ମହାନଦୀ ଜଳ ବିବାଦ : ଟ୍ରିବ୍ୟୁନାଲରେ ଶୁଣାଣି ଆଜି

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆସନ୍ତାକାଲି ଟ୍ରିବ୍ୟୁନାଲରେ କରାଯିବ। ଟ୍ରିବ୍ୟୁନାଲ କମନ୍‌ଇନ୍‌ଫରମେସନ ଫର୍ମାଟକୁ ଚୂଡ଼ାନ୍ତ କରିବା ପରେ ଓଡ଼ିଶା ଓ ଛତିଶଗଡ଼ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ ଲାଗି ପୁନର୍ବାର ବୈଠକ କରିବେ ବୋଲି ଜଣାପଡ଼ିଛି।

ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ମାସ ଗୁଡିକରେ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ୧.୭୪ ନିୟୁତ ଏକର ଫୁଟ (ଏମଏଏଫ) ମହାନଦୀ ଜଳପ୍ରବାହ ସୁନିଶ୍ଚିତ କରିବା ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବା ନେଇ ପ୍ରସ୍ତାବ ରହିଛି। ମାତ୍ର, ଏହି ପ୍ରସ୍ତାବ ଉପ‌ରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଏପର୍ଯ୍ୟନ୍ତ ଆଲୋଚନା କରିନାହାନ୍ତି। ଦୁଇ ରାଜ୍ୟ‌ର ଆଇନଜୀବୀଙ୍କୁ ନେଇ ଅନୌପଚାରିକ ବୈଠକ ହୋଇଛି। ମାତ୍ର, କୌଣସି ଉଚ୍ଚସ୍ତରୀୟ ବୈଠକ ବସିନାହିଁ। ଗତ ଶୁଣାଣି ସମୟରେ ଏକାଠି ବସି ଆଲୋଚନା କରିବା ସକାଶେ ଦୁଇରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମ୍ମତି ଜଣାଇଥିଲେ ବି ତାହା ସମ୍ଭବପର ହୋଇନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଣମୌସୁମୀ ମାସରେ ୧.୭୪ ନିୟୁତ ଏକର ଫୁଟ୍ ମହାନଦୀ ଜଳପ୍ରବାହକୁ ବଜାୟ ରଖିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବା ପାଇଁ ୨୦୧୮ରେ ଓଡ଼ିଶା ପକ୍ଷରୁ ଅନ୍ତରୀଣ ଆବେଦନ କରାଯାଇଥିଲା। ୨୦୧୯ ମସିହାରେ ଟ୍ରିବ୍ୟୁନାଲ ଏହା ଉପରେ ଶୁଣାଣି ସମାପ୍ତ କରି ରାୟ ସଂରକ୍ଷିତ ରଖଛନ୍ତି। ଅପରପକ୍ଷେ ମହାନଦୀ ଅବବାହିକା ସମ୍ପର୍କିତ ସୂଚନା ନେଇ ପ୍ରସ୍ତୁତ ହେବାକୁ ଥିବା କମନ୍ ଇନ୍‌ଫରମେଶନ ଫର୍ମାଟ ସମ୍ପର୍କରେ ଆସେସର୍‌ଙ୍କ ମତ ଲୋଡ଼ାଯାଇଥିଲା। ଓଡ଼ିଶା ପକ୍ଷରୁ ଏଥିରେ କୌଣସି ଆପତ୍ତି ନଥିବାର ଜଣାଇ ଦିଆଯାଇଛି। ତେବେ, ଛତିଶଗଡ଼ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ। ଏପରିସ୍ଥଳେ ଆସନ୍ତାକାଲି ଟ୍ରିବ୍ୟୁନାଲରେ ଶୁଣାଣି ହେବାକୁ ଯାଉଛି। ଶୁଣାଣି ସମୟରେ କମନ୍‌ ଇନ୍‌ଫରମେସନ ଫର୍ମାଟକୁ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର