ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ୩୧ତମ ଶୁଣାଣି ନଭେମ୍ବର ୫ରେ ହେବ। ଏ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କ ରେଜିଷ୍ଟ୍ରାର ମାମଲାରେ ପକ୍ଷଭୁକ୍ତ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡକୁ ସୂଚନା ଦେଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ଶୁଣାଣିକୁ ଟ୍ରିବ୍ୟୁନାଲ ବାତିଲ କରିଦେଇଛନ୍ତି। ନଭେମ୍ବର ୫ରେ ଟ୍ରିବ୍ୟୁନାଲ ଭର୍ଚୁଆଲ ବଦଳରେ ଫିଜିକାଲ୍‌ ଶୁଣାଣି କରିବେ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ମାର୍ଚ ୨୦୧୮ରୁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ମାମଲାର ଶୁଣାଣି ଜାରି ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ମାମଲାରେ କୌଣସି ରାୟ କିମ୍ବା ଆଦେଶ ଜାରି କରିନାହାନ୍ତି।

Advertisment

ମହାନଦୀ ଜଳକୁ ନେଇ ଓଡ଼ିଶା ସରକାରଙ୍କ ସତ୍ୟପାଠ

ନୂଆଦିଲ୍ଲୀ : ମହାନଦୀ ଅବବାହିକାରେ ଜଳର ଉପଲବ୍ଧତାକୁ ନେଇ ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ସତ୍ୟପାଠ ଦାଖଲ କରିଛନ୍ତି। ଓଡ଼ିଶା ସରକାରଙ୍କ ସାକ୍ଷୀ ଭାବେ କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ସଦସ୍ୟ ଯନ୍ତ୍ରୀ ଏମ୍‌ଇ ହକ୍‌ଙ୍କ ଦ୍ବାରା ଏହା ପ୍ରସ୍ତୁତ କରାଯାଇଛି। ମହାନଦୀ ଅବବାହିକାରେ ୧୯୭୧-୭୨ ରୁ ୨୦୧୯-୨୦୨୦ ପର୍ଯ୍ୟନ୍ତ ଜଳର ବାର୍ଷିକ ହାରାହାରି ଉପଲବ୍ଧତାକୁ ନେଇ ଏହା ପ୍ରସ୍ତୁତ କରାଯାଇଛି। ୫୨ ପୃଷ୍ଠା ବିଶିଷ୍ଟ ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି, ମହାନଦୀ ଅବବାହିକାରେ ଏକ ଲକ୍ଷ ୪୧ ହଜାର ୫୨୯ ବର୍ଗ କିମି ଜଳଧାରଣ (କ୍ୟାଚମେଣ୍ଟ) ଅଞ୍ଚଳ ରହିଛି। ଏଥିରେ ବାର୍ଷିକ ହାରାହାରି ୫୮.୦୦୮ ନିୟୁତ ଏକର ଫୁଟ(ଏମ୍‌ଏଏଫ୍‌) ଜଳ ଉପଲବ୍ଧ ହୋଇଥାଏ। ଅନ୍ୟ ପକ୍ଷରେ ହୀରାକୁଦ ଜଳଭଣ୍ଡାରରେ ବାର୍ଷିକ ହାରାହାରି ୩୨.୧୨୫ ଏମ୍‌ଏଏଫ୍‌ ଜଳ ଉପଲବ୍ଧ।

ମହାନଦୀ ଅବବାହିକାରେ ଜଳର ଉପଲବ୍ଧତାକୁ ନେଇ ବିଭିନ୍ନ ସଂସ୍ଥାମାନଙ୍କ ପ୍ରଦତ୍ତ ତଥ୍ୟକୁ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ନିଜ ନିଜର ପକ୍ଷକୁ ଟ୍ରିବ୍ୟୁନାଲରେ ଦୃଢ଼ଭାବେ ଉପସ୍ଥାପନ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ୯ ଜଣ ଓ ଛତିଶଗଡ଼ ସରକାରଙ୍କ ଦ୍ବାରା ୭ ଜଣ ସାକ୍ଷୀଙ୍କ ତାଲିକା ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟରୁ ୩ ଜଣ ଲେଖାଏଁ ସାକ୍ଷୀ ଟ୍ରିବ୍ୟୁନାଲରେ ସତ୍ୟପାଠ ଦାଖଲ କରିଛନ୍ତି। ଗତ ଅଗଷ୍ଟ ୨୭ ଶୁଣାଣି ବେଳେ ଟ୍ରିବ୍ୟୁନ‌ାଲ ପକ୍ଷଭୁକ୍ତ ଦୁଇ ରାଜ୍ୟକୁ ବଳକା ସାକ୍ଷୀମାନଙ୍କ ସତ୍ୟପାଠକୁ ଶୀଘ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରୀୟ ସଂସ୍ଥାମାନଙ୍କ ଠାରୁ ମହାନଦୀ ଅବବାହିକା ସଂକ୍ରାନ୍ତ ସଂପୂର୍ଣ୍ଣ ତଥ୍ୟ ରାଜ୍ୟମାନଙ୍କୁ ମିଳି ନଥିବାରୁ ସତ୍ୟପାଠ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ଜଣାପଡ଼ିଛି।