ମହାନଦୀ ଜଳବିବାଦ: ଠପ୍‌ ହେଲା ଟ୍ରିବ୍ୟୁନାଲ୍‌

ବଢ଼ିଲାନି ଅବଧି, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ଓଡ଼ିଶା, ଛତିଶଗଡ଼

ନୁଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହ‌ାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ଙ୍କ ଅବଧି ଚଳିତମାସ ୧୧ରେ ଶେଷ ହୋଇଛି। ଏହାପରେ ଆଗକୁ ଟ୍ରିବ୍ୟୁନାଲ୍‌ଙ୍କ ଅବଧି ବୃଦ୍ଧି ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗିରହିଛି। ଏହାର ପ୍ରଭାବ ଟ୍ରିବ୍ୟୁନାଲ୍‌ଙ୍କ ଶୁଣାଣି ଓ କ୍ଷେତ୍ର ପରିଦର୍ଶନ ଉପରେ ପଡ଼ିଛି। କାର୍ଯ୍ୟକାଳ ଅବଧି ବୃଦ୍ଧି ନହେବାରୁ ଟ୍ରିବ୍ୟୁନାଲ୍‌ ଆସନ୍ତା ୨୫ ତାରିଖ ଶୁଣାଣିକୁ ବାତିଲ କରିଦେଇଥିବା ବେଳେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି। ଟ୍ରିବ୍ୟୁନାଲ୍‌ଙ୍କ ଅବଧି ବୃଦ୍ଧି ପାଇଁ ଓଡ଼ିଶା ଓ ଛତିଶଗଡ଼ ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟ‌ଙ୍କ ଦ୍ବାରସ୍ଥ ହେବେ ବୋଲି ଏକ ସୂଚନା ମିଳିଛି।

ଦୁଇ ଆସେସର ଓଡ଼ିଶା ଓ ଛତିଶଗଡ଼ ବୈଷୟିକ ଟିମ୍‌ ସହ ବିଚାରବିମର୍ଶ କରି ଟ୍ରିବ୍ୟୁନାଲ୍‌ଙ୍କ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ ପାଇଁ ଗସ୍ତସୂଚୀ ଏକପ୍ରକାର ଚୂଡ଼ାନ୍ତ କରିସାରିଥିଲେ। ତେବେ ଟ୍ରିବ୍ୟୁନାଲ୍‌ଙ୍କ ଅବଧି ବୃଦ୍ଧି ନହେବାରୁ ଏହାକୁ ବାତିଲ କରିଦିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଚଳିତ ମାସ ୨୫ ତାରିଖରେ ଟ୍ରିବ୍ୟୁନାଲ୍‌ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହା ମଧ୍ୟ ଅବଧି ବୃଦ୍ଧି ବିଜ୍ଞପ୍ତି ଉପରେ ନିର୍ଭର କରୁଛି।

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୨୦୧୮ ମାର୍ଚ୍ଚ ୧୨ରେ ଗଠିତ ହୋଇଥିଲା। ପ୍ରଥମ ତିନିବର୍ଷର ଅବଧି ୨୦୨୧ରେ ଶେଷ ହେବାପରେ ଏହାର କାର୍ଯ୍ୟକାଳକୁ ଆଉ ଦୁଇବର୍ଷ ବୃଦ୍ଧି କରାଯାଇଥିଲା। ଯାହାର କି ଅବଧି ଚଳିତ ମାସ ୧୧ରେ ଶେଷ ହୋଇଛି। ‌‌ଗତ ‌ଫେବ୍ରୁଆରି ୧୩ ଶୁଣାଣି ବେଳେ ଟ୍ରିବ୍ୟୁନାଲ୍‌ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ପରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପତ୍ର ଲେଖିଥିଲେ। ଏହା ପରେ ଟ୍ରିବ୍ୟୁନାଲ୍‌ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ‘ଷ୍ଟାଟସ୍‌ ରିପୋର୍ଟ’ ପଠାଇଥିଲେ। ଅବଧି ବୃଦ୍ଧି ଆବେଦନ ଏବେ ଆଇନ ମନ୍ତ୍ରାଳୟ ନିକଟରେ ବିଚାରାଧୀନ ରହିଛି।

Mongabay-India

କେନ୍ଦ୍ର ସରକାର ସମସ୍ତ ଜଳବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପ୍ରସ୍ତାବ ରଖିଛନ୍ତି। ଏ ସଂକ୍ରାନ୍ତରେ ଲୋକସଭାରେ ଜୁଲାଇ ୩୧, ୨୦୧୯ରେ ଅନ୍ତଃ ରାଜ୍ୟ ନଦୀ ଜଳ ବିବାଦକୁ ସରଳ ଓ ସୁସଙ୍ଗତ କରିବା ଉଦ୍ଦେଶ୍ୟରେ ଏକ ବିଲ୍‌ ୨୦୧୯ରେ ଲୋକସଭାରେ ପାରିତ ହୋଇଛି। ଏହାକୁ ଶୀଘ୍ର ରାଜ୍ୟସଭାରେ ପାରିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି। ଏଥି ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ଅବଧି ବୃଦ୍ଧିକୁ କେନ୍ଦ୍ର ସରକାର ବିଳମ୍ବ କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଜଳଶକ୍ତି ମନ୍ତ୍ରାଳୟର ତଥ୍ୟ କହୁଛି ନିର୍ଦ୍ଦିଷ୍ଟ ଅବଧି ଶେଷ ହେବା ପରେ ମଧ୍ୟ ଟ୍ରିବ୍ୟୁନାଲ୍‌ଗୁଡ଼ିକର ଅବଧି ବୃଦ୍ଧି କରାଯାଇଥାଏ। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ତଥ୍ୟ ଅନୁସାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମେତ ଦେଶରେ ବର୍ତ୍ତମାନ ଚାରିଟି ଟ୍ରିବ୍ୟୁନାଲ୍‌ ସକ୍ରିୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨୦୦୬ରୁ ଗଠନ କରାଯାଇଥିବା କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ୍‌-୨ର ନିର୍ଦ୍ଦିଷ୍ଟ ଅବଧି ଶେଷ ହେବାପରେ ନିୟମିତ ବ୍ୟବଧାନରେ ଏହାକୁ ବୃଦ୍ଧି କରାଯାଉଛି।

ଅନୁରୂପ ଭାବେ ୨୦୧୪ରେ ଗଠନ କରାଯାଇଥିବା ମାଣ୍ଡବୀ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଓ ୧୯୮୬ରେ ଗଠନ କରାଯାଇଥିବା ରବି ଓ ବ୍ୟାସ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଧାରିତ ଅବଧି ଶେଷ ହେବାପରେ ମଧ୍ୟ ବୃଦ୍ଧି କରାଯାଇଛି। ଏପରିକି ଭଙ୍ଗ ହୋଇସାରିଥିବା ଗୋଦାବରୀ, କ୍ରିଷ୍ଣା, ନର୍ମଦା, କାବେରୀ ଓ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଥିଲା। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଗତ ଫେବ୍ରୁଆରି ୧୩ ସୁଦ୍ଧା ୩୫ ଟି ଶୁଣାଣି କରିଛନ୍ତି। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଥିବା‌ବେଳେ ରାୟକୁ ପ୍ରକାଶ କରାଯାଇନାହିଁ। ଓଡ଼ିଶାର ମୂଳ ଆବେଦନର ଶୁଣାଣି ପାଇଁ ପ୍ରସଙ୍ଗ ନିର୍ଦ୍ଧାରଣ ହୋଇସାରିଥିବାବେଳେ ଟ୍ରିବ୍ୟୁନାଲ୍‌ ବିଚାର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ ମହା‌ମାରୀ ଯୋଗୁଁ ଦୁଇ ବର୍ଷ ଧରି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର