ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ଆଜି

ନୂଆଦିଲ୍ଲୀ : ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆସନ୍ତାକାଲି ଏହି ମାମଲାର ଶୁଣାଣି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କରିବେ । ଶୁଣାଣି ପୂର୍ବରୁ ଓଡିଶା ମାମଲା ସମ୍ବନ୍ଧିତ ଆଡମିଶନ୍ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରି ଏ ନେଇ ଟ୍ରିବ୍ୟୁନାଲରେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛି। ତେବେ, ଛତିଶଗଡ଼ ଓ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନେ ଆଡମିଶନ ଓ ଡିନାଏଲ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିନଥିବାର ଜଣାପଡ଼ିଛି।

ଗତମାସ ୧୧ ତାରିଖରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି ପାଇଁ ଓଡିଶା, ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପ୍ରସଙ୍ଗ ତାଲିକାରୁ ପ୍ରାଥମିକ ପର୍ଯ୍ୟାୟରେ ୩୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଇସ୍ୟୁ ଫ୍ରେମ୍‌ରେ ଓଡିଶାର ସର୍ବାଧିକ ପ୍ରସଙ୍ଗକୁ ସାମିଲ କରାଯାଇଥିଲା । ଆଗକୁ ପ୍ରସଙ୍ଗ ଗୁଡିକର ଶୁଣାଣିରେ ଓଡ଼ିଶା ଦ୍ବାରା ପ୍ରଭାବଶାଳୀ ଢଙ୍ଗରେ କିପରି ଟ୍ରିବ୍ୟୁନାଲଙ୍କ ନିକଟରେ ଉପସ୍ଥାପନ କରାଯିବ, ସେ ନେଇ ଓଡିଶାର ଆଇନଜୀବୀ ଟିମ୍‌ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବାର ଜଣାପଡ଼ିଛି । ପ୍ରସଙ୍ଗ ନିର୍ଦ୍ଧାରଣ (ଇସ୍ୟୁ ଫ୍ରେମ୍)ର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ସାକ୍ଷ୍ୟମାନଙ୍କର ତାଲିକା, ପ୍ରମାଣ ସଂପର୍କିତ ସତ୍ୟପାଠ, ସାକ୍ଷ୍ୟ ମାନଙ୍କର କ୍ରସ୍ ଏଗଜାମିନେଶନ୍ ଶେଷହେବା ପରେ ପ୍ରସଙ୍ଗ ଗୁଡିକର ଶୁଣାଣି ଆରମ୍ଭ ହେବ ବୋଲି ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଜଣେ ଆଇନଜୀବୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଟ୍ରିବ୍ୟୁନାଲ ଓଡିଶାଦ୍ବାରା ଦାଖଲ କରାଯାଇଥିବା ମୂଳ ଆବେଦନର ଜୁଆବ ସୁଆଲ ପ୍ଲିଡିଂ/ ଶେଷ ହେବା ପରେ ବିସ୍ତୃତ ଶୁଣାଣି ପାଇଁ ପ୍ରସଙ୍ଗ ନିର୍ଦ୍ଧାରଣ କରିସାରିଥିବାବେଳେ, ଓଡିଶା ଦ୍ବାରା ପୂର୍ବରୁ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣିକୁ ଶେଷ କରି ଗତ ୧୭ ମାସରୁ ରାୟ ସଂରକ୍ଷିତ ରଖିଛନ୍ତି ।

ସମ୍ବନ୍ଧିତ ଖବର