ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ: ତିନି କେନ୍ଦ୍ରୀୟ ସଂସ୍ଥା, ମଧ୍ୟପ୍ରଦେଶ ଜଳ ସଂପଦ ବିଭାଗକୁ ନୋଟିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଶନିବାର ଦିନ ମାମଲାର ୨୭ତମ ଶୁଣାଣି କରିଥିଲେ। ନିତି ଆୟୋଗ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ସର୍ଭେ ଅଫ୍‌ ଇଣ୍ଡିଆ ମହାନଦୀ ଜଳ ବିବାଦ ସଂପର୍କିତ ଦସ୍ତାବିଜ୍‌ ଉପଲବ୍ଧ କରାଉନଥିବା ସମ୍ପର୍କରେ ଶୁଣାଣି ବେଳେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ନେଇ ଟ୍ରିବ୍ୟୁନାଲ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତିନି କେନ୍ଦ୍ରୀୟ ସଂସ୍ଥାକୁ ନୋଟିସ ଜାରି କରିବାସହ ଜବାବ ତଲବ କରିଛନ୍ତି। ଯଦି ଉପରୋକ୍ତ ସଂସ୍ଥା ପୁଣି ଥରେ ଅସହଯୋଗ ପ୍ରଦର୍ଶନ କରନ୍ତି, ତେବେ ନିଜର କ୍ଷମତା ପ୍ରୟୋଗ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଟ୍ରିବ୍ୟୁନାଲ ଚେତାବନୀ ଦେଇଛନ୍ତି।

ମହାନଦୀ ଜଳ ବିବାଦ ମାମଲାରେ ୧୧ଟି କେନ୍ଦ୍ରୀୟ ସଂସ୍ଥା ମଧ୍ୟରୁ ୮ଟି ସଂସ୍ଥା ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଟ୍ରିବ୍ୟୁନାଲଙ୍କ ରେଜିଷ୍ଟ୍ରାରଙ୍କ ଜରିଆରେ ନଥି ଓ ଦସ୍ତାବିଜ୍‌ ଉପଲବ୍‌ଧ କରାଇଛନ୍ତି। ଯାହାର କି ଅନୁଧ୍ୟାନ ଦୁଇ ରାଜ୍ୟ ଦ୍ବାରା କରାଯାଉଛି। ଆଜି ଶୁଣାଣି ବେଳେ ଛତିଶଗଡ଼ ପକ୍ଷରୁ ଟିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା ଯେ ମହାନଦୀ ଜଳ ବିବାଦ ମାମଲାରେ ମଧ୍ୟପ୍ରଦେଶ ପକ୍ଷଭୁକ୍ତ ରାଜ୍ୟ ହୋଇଥିବା ସତ୍ତ୍ବେ ଟ୍ରିବ୍ୟୁନାଲରେ ରାଜ୍ୟର ପ୍ରତିନିଧି ଲଗାତାର ଅନୁପସ୍ଥିତ ରହୁଛନ୍ତି। ଯାହା ଫଳରେ ରାଜ୍ୟରୁ ମହାନଦୀ ଜଳ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପଲବ୍ଧ ହୋଇପାରୁନାହିଁ। ପ୍ରାରମ୍ଭରେ ମଧ୍ୟ ପ୍ରଦେଶର ଯନ୍ତ୍ରୀମାନେ ଶୁଣାଣିରେ ଉପସ୍ଥିତ ରହୁଥିଲେ। କିନ୍ତୁ ଏହା ପରେ କୌଣସି ଯନ୍ତ୍ରୀ କିମ୍ବା ଆଇନଜୀବୀ ଶୁଣାଣିରେ ଉପସ୍ଥିତ ହେଉନଥିବାର ଛତିଶଗଡ଼ ଖଣ୍ଡପୀଠଙ୍କୁ ସୂଚିତ କରିଥିଲା। ମଧ୍ୟପ୍ରଦେଶର ତଥ୍ୟ ‘କମନ୍‌ ଇନଫରମେସନ୍‌ ଫର୍ମାଟ୍‌’ରେ ସାମିଲ କରିବା ଅପରିହାର୍ଯ୍ୟ ହୋଇଥିବାରୁ ଏହି ପ୍ରସଙ୍ଗରେ ଛତିଶଗଡ଼ ଟ୍ରିବ୍ୟୁନାଲଙ୍କ ହସ୍ତକ୍ଷେପ ଲୋଡ଼ିଥିଲା। ଏ ନେଇ ଟ୍ରିବ୍ୟୁନାଲ ମଧ୍ୟପ୍ରଦେଶକୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ଟ୍ରିବ୍ୟୁନାଲ ଏହା ମଧ୍ୟ କହିଛନ୍ତି ଯେ ଯଦି ମଧ୍ୟପ୍ରଦେଶ ଶୁଣାଣିରେ ସାମିଲ ହେବା ପାଇଁ ଚାହେନାହିଁ ତାହାହେଲେ ଟ୍ରିବ୍ୟନାଲଙ୍କୁ ଲିଖିତ ଭାବେ ଅବଗତ କରୁ। ଏଥି ସହିତ ଛତିଶଗଡ଼ ଦ୍ବାରା ମହାନଦୀ ଜଳ ସଂପର୍କିତ ବିଭିନ୍ନ ବର୍ଷର ଯେଉଁ ଡାଟା ଲୋଡ଼ାଯାଇଛି ତାହା ପ୍ରଦାନ କରାଯାଉ ବୋଲି ଖଣ୍ଡପୀଠ ମଧ୍ୟପ୍ରଦେଶ ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ଅବସରରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିବା ସାକ୍ଷୀ ସତ୍ୟପାଠର ସ୍ଥିତି ସଂପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଓଡ଼ିଶା ପକ୍ଷରୁ ଗୋଟିଏ ଏବଂ ଛତିଶଗଡ଼ ପକ୍ଷରୁ ଦୁଇଟି ସାକ୍ଷୀ ସତ୍ୟପାଠ ଦାଖଲ କରାଯାଇଥିବା ଖଣ୍ଡପୀଠଙ୍କୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ଶୁଣାଣି ପୂର୍ବରୁ ବଳକା ସାକ୍ଷୀ ସତ୍ୟପାଠଗୁଡ଼ିକ ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ପକ୍ଷଭୂକ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଉପଲବ୍ଧ ହେବା ପରେ ମଧ୍ୟ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇପାରିବ ବୋଲି ମଧ୍ୟ ଟ୍ରିବ୍ୟୁନାଲ କହିଥିଲେ। ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟକୁ ବାଦ ଦେଲେ ଅନ୍ୟ ତିନି ପକ୍ଷଭୁକ୍ତ ରାଜ୍ୟ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବର୍ତ୍ତମାନ ସୁଦ୍ଧା ସାକ୍ଷୀ ତାଲିକା ଟ୍ରିବ୍ୟୁନାଲଙ୍କୁ ପ୍ରଦାନ କରିନଥିବ‌ାର ଜଣାପଡ଼ିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଜାନୁଆରି ୧୫ ରେ ୯ ଜଣ ଏବଂ ଛତିଶଗଡ଼ ଫେବ୍ରୁଆରି ୧୧ ରେ ୭ ଜଣ ସାକ୍ଷୀ ତାଲିକା ଟ୍ରିବ୍ୟୁନାଲଙ୍କୁ ପ୍ରଦାନ କରାଯାଇଥିଲା। ମହାନଦୀ ଜଳ ବିବାଦ ମାମଲାରେ ସାକ୍ଷୀ ସତ୍ୟପାଠଗୁଡ଼ିକ ସଂପୂର୍ଣ୍ଣ ରୂପେ ଦାଖଲ ହେବା ତଥା ଅନ୍ୟାନ୍ୟ ଆଇନଗତ ଔପଚାରିକତା ପୂରଣ ପରେ ବିଚାର ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପକ୍ଷଭୁକ୍ତ ରାଜ୍ୟର ଜଣେ ଆଇନଜୀବୀ କହିଛନ୍ତି। ମହାନଦୀ ଜଳବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୬କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର