ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ : ଖୁବ୍ଶୀଘ୍ର ଶୁଣାଣି ଆରମ୍ଭ ହେବ, ‘ଓଲ୍ଡ ଇଣ୍ଡିଆନ ବିଲ୍ଡିଂ’ରେ ହେବ ଟ୍ରିବ୍ୟୁନାଲ୍ ମୁଖ୍ୟାଳୟ
ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଖୁବ୍ଶୀଘ୍ର ଶୁଣାଣି ଆରମ୍ଭ କରିବେ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ ଟ୍ରିବ୍ୟୁନାଲକୁ କାର୍ଯ୍ୟକ୍ଷମ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ସର୍ତ୍ତାବଳୀ ପ୍ରଥମେ ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନ୍ଓ୍ଵିଲକରଙ୍କୁ ଦିଲ୍ଲୀରେ ପ୍ରଦାନ କରାଯାଇଥିବାବେଳେ ଟ୍ରିବ୍ୟୁନାଲର ସଦସ୍ୟ ପାଟନା ହାଇକୋର୍ଟର ବିଚାରପତି ଡକ୍ଟର ରବି ରଂଜନଙ୍କୁ ପାଟନାରେ ଏବଂ ଟ୍ରିବ୍ୟୁନାଲର ଅନ୍ୟତମ ସଦସ୍ୟ ବିଚାରପତି ଇନ୍ଦରମିତ କୌର କୋଚରଙ୍କୁ ଦିଲ୍ଲୀରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ମହାନଦୀ ଟ୍ରିବ୍ୟୁନାଲର ଦସ୍ତାବିଜ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। କାବେରୀ ଜଳବିବାଦ ମାମଲାର ଶୁଣାଣି ହେଉଥିବା ସ୍ଥାନରେ ତଥା ଜନପଥର ଓଲ୍ଡ ଇଣ୍ଡିଆନ୍ ଅଏଲ ବିଲ୍ଡିଙ୍ଗ୍ରେ ହିଁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ମୁଖ୍ୟାଳୟ ହେବ ବୋଲି ଏକ ପ୍ରକାର ନିଷ୍ପତ୍ତି ହୋଇ ସାରିଥିବା ଅଧିକାରୀ ଜଣଙ୍କ ସଙ୍କେତ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କାବେରୀ ଜଳବିବାଦ ଟ୍ରିବ୍ୟୁନାଲ୍ର ବୋର୍ଡ ହଟାଇ ଦିଆଯାଇ ସେଠାରେ କେବଳ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ବୋର୍ଡ ଲଗାଯିବ। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଟ୍ରିବ୍ୟୁନାଲ ଶୁଣାଣି ଆରମ୍ଭ କରିବେ ତାହା ଅଧ୍ୟକ୍ଷଙ୍କ ଉପରେ ନିର୍ଭର କରୁଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ମହାନଦୀରେ ଉପଲବ୍ଧ ଥିବା ଜଳ ପ୍ରବାହର ସମୀକ୍ଷା କରିବାପାଇଁ ଯେଉଁ ଦୁଇ ଜଣ ବିଶେଷଜ୍ଞଙ୍କୁ ମନ୍ତ୍ରାଳୟ ଦ୍ୱାରା ନିଯୁକ୍ତି ଦିଆଯିବ ତାହାର ପ୍ରକ୍ରିୟା ଆରମ୍ଭ କରାଯାଇଛି ଏବଂ ନିଯୁକ୍ତି ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ। ଅପରପକ୍ଷେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣି ତାରିଖ ଧାର୍ଯ୍ୟ ହେବା ପୂର୍ବରୁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍ରେ ଏକ ମଧ୍ୟବର୍ତ୍ତିକାଳୀନ ଆବେଦନ ଦାଖଲ କରିବାପାଇଁ ଆଇନ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପ୍ରସ୍ତୁତି ଚୁଡ଼ାନ୍ତ କରିଛି।