେ ଏହି ପ୍ରସଙ୍ଗଟି ଏବେ ଚାପି ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଓ ଛତିଶଗଡ ଜଳବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଅନ୍ତଃରାଜ୍ୟ ନଦୀ ଜଳବିବାଦ ଆଇନ ୧୯୫୬ର ଧାରା ୪ ଅନୁସାରେ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ କରିଥିଲେ। ସେହିବର୍ଷ ଏପ୍ରିଲ ୧୭ ତାରିଖରେ କେନ୍ଦ୍ର ଜଳସମ୍ପଦ ସଚିବଙ୍କ ପକ୍ଷରୁ ଟର୍ମସ ଅଫ ରେଫରେନ୍ସ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଏ.ଏମ.ଖାନୱିଲକରଙ୍କୁ ପ୍ରଦାନ କରାଯାଇଥିଲା। ଅକ୍ଟୋବର ୧୦ରେ ଓଡ଼ିଶା ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଆବେଦନ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିଲା ଏବଂ ଅକ୍ଟୋବର ୧୩ ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଆସନ୍ତାକାଲି ଟ୍ରିବ୍ୟୁନାଲ ଗଠନକୁ ଚାରି ବର୍ଷ ପୂରିଯିବ ଏବଂ ଟ୍ରିବ୍ୟୁନାଲ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ୨୬ ତମ ଶୁଣାଣି କରିବେ। କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ଧରି ଭର୍ଚ୍ଚୁଆଲ ପ୍ଲାଟଫର୍ମ ଜରିଆରେ ଶୁଣାଣି ଜାରି ରହିଛି। ମହାନଦୀ ପାଣି ପାଇଁ ଓଡିଶା ଓ ଛତିଶଗଡର ନ୍ୟାୟିକ ଲଢେଇ ବର୍ତ୍ତମାନ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ଓ ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରୁଛି।
ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶାର ମୂଳ ଆବେଦନର ଶୁଣାଣି ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ୨୦୧୮ ମସିହା ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିଲା। ୫୭୦ ପୃଷ୍ଠା ସମ୍ବଳିତ ଅନ୍ତରୀଣ ଆବେଦନରେ ଛତିଶଗଡ ସରକାରଙ୍କ ଦ୍ବାରା ମହାନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ୬ ଟି ବ୍ୟାରେଜ ଉପରେ ସ୍ଥଗିତାଦେଶ ଜାରି କରିବା ତଥା ମହାନଦୀରେ ଅଣ-ମୌସୁମୀ ସମୟରେ (ନଭେମ୍ବର-ମେ’) ୧.୭୪ ନିୟୁତ ଏକର ଫୁଟ (ଏମ୍ଏଏଫ୍) ଜଳ ଛାଡିବା ପାଇଁ ଛତିଶଗଡକୁ ନିର୍ଦ୍ଦେଶ ଦେବାପାଇଁ ପ୍ରାର୍ଥନା କରାଯାଇଥିଲା। ମାମଲାର ଶୁଣାଣି ଫେବ୍ରୁଆରି ୯, ୨୦୧୯ ରେ ଶେଷ ହୋଇଥିଲା। ମାମଲାର ରାୟ ସଂରକ୍ଷିତ ରଖିବା ସହିତ ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ଆପୋସ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ। ହେଲେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ ଶୁଣାଇ ନାହାନ୍ତି।
ଏପଟେ ସମୁଦାୟ ୭ ଥର ଟ୍ରିବ୍ୟୁନାଲ ଉଭୟ ରାଜ୍ୟଙ୍କୁ ଆପୋସ ଆଲୋଚନା ପାଇଁ ସୁଯୋଗ ଦେଇଥିଲେ। ତଦନୁସାରେ ଉଭୟ ପକ୍ଷ ମାର୍ଚ୍ଚ ୨୦୧୯ ପରଠାରୁ ୧୦ ଥର ବୈଠକ କରିଛନ୍ତି। ଉଭୟ ରାଜ୍ୟର ଜଳସଂପଦ ବିଭାଗର ସଚିବ ସ୍ତରୀୟ, ଆଡଭୋକେଟ ଜେନରାଲ ସ୍ତରୀୟ ଏବଂ ବୈଷୟିକ ଟିମ୍ ସ୍ତରୀୟ ଆଲୋଚନା ହୋଇଛି। ହେଲେ ବୃଥା ଯାଇଛି। ଓଡ଼ିଶାର ଯୁକ୍ତିକୁ ଛତିଶଗଡ ମାନିବାକୁ ପ୍ରସ୍ତୁତ ନାହିଁ ଏବଂ ଛତିଶଗଡର ଯୁକ୍ତିକୁ ଓଡ଼ିଶା ଗ୍ରହଣ କରିପାରୁନାହିଁ। ବରଂ ଉଭୟ ରାଜ୍ୟ ମହାନଦୀର ଛତିଶଗଡ ଓ ଓଡ଼ିଶା ପଟରେ ବୁଲିବୁଲି ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରୁ ଗୋଟିଏ ସଙ୍କେତ ମିଳୁଛି ଯେ ଆସନ୍ତା ଦିନରେ ଅଧିକ ବଳିଷ୍ଠ ଢଙ୍ଗରେ ଲଢ଼ିବାକୁ ଉଭୟ ରାଜ୍ୟର ଏହା ପ୍ରସ୍ତୁତି ହୋଇପାରେ। ଓଡ଼ିଶାରୁ ନଅ ଜଣ ଏବଂ ଛତିଶଗଡ ପକ୍ଷରୁ ସାତ ଜଣ ସାକ୍ଷୀଙ୍କ ତାଲିକା ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି। ଟ୍ରାଏଲ ସମୟରେ ସାକ୍ଷୀମାନେ ମହାନଦୀ ଜଳ ପ୍ରବାହ ତଥା ମାମଲା ସଂପର୍କିତ ଅନ୍ୟ ସବୁ ଦିଗ ଉପରେ ତଥ୍ୟ ଉପସ୍ଥାପନ କରିବେ। ହେଲେ ଏବେବି ମାମଲାର ଟ୍ରାଏଲ ଆରମ୍ଭ ହୋଇପାରିନାହିଁ।
ବିସ୍ମୟର କଥା ହେଲା, ଏହି ବିବାଦର ଆଇନଗତ ସମାଧାନ ପାଇଁ ଆବଶ୍ୟକ ମହାନଦୀ ଅବବାହିକା ସଂପର୍କିତ ସମସ୍ତ ନଥିପତ୍ର ଓ ଦସ୍ତାବିଜ କେନ୍ଦ୍ରୀୟ ସଂସ୍ଥାମାନେ ଏଯାଏ ଓଡ଼ିଶା ଓ ଛତିଶଗଡ଼କୁ ଯୋଗାଇ ନାହାନ୍ତି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, ଭୂତଳ ଜଳ କର୍ତୃପକ୍ଷ ,ଭାରତର ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ନାବାର୍ଡ, ଜାତୀୟ ମୃତ୍ତିକା ସର୍ଭେ ଓ ଜମି ବ୍ୟବହାର ଯୋଜନା ବୋର୍ଡ,ନ୍ୟାସନାଲ ରିମୋର୍ଟ ସେନ୍ସିଂ ସେଣ୍ଟର ଏବଂ ସର୍ଭେ ଅଫ ଇଣ୍ଡିଆ ଭଳି ସଂସ୍ଥା ଦେଇଥିବା ଦସ୍ତାବିଜ ପୂର୍ଣ୍ଣାଙ୍ଗ ନଥିପତ୍ର ନୁହେଁ ବୋଲି ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଜଣାଇସାରିଛନ୍ତି। ଏହା ଶୁଣାଣି ପ୍ରକ୍ରିୟାରେ ବାଧକ ସୃଷ୍ଟି କରୁଛି। ଏପରିକି ଟ୍ରିବ୍ୟୁନାଲ ଏସବୁ କେନ୍ଦ୍ରୀୟ ସଂସ୍ଥାଙ୍କୁ ବାରମ୍ବାର ନୋଟିସ ଜାରି କରିଥିଲେ ହେଁ, ଏହା ପ୍ରଭାବଶୂନ୍ୟ ପରିଲକ୍ଷିତ ହୋଇଛି ।
ଅନ୍ୟପଟରେ ମହାନଦୀର ଜଳ ପ୍ରବାହ ସଂପର୍କିତ ତଥ୍ୟ ଏହି ମାମଲାରେ ବିଶେଷ ଗୁରୁତ୍ବ ରଖେ। ଏ ଦୃଷ୍ଟିରୁ ମହାନଦୀ ଶଯ୍ୟାରେ ଜଳପ୍ରବାହର ସ୍ଥିତି, ଜଳଧାରଣର କ୍ଷମତାର ଆକଳନ, ଗଭୀରତା, ଦୂରତା,ଦୈର୍ଘ୍ୟ,ପ୍ରସ୍ଥ ଆଦି ସଂପର୍କିତ ହାଇଡ୍ରୋଗ୍ରାଫି ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି। ମହାନଦୀ ଶଯ୍ୟାର ବାସ୍ତବତା ଓ ପରିବର୍ତ୍ତନ ସଂପର୍କରେ ସର୍ଭେ ଜରିଆରେ ସବିଶେଷ ବିବରଣୀ ହାସଲ କରାଯାଇପାରିବ। ସର୍ଭେ ସମୟସାପେକ୍ଷ ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲରେ ଏହି ରିପୋର୍ଟ ଦାଖଲରେ ବିଳମ୍ବ ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଶେଷଥର ପାଇଁ ମହାନଦୀ ଶଯ୍ୟାରେ ହାଇଡ୍ରୋଗ୍ରାଫି ସର୍ଭେ ୨୦୧୫ରେ କରାଯାଇଥିଲା।
ଏଠାରେ ଉଲ୍ଲେଖଥାଉକି, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଧାର୍ଯ୍ୟ ୩ ବର୍ଷ ମଧ୍ୟରେ ରିପୋର୍ଟ ଦାଖଲ କରିପାରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତ ବର୍ଷ ଟ୍ରିବ୍ୟୁନାଲର ଅବଧିକୁ ଦୁଇ ବର୍ଷ ବୂଦ୍ଧି କରିଥିଲେ। ଆସନ୍ତା ବର୍ଷ (୨୦୨୩) ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲଙ୍କ ଅବଧି ଶେଷ ହେବ। ଏହି ସମୟ ଭିତରେ ଟ୍ରିବ୍ୟୁନାଲ ଚୂଡାନ୍ତ ରିପୋର୍ଟ ଦାଖଲ କରିପାରିବ କି ନାହିଁ, ସେ ନେଇ ଏବେ ବି ବିଶେଷଜ୍ଞ ସନ୍ଦିହାନ୍ ଅଛନ୍ତି।