ମହାନଦୀ ଜଳବିବାଦ ମାମଲା : ଅସମାପ୍ତ ରହିଲା ଓଡ଼ିଶା ଓ ଛତିଶଗଡ଼ର ବୈଠକ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ତ୍ବରିତ୍‌ ଶୁଣାଣି ପାଇଁ ସମୟ ନିର୍ଦ୍ଧାରଣ ପ୍ରସଙ୍ଗରେ ଗୁରୁବାର ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସିଥିଲା। ଏହି ପରିପ୍ରେକ୍ଷୀରେ ଏହା ଥିଲା ଦ୍ବିତୀୟ ବୈଠକ। ମାତ୍ର, ବୈଠକରେ ଆଲୋଚନା ଅସମାପ୍ତ ରହିଛି। ଆସନ୍ତକାଲି ପୁଣିଥରେ ବୈଠକ ବସିବ ବୋଲି ଜଣାପଡ଼ିଛି।

ଗୁରୁବାରର ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ରର ଆଇନଜୀବୀ ଟିମ୍ , ବୈଷୟିକ ବିଶେଷଜ୍ଞ ଭିଡିଓ କନ୍‌‌ଫେରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ପାଖାପାଖି ଏକ ଘଣ୍ଟା ଧରି ବୈଠକ ଚାଲିଥିଲା। ମିଳିଥିବା ସୂଚନା ଅନୁସାରେ, ବୈଠକରେ ଆଜି ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ମୂଳ ମାମଲା (ରେଫେରାନ୍ସ-୧) ଓ ରେଫେରାନ୍ସ-୨ର ଶୁଣାଣିକୁ ଶୀଘ୍ର ଶେଷ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ମାମଲାର ଶୁଣାଣି ତଥା ବିଭିନ୍ନ ପ୍ରକ୍ରିୟା ଓ ଆଇନଗତ ଦିଗ ଉପରେ ଉଭୟ ପକ୍ଷ ଫୁଙ୍ଖାନୁଫୁଙ୍ଖ ଆଲୋଚନା କରିଥିଲେ। ଅନ୍ୟାନ୍ୟ ଜଳବିବାଦ ମାମଲାର ଶୁଣାଣିର ଟାଇମଫ୍ରେମ୍ ସମ୍ପର୍କରେ ମଧ୍ୟ ପକ୍ଷଭୁକ୍ତ ରାଜ୍ୟମାନେ ମତ ରଖିବା ସହିତ ଏହି ମାମଲାକୁ ନିର୍ଦ୍ଧାରିତ ସମୟ ଅବଧିରେ ଶେଷ କରିବାକୁ ରାଜି ହୋଇଥିଲେ। ହେଲେ, ନିର୍ଦ୍ଧାରିତ ସମୟ ସୀମା ସମ୍ପର୍କରେ ଟ୍ରିବ୍ୟୁନାଲଙ୍କ ନିକଟରେ କିଭଳି ଉପସ୍ଥାପନ କରାଯିବ, ସେ ନେଇ ବୈଠକରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନଥିଲା। ଟ୍ରିବ୍ୟୁନାଲଙ୍କ ନିକଟରେ ସମୟସୀମାର ରୂପରେଖକୁ କେଉଁ ପ୍ରକ୍ରିୟାରେ ଅବଗତ କରାଯିବ , ସେ ସମ୍ପର୍କରେ ଆସନ୍ତାକାଲି ଆଇନଜୀବୀମାନେ ଅଧିକ ବିଚାରବିମର୍ଷ କରିବେ ବୋଲି ଜଣାପଡ଼ିଛି। ଶୁଣାଣି ପାଇଁ ଟାଇମ୍‌ଲାଇନ୍ ଧାର୍ଯ୍ୟ କରିବା ପୂର୍ବରୁ କମନ୍‌ ଇନ୍‌ଫରମେସନ ଫର୍ମାଟକୁ ଟ୍ରିବ୍ୟୁନାଲରେ ଉପସ୍ଥାପନ କରାଯିବାର ବ୍ୟବସ୍ଥା ରହିଥିବାବେଳେ ଆସନ୍ତାକାଲି ଟ୍ରିବ୍ୟୁନାଲରେ ଦୁଇ ଜଣ ଆସେସ୍‌ର ଓଡ଼ିଶା ଓ ଛତିଶଗଡ଼ରେ ବୈଷୟିକ ଟିମ୍ ସହିତ ବିଚାର ବିମର୍ଷ କରିବେ। ତଦନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇ ୫ ତାରିଖ ଦିନ ଟ୍ରିବ୍ୟୁନାଲର ଶୁଣାଣିରେ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର