ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି

ସମୟ ସୀମା ଧାର୍ଯ୍ୟ ସଂପର୍କିତ ଚିଠା ଚୂଡାନ୍ତ!

ନୂଆଦିଲ୍ଲୀ : ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦର ୨୦ତମ ଶୁଣାଣି କରାଯିବ। ଏହି ଶୁଣାଣି ପୂର୍ବରୁ ବିବାଦର ସମାଧାନ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସକ୍ରିୟ ଥିବା ଜଣାପଡ଼ିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ରାଜ୍ୟ ସମୟସୀମା ଧାର୍ଯ୍ୟ ସମ୍ପର୍କିତ ଚିଠାନାମାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି।

ଏହି ସୂଚନା ଅନୁସାରେ, ଓଡିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା (ରେଫ୍‌ରାନ୍ସ-୧) ଏବଂ ଛତିଶଗଡ ଦ୍ବାରା ଦାଖଲ କରାଯାଇଥିବା ରେଫ୍‌ରାନ୍ସ-୨ ମାମଲାର ଶୁଣାଣି କେବେଠାରୁ ଆରମ୍ଭ କରାଯିବ, ସେ ନେଇ ଉଭୟ ରାଜ୍ୟ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତାକାଲି ସମୟ ଧାର୍ଯ୍ୟ ସଂପର୍କିତ ଡ୍ରାଫ୍‌ଟ ଚିଠା ସଂପର୍କରେ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ। ଉଲ୍ଲେଖଯୋଗ୍ୟ ଯେ , ଗତବର୍ଷ ନଭେମ୍ବର ୭ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସମୟନିର୍ଘଣ୍ଟ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ସମୟନିର୍ଘଣ୍ଟ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ଟାଳଟୁଳ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରିବ୍ୟୁନାଲ ଦୁଇ ରାଜ୍ୟଙ୍କୁ ଚେତାଇ ଦେଇଥିଲେ। ତଦନୁଯାୟୀ ପାଖାପାଖି ୪ ଥର ଦୁଇ ରାଜ୍ୟର ଅଧିକାରୀମାନେ ସମୟସୀମା ଧାର୍ଯ୍ୟ ପାଇଁ ବୈଠକ କରିଥିଲେ।

ସେହିଭଳି, ଆସନ୍ତାକାଲିର ଶୁଣାଣିରେ ଟ୍ରିବ୍ୟୁନାଲ କମନ୍‌ ଇନ୍‌ଫରମେସନ ଫର୍ମାଟ୍‌କୁ ମଧ୍ୟ ଅନୁମୋଦନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଟ୍ରିବ୍ୟୁନାଲର ଦୁଇ ଆସୋସରମାନଙ୍କ ପକ୍ଷରୁ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କର ମତାମତ ନିଆଯିବା ପରେ କମନ୍‌ ଅନ୍‌ଫରମେଶନ ଫର୍ମାଟ ପ୍ରସ୍ତୁତି ପ୍ରକ୍ରିୟାକୁ ଚୂଡାନ୍ତ କରାଯାଇଥିବା ଜଣାପଡିଛି। ଏଥିପାଇଁ ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଆସନ୍ତାକାଲି ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ପୁନଃ ଶୁଣାଣିର ସମ୍ଭାବନା କମ୍‌।

ସମ୍ବନ୍ଧିତ ଖବର