ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲ ଶୁଣାଣି ପାଇଁ ସର୍ବମୋଟ ୪୬ଟି ପ୍ରସଙ୍ଗକୁ ଚୂଡ଼ାନ୍ତ କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଦେଢ଼ ଘଣ୍ଟା ଧରି ଶୁଣାଣି କରିଥିଲେ। ଶୁଣାଣି ବେଳେ ପ୍ରାଥମିକ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ୩୬ଟି ପ୍ରସଙ୍ଗ ସହିତ ଟ୍ରିବ୍ୟୁନାଲ ଦ୍ବାରା ସଂଲଗ୍ନ ୭ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ଗତ ୧୯ ତାରିଖରେ ଟ୍ରିବ୍ୟୁନାଲ ଦ୍ବାରା ସଂଲଗ୍ନ ୭ଟି ପ୍ରସଙ୍ଗ ଉପରେ ରାଜ୍ୟମାନେ ସେମାନଙ୍କର ମତାମତ ରଖିଥିଲେ। ଏଥିସହିତ, କେତେକ ଅତିରିକ୍ତ ପ୍ରସଙ୍ଗଗୁଡ଼ିକୁ ସାମିଲ୍ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଟ୍ରିବ୍ୟୁନାଲଙ୍କ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଆଗତ ପ୍ରସ୍ତାବକୁ ବିଚାରକୁ ନେଇ ସମୁଦାୟ ୪୬ ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଆଗକୁ ମଧ୍ୟ ଶୁଣାଣି ସମୟରେ ରାଜ୍ୟମାନେ ଚାହିଁଲେ ଆଉ କିଛି ପ୍ରସଙ୍ଗ ସ୍ଥିର କରିପାରିବେ ବୋଲି କହିଥିଲେ। ଓଡ଼ିଶା ପକ୍ଷରୁ ସର୍ବାଧିକ ପ୍ରସଙ୍ଗ ସାମିଲ୍ କରାଯାଇଥିବା ଜଣାପଡ଼ିଛି।
ଓଡିଶା ପକ୍ଷରୁ କ୍ରିଷ୍ଣା ଓ କାବେରୀ ଜଳବିବାଦ ଟ୍ରିବ୍ୟୁନାଲରେ ବ୍ୟବହାର କରାଯାଉଥିବା କମନ ଫର୍ମାଟକୁ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିଲା। କମନ୍ ଫର୍ମାଟକୁ ତଥ୍ୟ ଆଧାରରେ ପ୍ରସ୍ତୁତ କରିବା ପାଇଁ ଟ୍ରିବ୍ୟୁନାଲରେ ନିୟୋଜିତ ଆସେସରଙ୍କ ନିକଟରେ ତଥ୍ୟ ଯୋଗାଇଦେବା ପାଇଁ ଆଜି ଟ୍ରିବ୍ୟୁନାଲ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଓ ଓଡ଼ିଶା ନିକଟରୁ ନଥିପତ୍ର ଯୋଗାଇ ଦେବା ପାଇଁ ଛତିଶଗଡ଼ ପକ୍ଷରୁ ଯେଉଁ ଆବେଦନ କରାଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ଉପଲବ୍ଧ କରାଯାଇ ନଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩କୁ ଧାର୍ଯ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/mahanadi-row.jpg)