ନୂଆଦିଲ୍ଲୀ : ଯଦି ଛତିଶଗଡ଼କୁ ମହାନଦୀର ୨୪.୭୦ ଏମଏଏଫ୍ ଜଳ ବଣ୍ଟନ କରିବା ଦାବିକୁ ଟ୍ରିବ୍ୟୁନାଲ ଗ୍ରହଣ କରନ୍ତି ତାହେଲେ ହୀରାକୁଦ ଡ୍ୟାମ୍ରେ କିଛି ମଧ୍ୟ ଜଳ ରହିବ ନାହିଁ । ଛତିଶଗଡ଼ରୁ ହୀରାକୁଦ ଡ୍ୟାମ୍ ଯଦି ଜଳ ପାଇବ ନାହିଁ ତାହେଲେ ଓଡ଼ିଶାର ସମଗ୍ର ଅର୍ଥନୀତି ନଷ୍ଟ ହୋଇଯିବ। ଅର୍ଥନୈତିକ ବିକାଶ ପାଇଁ ମହାନଦୀର ଜଳ ଉପରେ ଛତିଶଗଡ଼ର ଅସୀମିତ ଅଧିକାର ନାହିଁ। ଛତିଶଗଡ଼ର ଅଧିକାର ଉପରେ ପ୍ରତିବନ୍ଧକ ରହିଛି ଏବଂ ଏହା ୧୯୪୫-୪୭ ର ବୁଝାମଣା ଅନ୍ତର୍ଗତ ଜଳ ବଣ୍ଟନରେ ପରିଚାଳିତ ହେଉଛି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ୧୯୪୫-୪୭ର ପ୍ରକଳ୍ପ ବୁଝାମଣା ଓ ରାଜିନାମା ମାନିବାକୁ ବାଧ୍ୟ ଏବଂ ରାଜି ହୋଇଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଛତିଶଗଡ଼ର ପ୍ରତିଜବାବ ଉପରେ ଉତ୍ତର ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଆଜି ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିବା ବିସ୍ତୃତ ୧୪୧୭ ପୃଷ୍ଠାର ଉତ୍ତରରେ ଛତିଶଗଡ଼ର ପ୍ରତିଜବାବ ଉପରେ ବିଭିନ୍ନ ପ୍ରସଙ୍ଗରେ ନିଜ ପକ୍ଷକୁ ଦୃଢ଼ ଭାବେ ଉପସ୍ଥାପନ କରାଯାଇଛି।
ଛତିଶଗଡ଼ ଦ୍ବାରା ଆନ୍ତଃରାଜ୍ୟ ମହାନଦୀ ଜଳ ବଣ୍ଟନ ପାଇଁ ହୀରାକୁଦ ଡ୍ୟାମ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ କୌଣସି ବୁଝାମଣା, ରାଜିନାମା କିମ୍ବା ବ୍ୟବସ୍ଥା ନାହିଁ ବୋଲି ଯେଉଁ ସବୁ ବିଷୟରେ ଉଲ୍ଲେଖ କରାଯାଇଥିଲା ତାହାର ଦୃଢ ଜବାବ ଦେଇ ଓଡ଼ିଶା ପକ୍ଷରୁ କୁହାଯାଇଛି ହୀରାକୁଦ ଡ୍ୟାମ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (୧୯୪୭) ରାଜିନାମା ଥିଲା। ସମସ୍ତ ରାଜ୍ୟମାନଙ୍କ ଦ୍ବାରା ଏହାକୁ ଗ୍ରହଣ କରାଯାଇଥିଲା। ନିର୍ଦ୍ଧାରିତ ପରିମାଣର ଜଳ ଉପରେ ଓଡ଼ିଶାର ଆଦେଶାତ୍ମକ ଅଧିକାର ନଥିବା ଛତିଶଗଡ଼ ପକ୍ଷରୁ କୁହାଯାଇଛି କିନ୍ତୁ ଏହା ବିଭ୍ରାନ୍ତକାରୀ ମନ୍ତବ୍ୟ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଛି। ଓଡ଼ିଶାର ହୀରାକୁଦ ଡ୍ୟାମ ଅନ୍ତର୍ଗତ ୨୦.୬୧ ଏମଏଏଫ୍ ରୁ ୧୨.୨୮ ଏମଏଏଫ୍ ଜଳ ବ୍ୟବହାର କରିବା ପ୍ରଥାଗତ ଅଧିକାର । ଯଦି ଛତିଶଗଡ଼ ମହାନଦୀର ୨୭.୪୮ ଏମଏଏଫ୍ ଜଳକୁ ଡାଇଭର୍ଟ କରିବ ତାହାହେଲେ ମହାନଦୀ ଡେଲ୍ଟା ଅଞ୍ଚଳରେ ମରୁଭୂମି ସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଏନେଇ ଛତିଶଗଡ଼ ଯୋଜନା କରିଛି ଏବଂ ଟ୍ରିବ୍ୟୁନାଲରେ ୨୪.୭୦ ଏମ୍ଏଏଫ ଜଳର ଦାବି ମଧ୍ୟ ଛତିଶଗଡ଼ ପକ୍ଷରୁ କରାଯାଇଛି ।
ଛତିଶଗଡ଼ ଦ୍ବାରା ପ୍ରଥମଥର ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ହୀରାକୁଦ ଡ୍ୟାମର ପ୍ରାସଙ୍ଗିକତା ସମ୍ପର୍କରେ ପ୍ରଶ୍ନ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୯୪୦ରେ ହାଇଡ୍ରୋଲଜି ବିକଶିତ ହୋଇନଥିବା ତଥା ଉପଯୁକ୍ତ ଡାଟା ଉପଲବ୍ଧ ହେଉନଥିବା ପ୍ରସଙ୍ଗରେ ଛତିଶଗଡ଼ର ଅଭିଯୋଗକୁ ଓଡ଼ିଶା ପକ୍ଷରୁ ଖଣ୍ଡନ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟକୁ ଉଲ୍ଲେଖ କରି ଓଡ଼ିଶା ପକ୍ଷରୁ କୁହାଯାଇଛି ୧୯୫୦ ପୂର୍ବରୁ ଦେଶରେ ୩୦୨ ଟି ଡ୍ୟାମ୍ ଗୁଡ଼ିକ ନିର୍ମାଣ କରାଯାଇଥିଲା ଏବଂ ଏଥିରୁ ବର୍ତ୍ତମାନ ୧୧ଟି ଡ୍ୟାମ୍ ଛତିଶଗଡ଼ରେ ଓ ଦୁଇଟି ଡ୍ୟାମ୍ ଓଡ଼ିଶାରେ ଅଛି ।
ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ କେବଳ ଯେ ୬ ଟି ବ୍ୟାରେଜ୍ ନିର୍ମାଣ କରିଛି ତାହାନୁହେଁ ଉପଯୁକ୍ତ ମଞ୍ଜୁରି ବିନା ଶହ ଶହ ସଂଖ୍ୟାରେ ବ୍ୟାରେଜ୍, ଆନିକଟ୍, ଚେକ୍ ଡ୍ୟାମ୍, ମହାନଦୀ ଓ ମୁଖ୍ୟ ଟ୍ରିବ୍ୟୁଟାରିରେ ୨୦୧୦ରୁ କେନ୍ଦ୍ରୀୟ ଜଳ ଆୟୋଗ ଓ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟର ମଞ୍ଜୁରି ବିନା ତଥା ଅନ୍ୟ ରାଜ୍ୟମାନଙ୍କର ସହିତ ବିଚାରବିମର୍ଶ ବିନା ନିର୍ମାଣ କରାଯାଇଛି। ଗୁଗଲ ଆର୍ଥ୍ରୁ ଏନେଇ ଚିତ୍ର ଉତ୍ତୋଳନ କରାଯାଇଛି ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଛି। ଏସବୁ ନିର୍ମାଣାଧୀନ ବ୍ୟାରେଜ୍ ଯୋଗୁଁ ହୀରାକୁଦରୁ ଅଣମୌସୁମୀ ଋତୁରେ ଜଳପ୍ରବାହ ହ୍ରାସ ପାଉଥିବା ଉତ୍ତରରେ କୁହାଯାଇଛି। ହୀରାକୁଦ ଜଳାଶୟରୁ ୧୪ଟି ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ କରାଯାଉଛି ବୋଲି ଓଡ଼ିଶା ପକ୍ଷରୁ ଦାଖଲ କାରଯାଇଥିବା ଉତ୍ତରରେ ସ୍ବୀକାର କରାଯାଇଛି । ଛତିଶଗଡ଼ ପକ୍ଷରୁ ଓଡ଼ିଶା ୬୧ଟି ଶିଳ୍ପ ସଂସ୍ଥାକୁ ଜଳ ଯୋଗାଉଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ହୀରାକୁଦ ଡ୍ୟାମ ନିର୍ମାଣ ବେଳେ ଜଳମଗ୍ନ ସମସ୍ୟା ପାଇଁ ପ୍ରକଳ୍ପ ପ୍ରଭାବିତ ଲୋକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ହୀରାକୁଦ ପ୍ରକଳ୍ପ କାର୍ଯ୍ୟକ୍ଷେତ୍ର (ସ୍କୋପ୍) କୁ ଦୃଢଭାବେ ପରିବର୍ତ୍ତନ କରାଯାଇଥିବା ନେଇ ଛତିଶଗଡ଼ର ଅଭିଯୋଗକୁ ବିଭ୍ରାନ୍ତକାରୀ ବୋଲି କୁହାଯାଇଛି। ହୀରାକୁଦ ଡ୍ୟାମ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମର ୧୨.୨୮ ଏମଏଏଫ୍ ଜଳର ବ୍ୟବହାରିତା ନିର୍ଦ୍ଧାରଣ କରାଯାଇଥିଲା। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆଧାରରେ ଓଡ଼ିଶା ଅଧିକ ପରିମାଣରେ ଜଳର ବ୍ୟବହାର କରିନାହିଁ। ୬୦ ବର୍ଷରେ କେବଳ ୮ ବର୍ଷ ଅଧିକ ପରିମାଣର ଜଳ ବ୍ୟବହାର କରାଯାଇଥିବାର ଓଡ଼ିଶା ପକ୍ଷରୁ ସ୍ବୀକାର କରାଯାଇଛି। ଏହା କେବଳ ମାର୍ଜିନାଲ ପରିମାଣରେ ହାଇଡ୍ରୋ ପାଵାର ଜେନେରେସନ ପାଇଁ ବ୍ୟବହାର କରାଯାଇଥିବା କୁହାଯାଇଛି।