ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ୨୪ ତାରିଖରେ ଦାଖଲ କରିବ ଅନ୍ତରୀଣ ଆବେଦନ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାର ଆସନ୍ତା ୨୪ ତାରିଖ ( ସୋମବାର) ଦିନ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିବେ। ଆସନ୍ତା ୨୯ ତାରିଖରେ ଏହି ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ହେବାକୁ ଧାର୍ଯ୍ୟ କରାଯାଇ ଥିବାରୁ ରାଜ୍ୟ ସରକାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିବେ। ଦିଲ୍ଲୀରେ ଆଜି ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା ଆବେଦନର ମୁଖ୍ୟ ବିଷୟ ଗୁଡ଼ିକ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ଓ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଶ କରିବା ପରେ ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ୨୪ ତାରିଖରେ ଦାଖଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆବେଦନରେ ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବା ଏବଂ ବିବାଦୀୟ ପ୍ରକଳ୍ପ ନିର୍ମାଣ ପାଇଁ ଛତିଶଗଡ଼କୁ ଅନୁମତି ନଦେବା ସମ୍ପର୍କରେ ଉଲ୍ଲେଖ କରାଯାଇ ଟ୍ରିବ୍ୟୁନାଲ୍‌ଙ୍କୁ ଆଦେଶ ଜାରି କରିବା ପାଇଁ ପ୍ରାର୍ଥନା କରାଯିବ। ଆବେଦନରେ ରାଜ୍ୟ ସରକାର ମହାନଦୀ ଜଳବିବାଦ ସଂପର୍କିତ ସଦ୍ୟ ନଥିପତ୍ର ଓ ପ୍ରମାଣ ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର