ଟ୍ରିବ୍ୟୁନାଲରେ ମହାନଦୀ ମାମଲା : ପୁଣି କେଁ ପୂରାଇଲା ଛତିଶଗଡ଼

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଛତିଶଗଡ଼ ପକ୍ଷରୁ ଆଜି ଟ୍ରିବ୍ୟୁନାଲଙ୍କ ନିକଟରେ ଏକ ତାଲିକା ଦାଖଲ କରାଯାଇ ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟଙ୍କ ନିକଟରୁ ବର୍ଷା ଜଳ ପରିମାଣ, ଭୂତଳ ଜଳ ଭଳି ତଥ୍ୟ ଉପଲବ୍ଧ କରାଇବା ପାଇଁ ଆବେଦନ କରାଯାଇଛି। ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ କେ ଗାଙ୍ଗୁଲି ମହାନଦୀ ଜଳବିବାଦ ମାମଲାରେ ଏହ‌ି ତଥ୍ୟ ଗୁଡ଼ିକର ଆବଶ୍ୟକତା ଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରିଥିଲେ। ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ନଥିବା ଯୋଗୁଁ ତଥ୍ୟ ଗୁଡ଼ିକୁ ଉପଲବ୍ଧ କରିବା ପାଇଁ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ଆଦେଶ ଜାରି କରିବା ସକାଶେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅପରପକ୍ଷେ ଟ୍ରିବ୍ୟୁନାଲଙ୍କ ପକ୍ଷରୁ ଲୋଡ଼ାଯାଇଥିବା ତଥ୍ୟ ସାର୍ବଜନିକ ସ୍ତରରେ ଉବଲବ୍ଧ ହୋଇପାରୁ ନାହିଁ କି ବୋଲି ଛତିଶଗଡ଼ ଓକିଲଙ୍କୁ ପ୍ରଶ୍ନ କରାଯାଇଥିଲା। ଟ୍ରିବ୍ୟୁନାଲରେ ଛତିଶଗଡ଼ ତଥ୍ୟଗୁଡ଼ିକର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ଲୋ଼ଡ଼ାଯାଇଥିବା ତଥ୍ୟ ସମସ୍ତ ପକ୍ଷଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି କୁହଯାଇଥିଲା। ଏ ସମ୍ପର୍କରେ ଟ୍ରବ୍ୟୁନାଲ ଦ୍ବାରା କୌଣସି ପ୍ରକାର ଆଦେଶ ଜାରି କରାଯାଇନଥିବା ବେଳେ ଛତିଶଗଡ଼ର ଆବେଦନ ଉପରେ ଓଡ଼ିଶା ଜବାବ ରଖିବ। ଓଡ଼ିଶାର ଜବାବ ଆଧାରରେ ଟ୍ରିବ୍ୟୁନାଲ ଛତିଶଗଡ଼ର ଆବେଦନ ଉପରେ ପରବର୍ତ୍ତି ଶୁଣାଣିରେ ନିଷ୍ପତ୍ତି ନେବେ।

ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ବିଚାରପତି ଜଷ୍ଟିସ୍ ଏ ଏମ୍ ଖାନଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ସଂକ୍ଷିପ୍ତ ଶୁଣାଣି ହୋଇଥିଲା। ଉଭୟ ଓଡ଼଼ିଶା ଓ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଉଭୟ ରାଜ୍ୟରେ ମହାନଦୀ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ଗୁଡ଼ିକର ପ୍ରଥମ ପ୍ରର୍ଯ୍ୟାୟ ପରିଦର୍ଶନ ଓ ଅନୁଧ୍ୟାନ କାର୍ଯ୍ୟ ଶେଷ ହୋଇଛି ଏବଂ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାନୁଆରି ମାସରେ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା। ଶୁଣାଣି ସମୟରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଛତିଶଗଡ଼ ଦ୍ବାରା ମହାନଦୀ ଜଳବିବାଦ ମାମଲାରେ ମହାନଦୀ ଅବବାହିକା ଜଳର ସମାନୁପାତିକ ଆବଣ୍ଟନକୁ ନେଇ ଦାଖଲ କରାଯାଇଥିବା ଦଲିଲର ଜବାବ ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରୁ ସମୟ ଲୋଡ଼ିଥିଲେ। ଓଡ଼ିଶାକୁ ୪ ସପ୍ତାହ ଭିତରେ ଜବାବ ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ସମ ୟ ପ୍ରଦାନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧ ତାରିଖକୁ ଟ୍ରିବ୍ୟୁନାଲ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର