ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳବିବାଦ ମାମଲା : ଆପୋସ ଆଲୋଚନା ପାଇଁ ଶେଷ ସୁଯୋଗ

ଓଡ଼ିଶା-ଛତିଶଗ଼ଡ଼ ଆଭିମୁଖ୍ୟ ଉପରେ ନଜର

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆଜି ଶେଷ ଥର ପାଇଁ ଦୁଇ ପକ୍ଷଙ୍କୁ ଅନ୍ତରୀଣ ବ୍ୟବସ୍ଥା ସକାଶେ ଆପୋସ ଆଲୋଚନାର ସୁଯୋଗ ଦେଇଛନ୍ତି। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ. ଏମ୍. ଖାନୱିଲକର, ଜଷ୍ଟିସ୍ ରବି ରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ କୌରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରି ଏହି ଚୂଡ଼ାନ୍ତ ସୁଯୋଗ ଦେଇଥିଲେ। ଦୁଇ ପକ୍ଷଙ୍କ ଦ୍ୱାରା ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ ବୋଲି ସହମତି ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ୱାରା ଅକ୍ଟୋବର ୨୦୧୮ରେ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ କରି ଗତ ଦୁଇ ବର୍ଷରୁ ଟ୍ରିବ୍ୟୁନାଲ ଦୁଇ ପକ୍ଷଙ୍କୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ଆପୋସ ଆଲୋଚନାର ପ୍ରସ୍ତାବ ଦେବା ସତ୍ତ୍ୱେ ଛଅଟି ବୈଠକରେ କୌଣସି ସମାଧାନର ବାଟ ଫିଟି ପାରିନାହିଁ। ଆଜିର ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମିଳିତ ଭାବେ ମହାନଦୀ ଜଳ ବିବାଦ ମାମଲାର ଟ୍ରାଏଲକୁ ସମ୍ପୂର୍ଣ୍ଣ କରିବା ଲାଗି ସମୟସୀମା ନିର୍ଦ୍ଧାରଣ ନିମନ୍ତେ ଦିଆଯାଇଥିବା ନିର୍ଦେଶ ଅନୁସାରେ କି କି ପଦକ୍ଷେପ ନିଆଯାଇଛି, ସେ ନେଇ ଜଣାଇଥିଲେ। କୁହାଯାଇଥିଲା ଯେ ଲଗାତାର ତିନିଦିନ ଧରି ବୈଠକ କରାଯାଇଥିଲା ଏବଂ ବୈଠକରେ ପକ୍ଷଭୁକ୍ତ ରାଜ୍ୟମାନେ ସମୟସୀମା ନର୍ଦ୍ଧାରଣ ପାଇଁ ସହମତି ପ୍ରକାଶ କରିଥିଲେ। ତେବେ କମନ୍ ଇନ୍‌ଫର୍‌ମେସନ ଫର୍ମାଟ ଚୂଡ଼ାନ୍ତ ହୋଇପାରିନଥିବା ଯୋଗୁଁ ଶେଷ ମୁହୂର୍ତ୍ତରେ ପକ୍ଷଭୁକ୍ତ ରାଜ୍ୟମାନେ ସମୟସୀମା ଚୂଡ଼ାନ୍ତ କରିବାରେ ସଫଳ ହୋଇପାରିନଥିଲେ ବୋଲି ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲେ। ଟ୍ରିବ୍ୟୁନାଲ ଉଭୟ ରାଜ୍ୟମାନଙ୍କର ବକ୍ତବ୍ୟକୁ ରେକର୍ଡକୁ ନେବା ସହିତ ଚଳିତ ମାସରେ ୭ ରୁ ୧୦ ଦିନ ଭିତରେ କମନ୍ ଇନ୍‌ଫରମେସନ ଫର୍ମାଟକୁ ଚୂଡାନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲର ଦୁଇ ଆସେସର ଖୁବଶୀଘ୍ର ଓଡିଶା ଓ ଛତିଶଗଡର ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବେ ବୋଲି ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ।

ଓଡିଶା ପକ୍ଷରୁ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଓ ଆଇନଜୀବୀ ମୋହନ କାଟାର୍କୀ ଅଣ ମୌସୁମୀ (ନଭେମ୍ବର ରୁ ମେ ପର୍ଯ୍ୟନ୍ତ) ମହାନଦୀରେ ୧.୭୪ ନିୟୁତ ଏକର ଫୁଟ ଜଳ ପ୍ରବାହକୁ ଛତିଶଗଡ ସୁନିଶ୍ଚିତ କରିବା ନେଇ ଅନ୍ତରୀଣ ନିର୍ଦେଶ ପାଇଁ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରିବା ସମୟରେ ଟ୍ରିବ୍ୟୁନାଲ ଅନ୍ତରୀଣ ବ୍ୟବସ୍ଥା ପାଇଁ ଆପୋସ ଆଲୋଚନା ପାଇଁ ଶେଷ ସୁଯୋଗ ଅନ୍ତର୍ଗତ ଦୁଇ ରାଜ୍ୟଙ୍କୁ ନିର୍ଦେଶ ଦିଆଯାଇଥିବା ଦୋହରାଇଥିଲେ।

ଛତିଶଗଡ ପକ୍ଷରୁ ଆଇଜୀବୀ ଏ.କେ. ଗାଙ୍ଗୁଲି କେନ୍ଦ୍ରୀୟ ସଂସ୍ଥା ମାନଙ୍କ ପାଖରୁ ମହାନଦୀ ଜଳ ବିବାଦରେ ଲୋଡା ଯାଇଥିବା ତଥ୍ୟ ଗୁଡିକୁ ସଂପୂର୍ଣ୍ଣ ରୂପେ ଉପଲବ୍ଧ କରାଯାଇନଥିବାରୁ ସେ ପୁଣି ଥରେ ଏକ ଆବେଦନ ଦାଖଲ କରିବେ ବୋଲି ଟ୍ରିବ୍ୟୁନାଲଙ୍କ ଅନୁମତି ଲୋଡିଥିଲେ। ଏକ ନିର୍ଦିଷ୍ଟ ମସୟରେ ଆବେଦନ ଶୁଣାଣି କରି ନୋଟିସ ଜାରି କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁଆରୀ ୧୬ରେ ହେବ ବୋଲି ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର