ମହାନଦୀ ଜଳ ବିବାଦ ମାମଲା: କମନ ଇନଫରମେସନ ଫର୍ମାଟ ଉପରେ ସହମତି ଜଣାଇ ଟ୍ରିବ୍ୟୁନାଲକୁ ଅବଗତ କରାଇଲା ଓଡ଼ିଶା

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଆସେସରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କମନ ଇନଫରମେସନ ଫର୍ମାଟ(ଏକକ ସୂଚନା ସାରଣୀ) ଉପରେ ସହମତି ଜଣାଇଛି ଓଡ଼ିଶା | ଏ ନେଇ ବିଧିବଦ୍ଧ ଭାବେ ଓଡ଼ିଶା ଦ୍ୱାରା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି | ଅପରପକ୍ଷେ ଛତିଶଗଡ଼ କମନ ଇନଫରମେସନ ଫର୍ମାଟ ଉପରେ ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲଙ୍କୁ ମତାମତ ଜଣାଇ ନଥିବା ସୂତ୍ରରୁ ଜଣାପଡ଼ିଛି |

କ୍ରିଷ୍ଣା ଓ କାବେରୀ ଜଳ ବିବାଦ ମାମଲା ଭଳି ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା, ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ଦସ୍ତାବିଜ ଆଦାନ ପ୍ରଦାନ ପାଇଁ କମନ ଫର୍ମାଟ ବ୍ୟବହାରକୁ ନେଇ ଅଗଷ୍ଟ ୮ତାରିଖରେ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ | ଏହା ପରେ ଟ୍ରିବ୍ୟୁନାଲରେ ନିୟୋଜିତ ଦୁଇଜଣ ଆସେସରଙ୍କ ଦ୍ୱାରା ବୈଷୟିକ ଆକଳନ କରା‌ଯାଇ ଫର୍ମାଟ ପ୍ରସ୍ତୁତ କରାଯାଇ ଅକ୍ଟୋବର ୩ତାରିଖରେ ସମସ୍ତ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା | ଟ୍ରିବ୍ୟୁନାଲର ଆସେସରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କମନ ଇନଫରମେସନ ଫର୍ମାଟରେ ସମସ୍ତ ସୂଚନାକୁ ଏକତ୍ରିତ କରାଯାଇ ଚିଠା ପ୍ରସ୍ତୁତ କରାଯାଇଛି, ଯାହାକୁ ଓଡ଼ିଶା ପକ୍ଷରୁ ସହମତି ପ୍ରଦାନ କରାଯାଇଛି |

ଅନ୍ୟସବୁ ସବୁ ପକ୍ଷଭୁକ୍ତ ରାଜ୍ୟମାନଙ୍କ ମତାମତ ମିଳିସାରିବା ପରେ ଟ୍ରିବ୍ୟୁନାଲରେ ଏହାକୁ ଉପସ୍ଥାପିତ କରାଯିବ | ଟ୍ରିବ୍ୟୁନାଲଙ୍କ ନିର୍ଦେଶନାମା ପରେ କମନ ଇନଫରମେସନ ଫର୍ମାଟକୁ କାର୍ଯ୍ୟକାରୀ କରାଯିବ | ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ନଭେମ୍ବର ୭ତାରିଖକୁ ଧାର୍ଯ୍ୟ କରିଛନ୍ତି | ଅନ୍ୟ ଏକ ଘଟଣାକ୍ରମରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଅନ୍ତରୀଣ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ | ଏ ନେଇ ଦୁଇ ରାଜ୍ୟ ରାଜି ହୋଇଥିବାର ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି | ଆସନ୍ତା ସପ୍ତାହରେ ବୈଠକ ହେବ ବୋଲି ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ବୈଠକର ତାରିଖକୁ ଚୂଡାନ୍ତ କରାଯାଇନାହିଁ |

River of dreams no more- The New Indian Express
New Indian Express

ଭିଡିଓ କନଫରେନସିଙ୍ଗ ଜରିଆରେ ଦୁଇ ରାଜ୍ୟର ବୈଷୟିକ ଦଳର ସଦସ୍ୟମାନେ ଟ୍ରିବ୍ୟୁନାଲରେ ବିଚାରଧୀନ ମୂଳ ମାମଲାର ଶୁଣାଣି ପୂର୍ବରୁ ଅନ୍ତରୀଣ ବ୍ୟବସ୍ଥାକୁ ନେଇ ଆଲୋଚନା କରିବେ ତଥା ବୈଠକର ନିଷ୍କର୍ସ ସମ୍ପର୍କରେ ଆସନ୍ତା ଶୁଣାଣିରେ ଟ୍ରିବ୍ୟୁନାଲକୁ ଜଣାଇବେ | ଆପୋଷ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ଗୁରୁତ୍ୱାରୋପ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ଅଗ୍ରଗତି ହୋଇପାରିନାହିଁ | ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଦଳର ଅଧିକାଂଶ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିଲେ, ଯେଉଁଥିପାଇଁ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହେବାରେ ବିଳମ୍ବ ହୋଇଛି |

ସୂଚନାଯୋଗ୍ୟ , ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅକ୍ଟୋବର ୩ ତାରିଖର ଆଦେଶରେ ଦୁଇ ରାଜ୍ୟକୁ ଦୁଇ ସପ୍ତାହରେ ବୈଠକ କରିବା ପାଇଁ ନିର୍ଦେଶ ଦେଇଥିଲେ |

ସମ୍ବନ୍ଧିତ ଖବର