ମହାନଦୀ ଜଳବିବାଦ ମାମଲା: ୨୫‌ରେ ଓଡ଼ିଶା-ଛତିଶଗଡ଼ ବୈଠକ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆସନ୍ତା ୨୫ ତାରିଖ ଦିନ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସିବ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଚୂଡ଼ାନ୍ତ ରାୟ ଟ୍ରିବ୍ୟୁନାଲ୍‌ରେ ପ୍ରକାଶ ପାଇବା ପୂର୍ବରୁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସୁପ୍ରିମକୋର୍ଟ ପରିସରରେ ଏହି ବୈଠକ ହେବ। ବୈଠକରେ ଅଣମୌସୁମୀ ସମୟ ଅର୍ଥାତ୍‌ ନଭେମ୍ବରରୁ ମେ’ ମାସ ମଧ୍ୟରେ ଓଡ଼ିଶାକୁ କେତେ ପରିମାଣରେ ମହାନଦୀ ଜଳ ଛାଡ଼ିବାକୁ ହେବ, ସେ ସମ୍ପର୍କରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଆଲୋଚନା କରିବେ। ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀମାନଙ୍କ ସହ ବୈଷୟିକ ବିଶେଷଜ୍ଞମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଗତ ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଥିଲା। ଏହାପରେ, ଛତିଶଗଡ଼ରେ ବ୍ୟାରେଜ୍‌ ନିର୍ମାଣ ବାସ୍ତବରେ ମହାନଦୀ ଜଳପ୍ରବାହକୁ ପ୍ରଭାବିତ କରୁଛି କି ନାହିଁ ତଥା ଅଣମୌସୁମୀ ସମୟରେ ଜଳପ୍ରବାହର ଉଚିତ୍‌ ଆବଣ୍ଟନ ସମ୍ପର୍କରେ ଦୁଇ ରାଜ୍ୟର ଅଧିକାରୀମାନେ ସହମତି ଭିତ୍ତିରେ ନିଷ୍ପତ୍ତି ନେବାପାଇଁ ଟ୍ରିବ୍ୟୁନାଲ୍‌ ପ୍ରସ୍ତାବ ଦେଇଥିଲେ। ତଦନୁଯାୟୀ ଏହି ବୈଠକ ବସୁଛି। ତେବେ, ଏହି ବୈଠକ ଯଦି ବିଫଳ ହୁଏ, ମାର୍ଚ୍ଚ ୯ରେ ଟ୍ରିବ୍ୟୁନାଲ୍‌ ରାୟ ଶୁଣାଇବେ ବୋଲି କହିଥିଲେ। ଏହି ଦୃଷ୍ଟିକୋଣରୁ ଆସନ୍ତା ୨୫ ତାରିଖ ବୈଠକ ଉପରେ ଉଭୟ ରାଜ୍ୟର ନଜର ରହିଛି।

ସମ୍ବନ୍ଧିତ ଖବର