ମହାନଦୀ ଜଳବିବାଦ ମାମଲା: ଏପ୍ରିଲ ୨୩ ସୁଦ୍ଧା ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ସମେତ ଅନ୍ୟ ପକ୍ଷମାନଙ୍କୁ ସାକ୍ଷ୍ୟପ୍ରମାଣ ଓ ସତ୍ୟପାଠ ଏପ୍ରିଲ ୨୩ ସୁଦ୍ଧା ଦାଖଲ କରିବା ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ବିଚାରପତି ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଟ୍ରିବ୍ୟୁନାଲଙ୍କ ୨୬ତମ ଶୁଣାଣି ହୋଇଥିଲା।

ଜାନୁଆରିରେ ଓଡ଼ିଶା ଓ ଫେବ୍ରୁଆରିରେ ଛତିଶଗଡ଼ ଟ୍ରିବ୍ୟୁନାଲଙ୍କ ନିକଟରେ ସାକ୍ଷୀ ତାଲିକା ଦାଖଲ କରିଥିଲେ। ଓଡ଼ିଶା ପକ୍ଷରୁ ୯ ଓ ଛତିଶଗଡ଼ ପକ୍ଷରୁ ୭ ଜଣ ସାକ୍ଷୀଙ୍କ ନାମ ତାଲିକା ଦାଖଲ ହୋଇଛି। ମାମଲାର ବିଚାର ଆରମ୍ଭ ପୂର୍ବରୁ ଆଜି ସାକ୍ଷ୍ୟ ପ୍ରମାଣ ସତ୍ୟପାଠ ଦାଖଲ ପାଇଁ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଜାରି କରିଛନ୍ତି। ଟ୍ରିବ୍ୟୁନାଲରେ ଦାଖଲ ହୋଇଥିବା ତାଲିକା ଅନୁସାରେ ସାକ୍ଷୀମାନେ ସେମାନଙ୍କ ତଥ୍ୟ ପ୍ରମାଣକୁ ଲିଖିତ ଭାବେ ସତ୍ୟପାଠ ଜରିଆରେ ଦାଖଲ କରିବେ। ‘କମନ୍‌ ଇନଫର୍‌ମେସନ୍‌ ଫର୍ମାଟ’ ଉପଲବ୍ଧ ହୋଇନଥିବାରୁ ଧାର୍ଯ୍ୟ ସମୟ ପରେ ମଧ୍ୟ ଆବଶ୍ୟକ ହେଲେ ସାକ୍ଷ୍ୟ ପ୍ରମାଣ ଦାଖଲ କରାଯାଇ ପାରିବ ବୋଲି ଟ୍ରିବ୍ୟୁନାଲ ଆଜିର ଶୁଣାଣି ବେଳେ ସ୍ପଷ୍ଟ କରିଥିଲେ।

ଗତ ଶୁଣାଣିରେ ଟ୍ରିବ୍ୟୁନାଲଙ୍କ ଆଦେଶ ମୁତାବିକ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କ ସହିତ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପ୍ରତିନିଧିମାନେ ନଥି ଓ ଦସ୍ତାବିଜ୍‌ ହାସଲ ପାଇଁ ପର୍ଯ୍ୟାୟକ୍ରମେ ଯେଉଁ ସବୁ ବୈଠକ କରିଥିଲେ, ସେ ସମ୍ପର୍କରେ ଆଜି ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ବି କିଛି କେନ୍ଦ୍ରୀୟ ସଂସ୍ଥାମାନଙ୍କ ଠାରୁ ପୂର୍ଣ୍ଣାଙ୍ଗ ତଥ୍ୟ ମିଳିପାରି ନାହିଁ ବୋଲି ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଜଣାଇଛନ୍ତି। ଏହା ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କ ସହିତ ଦସ୍ତାବିଜ୍‌ ହାସଲ ନେଇ ଜାରି ରହିଥିବା ପ୍ରୟାସ ସଂପର୍କରେ ମଧ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଆବଶ୍ୟକ ନଥି ହାସଲ କରାଯାଇନଥିବା ସଂପର୍କରେ ଚଳିତ ମାସ ୪ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଅଧିକାରୀମାନଙ୍କ ସହିତ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ପ୍ରତିନିଧି ବୈଠକ କରିଥିଲେ। ମନ୍ତ୍ର‌ାଳୟ ବାକି ଦସ୍ତାବିଜ୍‌ ପ୍ରଦାନ ପାଇଁ କୁହାଯାଇଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି।

ରାଜ୍ୟମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ତଥ୍ୟ ପ୍ରଦାନ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରାଳୟର ଆଞ୍ଚଳିକ କାର୍ଯ୍ୟାଳୟରୁ ତଥ୍ୟ ହାସଲ କରାଯାଇ ଉଭୟ ରାଜ୍ୟଙ୍କୁ ଏପ୍ରିଲ ନଚେତ ମେ ଶେଷ ସୁଦ୍ଧା ସୂଚନା ଦିଆଯିବ ବୋଲି ମନ୍ତ୍ରାଳୟ ଆଶ୍ବସ୍ତ କରିଛି। ଆଜି ପୁଣି ଥରେ ଟ୍ରିବ୍ୟୁନାଲ ରାଜ୍ୟମାନଙ୍କୁ ଆବଶ୍ୟକୀୟ ନଥି ଯୋଗାଇଦେବା ପାଇଁ ତିନିଟି କେନ୍ଦ୍ରୀୟ ସଂସ୍ଥାଙ୍କୁ ନୋଟିସ ଜାରି କରିଛନ୍ତି। ଏଥି ସହିତ ଟ୍ରିବ୍ୟୁନାଲ ଦୁଇ ରାଜ୍ୟ ଲୋଡ଼ିଥିବା ନଥି ଓ ଦସ୍ତାବିଜ୍‌ର ଆବଶ୍ୟକତାର କାରଣ ଦର୍ଶାଇବା ପାଇଁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ ରେ ହେବ।

ସମ୍ବନ୍ଧିତ ଖବର