ମହାନଦୀ ଜଳ ବିବାଦ ମାମଲା : ଶୁଣାଣିର ଦିନକ ପୂର୍ବରୁ ୨ ରାଜ୍ୟ ଆଇନଜୀବୀଙ୍କ ଆଲୋଚନା

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ଆସନ୍ତାକାଲି ମାମଲାର ଶୁଣାଣି କରିବେ। ଏହାପୂର୍ବରୁ ଆଜି ଦିଲ୍ଲୀର ଓଡ଼ିଶା ଭବନରେ ଓଡ଼ିଶା ଓ ଛତିଶଗଡ଼ର ଆଇନଜୀବୀମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା, ବରିଷ୍ଠ ଆଇନଜୀବୀ ମୋହନ ବି କଟାର୍କି, ମହେଶ ଅଗ୍ରଵାଲଙ୍କ ସମେତ ଓଡ଼ିଶାର ୫ ଜଣିଆ ଆଇନଜୀବୀ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ କେ ଗାଙ୍ଗୁଲି, କେ କେ ଲାହିରି ଓ ଜଗଦୀଶ ଚନ୍ଦ୍ର ଛାବରା ବୈଠକରେ ଯୋଗଦେଇଥିଲେ। ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ବୈଠକରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ବିଶାଲ ଗଗନ, ରାଜ୍ୟ ଆଇନ ସଚିବ, ବୈଷୟିକ ଟିମ୍ ତଥା ଆଇନଜୀବୀ ଟିମ୍‌ର ସଦସ୍ୟମାନେ ଆସନ୍ତାକାଲି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ପାଇଁ ଯେଉଁ ସବୁ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କାରଯିବ ଏବଂ ଶୁଣାଣିରେ ଓଡ଼ିଶା ରଣନୀତି କ’ଣ ରହିବ ସେନେଇ ବିଚାରବିମର୍ଶ କରିଥିଲେ। ଆସନ୍ତାକାଲି ଶୁଣାଣିରେ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲଙ୍କ ନିକଟରେ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଦାଖଲ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା ନିକଟରେ ହସ୍ତଗତ ହୋଇଥିବା କିଛି ନଥିପତ୍ର ଆଧାରରେ ଆସନ୍ତାକାଲି ଟ୍ରିବ୍ୟୁନାଲରେ ବଳିଷ୍ଠ ଢଙ୍ଗରେ ଲଢ଼ିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା କୁହାଯାଉଛି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଦ୍ବାରା ସଂଗୃହିତ ତଥ୍ୟକୁ ଟ୍ରିବ୍ୟୁନାଲ ଆଗରେ କିଭଳି ପେସ୍ କରାଯିବ ସେନେଇ ବିଚାର ବିମର୍ଶ କରାଯାଇଥିବା ଜଣାପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଓ ମହାନଦୀ ଜଳ ବିବାଦ ମାମଲାରେ ଗଠନ କରାଯାଇଥିବା ଆଇନଜୀବୀ ଟିମ୍ ଛତିଶଗଡ଼ର ଆଇନଜୀବୀ ଟିମ୍ ସହିତ ପାଖାପାଖି ଦୁଇଘଣ୍ଟା ଧରି ଆଲୋଚନା କରିଥିଲେ। ଆଲୋଚନାରେ ଓଡ଼ିଶା ଦ୍ବାରା ଛତିଶଗଡ଼ ଠାରୁ ମାମଲା ସମ୍ପର୍କିତ ଆବଶ୍ୟକୀୟ ଡାଟା ଉପଲବ୍ଧ କରାଇବା ପାଇଁ ଅନୁରୋଧ କରାଯାଇଥିବାର କୁହାଯାଉଛି। ଏତଦ୍‌ବ୍ୟତୀତ ଛତିଶଗଡ଼ର ବିବାଦୀୟ ପ୍ରକଳ୍ପ ଅଞ୍ଚଳକୁ କେବେ ପରିଦର୍ଶନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି। ଗତ ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ବର୍ଷା ବାଧା ସୃଷ୍ଟି କରୁଥିବାରୁ ପ୍ରକଳ୍ପ ଅଞ୍ଚଳ ଗୁଡ଼ିକର ପରିଦର୍ଶନ କରାଯାଇ ପାରିନଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଆଜି ହୋଇଥିବା ଆଇନଜୀବୀ ସ୍ତରୀୟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ପ୍ରକାର ସୂଚନା ପ୍ରଦାନ କରାଯାଇନଥିଲା। ଉଭୟ ରାଜ୍ୟ ଆସନ୍ତାକାଲି ଟ୍ରିବ୍ୟୁନାଲରେ ଆଜିର ବୈଠକ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳିନ ଆବେଦନର ଶୁଣାଣି ଶେଷ କରି ରାୟ ଦେବା ପୂର୍ବରୁ ଟ୍ରିବ୍ୟୁନାଲ ଆପୋଷ ସମାଧାନ ଲାଗି ଓଡ଼ିଶା ଓ ଛତିଶଗଡ଼କୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଦୁଇ ରାଜ୍ୟର ଅଧିକାରୀ ବିଶେଷଜ୍ଞସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଣମୌସୁମୀ ଋତୁରେ ଓଡ଼ିଶାକୁ ୧.୭୨ ଏକର ନିୟୁତ ଫୁଟ୍ ଜଳ ପ୍ରଦାନ ପାଇଁ ଦାବି କରାଯାଇଥିଲା, ଯାହାକୁ ନେଇ ଛତିଶଗଡ଼ ରାଜି ହୋଇନଥିଲା। ଫଳରେ ଦୁଇଟି ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଏହାସତ୍ତ୍ବେ ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ପୁଣି ଗୁରୁତ୍ବ ଦେଇଥିଲେ। ଏଜି ସ୍ତରୀୟ ଆଲୋଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଜି ସ୍ତରୀୟ ବୈଠକରେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ପାରିନଥିଲା। ଏସବୁ ପରିଦୃଶ୍ୟରେ ଆଜି ଅନୁଷ୍ଠିତ ହୋଇଥିବା ଆଇନଜୀବୀସ୍ତରୀୟ ବୈଠକ ଯଥେଷ୍ଟ ଗୁରୁତ୍ବ ବହନ କରୁଛି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର