ମହାନଦୀ ଜଳବିବାଦର ଶୁଣାଣିକୁ ଆଜି ୨ ବର୍ଷ ଛୁଇଁବ : ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଅଧିକ ସମୟ ଲାଗିପାରେ

ନୂଆଦିଲ୍ଲୀ : ଟ୍ରିବ୍ୟୁନାଲରେ ମହାନଦୀରେ ଜଳବିବାଦ ମାମଲାର ଶୁଣାଣିକୁ ଆଜି ଦୁଇବର୍ଷ ଛୁଇଁବ। ଓଡ଼ିଶା ଓ ଛତିଶଗଡ଼ ଜଳବିବାଦର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରସରକାର ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ କରିଥିଲେ। ସେହିବର୍ଷ ଏପ୍ରିଲ ୧୭ ତାରିଖରେ ଜଳସମ୍ପଦ ସଚିବଙ୍କ ପକ୍ଷରୁ ‘ଟର୍ମସ୍‌ ଅଫ୍‌ ରେଫେରେନ୍ସ’ ପ୍ରଦ‌ାନ କରାଯାଇଥିଲା। ଅକ୍ଟୋବର ୧୩ ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଆସନ୍ତାକାଲି ଶୁଣାଣିକୁ ଠିକ୍‌ ୨ ବର୍ଷ ଛୁଉଁଥିବାବେଳେ ଏହି ସମୟରେ ସମୁଦାୟ ୧୬ଟି ଶୁଣାଣି ହୋଇଛି। କିନ୍ତୁ, ଟ୍ରିବ୍ୟୁନାଲ କୌଣସି ଅନ୍ତରୀଣ ରାୟ ପ୍ରକାଶ କରିନାହାନ୍ତି। ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ବିଳମ୍ବିତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଅନ୍ତଃରାଜ୍ୟ ଜଳ ବିବାଦ ଆଇନ୍ ୧୯୫୬ର ସେକ୍ସନ ୩ ଅନୁଯାୟୀ ଓଡ଼ିଶା ପକ୍ଷରୁ ୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ଟ୍ରିବ୍ୟୁନାଲ ନିକଟରେ ଏକ ଅନ୍ତରୀଣ ଆବେଦନ କରାଯାଇଥିଲା। ଏହି ଅନ୍ତରୀଣ ଆବେଦନ‌ରେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଦ୍ବାରା ନିର୍ମାଣ ଉପରେ ରହିତାଦେଶ ଜାରି କରିବା ପାଇଁ ପ୍ରାର୍ଥନା କରାଯାଇଥିଲା। ଏଥିସହିତ, ଅଣମୌସୁମୀ ଋତୁରେ ୧.୭୪ ଏମ୍‌ଏଏଫ୍ ଜଳ ପ୍ରବାହ ଅବ୍ୟାହତ ରଖିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଆବେଦନରେ ଅନୁରୋଧ କରାଯାଇଥିଲା। ସେହିବର୍ଷ ଡିସେମ୍ବରରୁ ଅନ୍ତରୀଣ ଆବେଦନ ଉପରେ ଶୁଣାଣି ଆରମ୍ଭ କରାଯାଇଥିଲା। ଗତ ୨୦୧୯ ମସିହା ଫେବ୍ରୁଆରି ୯ ତାରିଖରେ ଶୁଣାଣିକୁ ଶେଷ କରାଯାଇ ରାୟକୁ ସଂରକ୍ଷିତ ରଖାଯାଇଥିଲା। ତେବେ, ଅନ୍ତରୀଣ ଆବେଦନର ରାୟ ପ୍ରକାଶ ପୂର୍ବରୁ ଟ୍ରିବ୍ୟୁନାଲ ଆପୋସ ଆଲୋଚନା ପାଇଁ ଉଭୟ ରାଜ୍ୟକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ବୈଷୟିକ ଅଧିକାରୀ ସ୍ତରୀୟ ବୈଠକ ତଥା ଆଇନଜୀବୀସ୍ତରୀୟ ବୈଠକ ହୋଇଥିଲା। ଚାରି ପର୍ଯ୍ୟାୟ ବିଶିଷ୍ଟ ବୈଠକରେ କୌଣସି ସହମତି ହୋଇପାରିନଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଉଭୟ ରାଜ୍ୟରେ ମହାନଦୀ ବେସିନର ପ୍ରକଳ୍ପ ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ। ଉଭୟ ରାଜ୍ୟ ପ୍ରକଳ୍ପ ପରିଦର୍ଶନ କରିବା ପରେ ଏ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା। ଟ୍ରିବ୍ୟୁନାଲ ଅନ୍ତରୀଣ ବ୍ୟବସ୍ଥା ପାଇଁ ଲଗାତାର ଗୁରୁତ୍ବ ଆରୋପ କରୁଥିବାବେଳେ ମୂଳ ଆବେଦନର ପ୍ରସଙ୍ଗ ନିର୍ଦ୍ଧାରଣ ପାଇଁ ଦୁଇ ରାଜ୍ୟଙ୍କୁ ବିଚାରବିମର୍ଷ ପାଇଁ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ପରାମର୍ଶ କ୍ରମେ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ ଏହି ପ୍ରସଙ୍ଗରେ ମଧ୍ୟ ସହମ୍ମତି ହୋଇପାରି ନ ଥିଲା। ଫଳସ୍ୱରୂପ ମହାନଦୀ ଜଳିବିବାଦ ଟ୍ରିବ୍ୟୁନାଲଙ୍କ ଦ୍ୱାରା ସମୁଦାୟ ୪୬ଟି ପ୍ରସଙ୍ଗକୁ ଶୁଣାଣି ପାଇଁ ନିର୍ଦ୍ଧାରଣ କରାଯାଇଛି। ଏତଦ୍‌ବ୍ୟତୀତ ମୂଳ ମାମଲାର ଶୁଣାଣି ପାଇଁ କମନ୍ ଇନ୍‌ଫରମେସନ୍ ଫର୍ମାଟକୁ ମଧ୍ୟ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରୂପ ଦେବେ।

ଅପରପକ୍ଷେ, ଟ୍ରିବ୍ୟୁନାଲରେ ବର୍ତ୍ତମାନ ଓଡ଼ିଶା ଦ୍ୱାରା ଦାଖଲ କରାଯାଥିବା ମୂଳ ଆବେଦନର ପ୍ରସଙ୍ଗ ଭିତ୍ତିକ ଶୁଣାଣି ଆରମ୍ଭ ହୋଇନାହିଁ। ଛତିଶଗଡ଼ ଦ୍ୱାରା ମହାନଦୀ ଅବବାହିକାର ଜଳକୁ ପକ୍ଷଭୁକ୍ତ ରାଜ୍ୟମାନଙ୍କ ମଧ୍ୟରେ ସମାନୁପାତିକ ଆବଣ୍ଟନ କରିବାକୁ ନେଇ ଦାଖଲ କରାଯାଇଥିବା ପିଟିସନ ମଧ୍ୟ ବିଚାରାଧୀନ ରହିଛି। ଉଭୟ ରାଜ୍ୟମାନଙ୍କ ମଧ୍ୟରେ ପରସ୍ପରକୁ ତଥ୍ୟ ଓ ନଥିପତ୍ର ଯୋଗାଇ ଦେବାର ଅଡ଼ୁଆ ମଧ୍ୟ ତୁଟିନାହିଁ। ଆଗକୁ ଏହି ପ୍ରକ୍ରିୟା ଆହୁରି ବିଳମ୍ବ ହେବାର ସମ୍ଭାବନା ରହିଛି। ଆପୋସ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ଯେଉଁ ଦୁଇ ସପ୍ତାହ ସମୟ ଦେଇଛନ୍ତି, କୋଭିଡ୍-୧୯ ପାଇଁ ଉଭୟ ରାଜ୍ୟ ମଧ୍ୟରେ ବୈଠକକୁ ନେଇ ମଧ୍ୟ ଆଶଙ୍କା ରହିଛି। ତେଣୁ ଏହି ମାମଲା ଆଗକୁ ଦୀର୍ଘଦିନ ଧରି ଟ୍ରିବ୍ୟୁନାଲରେ ଜାରି ରହିବାର ସମ୍ଭାବନା ରହିଛି।

ଅପରପକ୍ଷେ ସମସ୍ତ ଜଳ ବିବାଦର ଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କ ଏକକ ଟ୍ରିବ୍ୟୁନାଲ ବିଲ୍‌ ଲୋକସଭାରେ ପାରିତ ହୋଇସାରିଛି। ଆଗାମୀ ଅଧିବେଶନରେ ଏହାକୁ ରାଜ୍ୟସଭାରେ ସରକାର ପାରିତ କରିବାର ଯୋଜନା କରିଛନ୍ତି। ରାଜ୍ୟସଭାରେ ଏକକ ଟ୍ରିବ୍ୟୁନାଲ ବିଲ୍ ପାରିତ ହେବା ପରେ ମହାନଦୀ ଜଳବିବାଦ ମାମଲା ସମେତ ୯ଟି ବିଭିନ୍ନ ଜଳବିବାଦ ମାମଲା ଟ୍ରିବ୍ୟୁନାଲ ଏକକ ଟ୍ରିବ୍ୟୁନାଲରେ ସାମିଲ ହେବ। ଏକକ ଟ୍ରିବ୍ୟୁନାଲରେ ଏକ ନିର୍ଦ୍ଧାରିତ ସମୟ ଅବଧିରେ ଜଳବିବାଦ ମାମଲାର ଶୁଣାଣି କରିବ। ଏଥିରେ ମହାନଦୀ ଜଳ ବିବାଦର ଭାଗ୍ୟ କେଉଁ ରୂପରେଖ ନେବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର