ମହାନଦୀ ଜଳ ବିବାଦ ମାମଲା : ଛତିଶଗଡ଼ର ଆଉ ଏକ ଚାଲ୍‌

ଜବାବ ଦେଉନି, ସମୟ ଗଡ଼ାଉଛି, କେଲୋ ଓ ଇବ୍ ତଥ୍ୟ ମାଗିଲା

ନୂଆଦିଲ୍ଲୀ : ଅଣମୌସୁମୀ ଋତୁରେ (ନଭେମ୍ବରରୁ ମେ’ ପର୍ଯ୍ୟନ୍ତ) ମହାନଦୀର ଜଳ ପ୍ରବାହକୁ ସୁନିଶ୍ଚିତ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଛତିଶଗଡ଼କୁ କାଉଣ୍ଟର ପ୍ରପୋଜାଲ ଦିଆଯାଇଥିଲା। ଏହାର କୌଣସି ଜବାବ ନଦେଇ ଛତିଶଗଡ଼ ସରକାର ପୁଣି ଏକ ନୂଆ ଚାଲ୍ ଖେଳିଛନ୍ତି। ରାଜ୍ୟ ସରକାରଙ୍କ ପାଖରୁ କେଲୋ ଓ ଇବ୍ ନଦୀ ଜଳ ବଣ୍ଟନ ପଦ୍ଧତି ବିରବଣୀ ମାଗିଛନ୍ତି। ଯେମିତି ସଙ୍କେତ ମିଳୁଛି, ମାମଲା ବିଚାର ପ୍ରକ୍ରିୟାକୁ ବିଳମ୍ବ କରିବା ଲାଗି ଛତିଶଗଡ଼ ସରକାର ଫନ୍ଦି କରୁଛନ୍ତି। ଗୋଟିଏ ପଟେ ଅଧା ଓଡ଼ିଶା ଜଳାଭାବ କାରଣରୁ ଛଟପଟ ହେଉଥିବା ବେଳେ ଅନ୍ୟପଟେ ଟ୍ରିବ୍ୟୁନାଲରେ ପ୍ରଥମ ତିନିବର୍ଷ ଭିତରେ କୌଣସି ରାୟ ଆସିପାରିନାହିଁ। ଏମିତି ସମୟରେ ଛତିଶଗଡ଼ର ଏଭଳି ଖେଳ ଓଡ଼ିଶା ପାଇଁ କାଳ ହେବାକୁ ବସିଲାଣି।

ମିଳିଥିବା ଖବର ଅନୁସାରେ, କେଲୋ ଓ ଇବ୍ ନଦୀର ଜଳ ବଣ୍ଟନ ପଦ୍ଧତିକୁ ଅନୁଧ୍ୟାନ କରିବା ପରେ ଛତିଶଗଡ଼ ତାହର ମତ ରଖିବ ବୋଲି ଜଣାଇଛି। ଚଳିତ ମାସ ୬ ତାରିଖ ଶୁଣାଣିରେ ମହାନଦୀ ଟ୍ରିବ୍ୟୁନାଲ ଓଡ଼ିଶା ଓ ଛତିଗଡ଼କୁ ଅଣମୌସୁମୀ ଋତୁରେ ମହାନଦୀ ଜଳ ପ୍ରବାହ ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ। ଟ୍ରିବ୍ୟୁନାଲ ଜଣାଇଥିଲେ ଯେ ଅନ୍ତରୀଣ ବ୍ୟବସ୍ଥା ଅନ୍ତର୍ଗତ ଯେଉଁ ପ୍ରସ୍ତାବ ଆସିଛି, ତାହା ଉପରେ ସହମତି/ବୁଝାମଣା ନହୋଇ ପାରିଲେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନର ବିଚାର କରି ରାୟ ଶୁଣାଇବେ। ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି ଶେଷହୋଇ ରାୟ ସଂରକ୍ଷିତ ରହିଛି। ଏଣୁ ଏହି ପ୍ରକ୍ରିୟା ଟ୍ରିବ୍ୟୁନାଲ ବିଚାର କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି କୁହାଯାଇପାରେ।

ହେଲେ ଛତିଶଗଡ଼ କହିଛି ଯେ ଓଡ଼ିଶା ଯେଉଁ ପ୍ରସ୍ତାବ ପଠାଇଥିଲା, ସେଥିରେ କେଲୋ ଓ ଇବ୍ ସହାୟକ ନଦୀମାନଙ୍କ ସମ୍ପର୍କରେ କିଛି ବି ଉଲ୍ଲେଖ ନାହିଁ। ଛତିଶଗଡ଼ର ଇବ୍ ଓ କେଲୋ ସହାୟକ ନଦୀ ତଥା ଆନ୍ତଃରାଜ୍ୟ ସୀମାରେ ମାପିବା ବ୍ୟବସ୍ଥା ନାହିଁ। ଏଣୁ ଇବ୍ ଓ କେଲୋ ସହାୟକ ନଦୀରୁ ସିଧାସଳଖ କେତେ ପରିମାଣର ଜଳ ପ୍ରବାହ ହୀରାକୁଦ ଜଳାଶ୍ରୟକୁ ହୋଇଛି ତାହା ଜଣାପଡ଼ିନାହିଁ। କେଲୋ ଓ ଇବ୍ ସହାୟକ ନଦୀରୁ ଅଣମୌସୁମୀ ଋତୁ (ନଭେମ୍ବରୁ ମେ’ ପର୍ଯ୍ୟନ୍ତ) ହୀରାକୁଦକୁ କେତେ ଯୋଗଦାନ ରହିଛି ସେ ସମ୍ପର୍କରେ ଓଡ଼ିଶା ତଥ୍ୟ ଦେଉ।

୧୯୮୬-୮୭ରୁ ୨୦୧୮-୧୯ ଅର୍ଥାତ୍ ୩୦ ବର୍ଷ ଧରି କେଲୋ ଓ ଇବ୍ ସହାୟକ ନଦୀରୁ ହୀରାକୁଦ ଜଳାଶ୍ରୟକୁ କେତେ ଜଳ ଆସିଛି ଛତିଶଗଡ଼ ସେ ତଥ୍ୟ ମାଗିଛି। ହୀରାକୁଦ ଜଳାଶ୍ରୟକୁ ଦୁଇ ସହାୟକ ନଦୀର ଯୋଗଦାନକୁ କିଭଳି ଭାବେ ନିର୍ଧାରଣ କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଜଣାଇବା ପାଇଁ ଛତିଶଗଡ଼ କହିଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ରାଜ୍ୟ ସରକାର ତୁରନ୍ତ ଛତିଶଗଡ଼ ମାଗିଥିବା ତଥ୍ୟ ପ୍ରଦାନ କରିଛି। କିନ୍ତୁ ଏଥିରେ କଣ ସବୁ ତଥ୍ୟ ଦିଆଯାଇଛି, ତାହା ଜଣାପଡ଼ିନାହିଁ। ଟ୍ରିବ୍ୟୁନାଲରେ ଏହି ମାମଲାର ଶୁଣାଣି ମାର୍ଚ ୧୩ ତାରିଖରେ ହେବ।

ସମ୍ବନ୍ଧିତ ଖବର