ମହାନଦୀ ଜଳ ବିବାଦ ମାମଲା : ୪୦ଟି ପ୍ରସଙ୍ଗ ନିର୍ଦ୍ଧାରଣ କଲେ ଟ୍ରିବ୍ୟୁନାଲ୍
ଓଡ଼ିଶାର ଅନେକ ପ୍ରସଙ୍ଗ ତାଲିକାରେ ସାମିଲ, ଅଧିକ ତଥ୍ୟ ପାଇଁ ଛତିଶଗଡ଼କୁ ଅନୁମତି
ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମୂଳ ମାମଲାରେ ଇସ୍ୟୁ ଫ୍ରେମ୍ କରିବା ପାଇଁ ଦୁଇ ରାଜ୍ୟମାନଙ୍କ ଭିତରେ ସହମତି ହୋଇ ନପାରିବାରୁ ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ବାରା ପ୍ରସଙ୍ଗ ଗୁଡ଼ିକର ନିର୍ଦ୍ଧାରଣ କରାଯାଇଛି। ଆଜି ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଟ୍ରିବ୍ୟୁନାଲର ଶୁଣାଣିରେ ୪୦ଟି ପ୍ରସଙ୍ଗ ନିର୍ଦ୍ଧାରଣ କରାଯାଇଛି। ପରବର୍ତ୍ତୀ ସମୟରେ ଯଦି କିଛି ପ୍ରସଙ୍ଗ ଆସେ ତାହାକୁ ମଧ୍ୟ ସାମିଲ କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାନ୍ୱିଲକର, ବିଚାରପତି ଡକ୍ଟର ରବିରଂଜନ ଓ ବିଚାରପତି ଇନ୍ଦରମିତ କୌର କୋଚରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଶୁଣାଣି ଆରମ୍ଭରେ ଲିଙ୍କ୍ ଫେଲ୍ ହେବା ସତ୍ତ୍ବେ ଏକ ଘଣ୍ଟା ଧରି ଟ୍ରିବ୍ୟୁନାଲ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ମହାନଦୀ ଜଳ ବିବାଦ ପ୍ରସଙ୍ଗ ବିଚାର ଓ ଅନୁଧ୍ୟାନ ପାଇଁ ଆବଶ୍ୟକ ଥିବା ନଥିପତ୍ର ଓ ଦସ୍ତାବିଜ୍ ଆଦିକୁ ଯୋଗାଇ ଦେବା ପାଇଁ ଛତିଶଗଡ଼ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଟ୍ରିବ୍ୟୁନାଲ କେନ୍ଦ୍ର ସରକାର ଓ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ନୋଟିସ୍ ଜାରି କରି ତିନି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଥିଲେ। ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଅତିରିକ୍ତ ନଥିପତ୍ରକୁ ଟ୍ରିବ୍ୟୁନାଲ ରେକର୍ଡକୁ ନେଇଥିଲେ ଏବଂ ଛତିଶଗଡ଼କୁ ଅତିରିକ୍ତ ନଥିପତ୍ର ଦାଖଲ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏତଦବ୍ୟତୀତ ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର କାଗଜପତ୍ର ଯାଞ୍ଚ ଲାଗି ମଧ୍ୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୮ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଏଥିସହିତ ଟିବ୍ୟୁନାଲ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପକ୍ଷମାନଙ୍କୁ ଆଡମିସନ ଓ ଡିନାଏଲ୍ ପ୍ରକ୍ରିୟା ଶେଷ କରିବା ପାଇଁ କହିଛନ୍ତି।
ଶୁଣାଣି ବେଳେ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ବିବାଦର ପ୍ରସଙ୍ଗଗୁଡ଼ିକ ନିର୍ଦ୍ଧାରଣ ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ କେ ଗାଙ୍ଗୁଲି ପ୍ରଥମେ କହିଥିଲେ ଯେ ୨୧ଟି ପ୍ରସଙ୍ଗ ସମ୍ମିଳିତ ତାଲିକାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ପ୍ରସଙ୍ଗଗୁଡ଼ିକ ସାମିଲ ରହିଛି। ତେଣୁ ଏହାକୁ ଚୂଡ଼ାନ୍ତ ପ୍ରସଙ୍ଗ ଭାବେ ଗ୍ରହଣ କରି ନିଅନ୍ତୁ। ପରେ ଆବଶ୍ୟକ ପଡ଼ିଲେ ଏଥିରେ ଆଉ କିଛି ପ୍ରସଙ୍ଗ ଯୋଡ଼ି ଦିଆଯାଇପାାରିବ। ହେଲେ ଓଡ଼ିଶା ପକ୍ଷରୁ ଏହାର ଜୋରଦାର ବିରୋଧ କରାଯାଇଥିଲା। ଓଡ଼ିଶା ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଆପତ୍ତି ଉଠାଇ କହିଥିଲେ ଯେ ଛତିଶଗଡ଼ ପକ୍ଷରୁ ଯେଉଁ ୨୧ଟି ପ୍ରସଙ୍ଗର ତାଲିକା ଦିଆଯାଇଛି ସେଥିରେ ଓଡ଼ିଶାର ପ୍ରସଙ୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ କରିଦେଉଛି। ଏହାପରେ ଶ୍ରୀ ପରିଜା ଓଡ଼ିଶା ପକ୍ଷରୁ ଗତ ଜାନୁଆରି ଶେଷ ସପ୍ତାହରେ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିବା ୨୬ଟି ପ୍ରସଙ୍ଗଗୁଡ଼ିକ ଚୂଡ଼ାନ୍ତ ପ୍ରସଙ୍ଗ ହୋଇପାରିପାରିବ ବୋଲି ଦୃଢ଼ଯୁକ୍ତି ଉପସ୍ଥାପନ କରିଥିଲେ। ସେ ପୁଣି କହିଥିଲେ ଯେ ଛତିଶଗଡ଼ ଯେଉଁ ୨୧ଟି ପ୍ରସଙ୍ଗର ତାଲିକା ଦେଇଛି ସେଥିରେ ଓଡ଼ିଶାର ଅନେକ ପ୍ରସଙ୍ଗ ବାଦ୍ ପଡ଼ିଛି। ଏହାବଦ୍ ଆଜି ଓଡ଼ିଶା ପକ୍ଷରୁ ଆଉ ଦୁଇଟି ପ୍ରସଙ୍ଗକୁ ମଧ୍ୟ ସାମିଲ କରାଯାଇ ସମୁଦାୟ ୨୮ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ଯେତେବେଳେ ଓଡ଼ିଶା ଓ ଛତିଶଗଡ଼ ଚୂଡ଼ାନ୍ତ ପ୍ରସଙ୍ଗ ନିର୍ଦ୍ଧାରଣ କରିବା ପାଇଁ ବୈଠକ କରିଥିଲେ ସେହି ସମୟରେ ଓଡ଼ିଶାର ୨୬ଟି ପ୍ରସଙ୍ଗ ଓ ଛତିଶଗଡ଼ର ୧୩ଟି ପ୍ରସଙ୍ଗ ରହିଥିଲା। ମୋଟ ୩୯ଟି ପ୍ରସଙ୍ଗରୁ ଛତିଶଗଡ଼ ୨୧ଟି ପ୍ରସଙ୍ଗର ମିଳିତ ତାଲିକା ପ୍ରସ୍ତୁତ କରିଥିଲା। ଏହି ତାଲିକାରେ ଓଡ଼ିଶାର ଅନେକ ନ୍ୟାର୍ଯ୍ୟ ଓ ଯୁକ୍ତିଯୁକ୍ତ ପ୍ରସଙ୍ଗ ଗୁଡ଼ିକୁ ସାମିଲ କରି ନଥିଲା, ଯାହାକୁ ଓଡ଼ିଶା ବିରୋଧ କରିଥିଲା ଏବଂ ଶେଷରେ ବୈଠକ ବିଫଳ ହୋଇଥିଲା। ଆଜିର ଶୁଣାଣିରେ ଓଡ଼ିଶା ଦ୍ବାରା ପ୍ରସଙ୍ଗ ଗୁଡ଼ିକ ଉପସ୍ଥାପନ କରାଯିବା ପରେ ବାଦ୍ ପଡ଼ିଥିବା ଅନେକ ପ୍ରସଙ୍ଗ ଗୁଡ଼ିକୁ ସାମିଲ କରାଯାଇଥିଲା। ମହାରାଷ୍ଟ୍ର ପକ୍ଷରୁ ୩ଟି ଓ ଝାଡ଼ଖଣ୍ଡ ପକ୍ଷରୁ ଗୋଟିଏ ପ୍ରସଙ୍ଗକୁ ମଧ୍ୟ ଚୂଡ଼ାନ୍ତ ପ୍ରସଙ୍ଗ ନିର୍ଦ୍ଧାରଣରେ ସାମିଲ କରାଯାଇଛି। ଆଜି ୪୦ଟି ପ୍ରସଙ୍ଗ ନିର୍ଦ୍ଧାରଣ ହୋଇଥିବାବେଳେ ରବର୍ତ୍ତୀ ସମୟରେ ଶୁଣାଣି ବେଳେ ଯଦି କିଛି ପ୍ରସଙ୍ଗ ଆସେ ତାହାକୁ ମଧ୍ୟ ସାମିଲ କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହେବାର ଦୁଇ ବର୍ଷରେ ୧୩ଟି ଶୁଣାଣି ହେବାପରେ ମଧ୍ୟ କୌଣସି ପ୍ରକାର ଅନ୍ତରୀଣ ଆଦେଶ ଜାରି କରାଯାଇ ନାହିଁ। ଚୂଡ଼ାନ୍ତ ପ୍ରସଙ୍ଗ ନିର୍ଦ୍ଧାରଣ ହେବା ସହିତ ଆଜି ଓଡ଼ିଶାର ବଳିଷ୍ଠ ଯୁକ୍ତି ଯୋଗୁ ବାଦ୍ ପଡ଼ିଥିବା ପ୍ରସଙ୍ଗଗୁଡ଼ିକୁ ସାମିଲ କରାଯାଇପାରିଛି। ଆଗକୁ ଏହା ନ୍ୟାୟିକ ଯୁଦ୍ଧରେ ଓଡ଼ିଶା ପାଇଁ ସହାୟକ ହୋଇପାରେ ବୋଲି ଆଶା ଦୃଢ଼ୀଭୂତ ହୋଇଛି।