ମହାନଦୀ ଜଳବିବାଦ : ଅଧିକାରୀ ଓ ବୈଷୟିକ ବିଶେଷଜ୍ଞସ୍ତରୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ଷ, ମାର୍ଚ୍ଚ ୫ରେ ପୁଣିଥରେ ବୈଠକ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦର ସମାଧାନ ପାଇଁ ଆଜି ଟ୍ରିବ୍ୟୁନାଲ୍‌ରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ସ୍ତରୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନି। ସୁପ୍ରିମକୋର୍ଟ ନିକଟରେ ଥିବା ଏମ୍‌ ସି ସେତଲବାଦ୍‌ ଲୟର୍ସ ଚ୍ୟାମ୍ବର୍ସ ବ୍ଲକ୍‌ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଆଜିର ବୈଠକ ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲା। ବୈଠକରେ ଓଡ଼ିଶାର ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ୧୨ ଜଣିଆ ପ୍ରତିନିଧିମଣ୍ଡଳ ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ସଚିବ ଅବିନାଶ ଚମ୍ପାୱଡ଼ଙ୍କ ନେତୃତ୍ବରେ ୭ ଜଣିଆ ପ୍ରତିନିଧିମଣ୍ଡଳ ଯୋଗ ଦେଇଥିଲେ। ଉଭୟ ରାଜ୍ୟ ଦ୍ବାରା ବିବାଦୀୟ ପ୍ରସଙ୍ଗ ଗୁଡ଼ିକରେ ବାର୍ତ୍ତାଳାପ କରାଯାଇଥିଲା। ଓଡ଼ିଶା ପକ୍ଷରୁ ଅଣମୌସୁମୀ ସମୟ‌ରେ ମହାନଦୀ ଜଳ ବଣ୍ଟନକୁ ନେଇ ଟ୍ରିବ୍ୟୁନାଲ୍‌ରେ ଯେଉଁ ଦାବି ଉପସ୍ଥାପନ କରାଯାଇଥିଲା ତାହା ମଧ୍ୟ ଆଜି ବୈଠକରେ ଜୋରଦାର ଉପସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଓଡ଼ିଶା ଅଣମୌସୁମୀ ସମୟ‌ରେ ମହାନଦୀ ଜଳ ଉଚିତ୍‌ ପରିମାଣରେ ପାଉନଥିବା ନେଇ ଆଜି ସଦ୍ୟତମ ତଥ୍ୟ ମଧ୍ୟ ବୈଠକରେ ଉପସ୍ଥାପନ କରିଥିଲା।

ଅଣମୌସୁମୀ ସମୟରେ ୧.୭୪ ମିଲିଅନ୍‌ ଏକର ଫିଟ୍‌ (ଏମଏଫ୍‌) ଜଳ ଓଡ଼ିଶାକୁ ସୁନିଶ୍ଚିତ କରିବାପାଇଁ ବୈଠକରେ ଛତିଶଗଡ଼ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଓଡ଼ିଶା ପକ୍ଷରୁ ଆଜି ବୈଠକରେ ଯେଉଁସବୁ ଦାବି ଓ ତଥ୍ୟ ଉପସ୍ଥାପନ କରାଯାଇଥିଲା ସେଥିରେ ଛତିଶଗଡ଼ର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ସହମତି ପ୍ରକାଶ କରିନଥିଲେ। ଓଡ଼ିଶାର ଏଭଳି ଦାବିର ଔଚିତ୍ୟ ସମ୍ପର୍କରେ ସେମା‌ନେ ପ୍ରଶ୍ନ ଉଠାଇଥିଲେ ବୋଲି ଜଣାପଡ଼ିଛି। ଓଡ଼ିଶାର କୌଣସି ଦାବି ଉପରେ ଛତିଶଗଡ଼ ସକାରାତ୍ମକ ମନୋଭାବ ପୋଷଣ କରିନଥିବା ଜଣାପଡ଼ିଛି। ଏପରିକି ଓଡ଼ିଶା ଦ୍ବାରା ଅଣମୌସୁମୀ ସମୟରେ ଅତି କମ୍‌ରେ ୧.୨ ମିଲିଅନ୍‌ ଏକର ଫିଟ୍‌ (ଏମଏଏଫ୍‌)ର ବ୍ୟବସ୍ଥା କରାଯାଉ ବୋଲି ‌ବୈଠକରେ କୁହାଯାଇଥିଲା। ହେଲେ ଛତିଶଗଡ଼ ନିଜ ଯିଦ୍‌ରେ ଅଟଳ ଥିଲା ଏବଂ ବୈଠକରେ କୌଣସି ସମାଧାନର ବାଟ ବାହାରି ପାରିନଥିଲା। ଅଧିକ ଆଲୋଚନା ପାଇଁ ମାର୍ଚ୍ଚ ୫ତାରିଖରେ ପୁଣିଥରେ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଯଦି ୫ରେ ବୈଠକ ନହୁଏ ୭ ତାରିଖରେ ବୈଠକ ହେବ ବୋଲି ଦୁଇ ପକ୍ଷଙ୍କ ଦ୍ବାରା କୁହାଯାଇଥିଲା। ଅପରପକ୍ଷେ ଆଜି ବୈଠକ ସମ୍ପର୍କରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିନଥିଲେ ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା। ସବୁକିଛି ଟ୍ରିବ୍ୟୁନାଲ୍‌ଙ୍କୁ ଅବଗତ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର